କୋଲକାତା,୨୮।୧୧: ମୃତଦେହର ଅନ୍ତିମ ସଂସ୍କାର ପାଇଁ ଯାଉଥିବାବେଳେ ଏକ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ରାତିରେ ପଶ୍ଚିମବଙ୍ଗର ନଦିଆ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଉତ୍ତର ୨୪ ପ୍ରଗଣାର ବାଗଡାର ୨୦ ରୁ ଅଧିକ ଲୋକ ମୃତଦେହକୁ ନେଇ ନବଦ୍ୱୀପ ଶ୍ମଶାନକୁ ଏକ ମାଟାଡୋରରେ ଯାଉଥିଲେ।
ସ୍ଥାନୀୟ ଲୋକଙ୍କ ଅନୁସାରେ ହାନ୍ସଖାଲି ପୋଲିସ ଷ୍ଟେସନ ଅଞ୍ଚଳର ଫୁଲବାଡ଼ୀଠାରେ ରାସ୍ତା କଡ଼ରେ ଅଟକି ରହିଥିବା ଏକ ଟ୍ରକ ସହିତ ଧକ୍କା ହେବା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୋଲିସର ସୂଚନାନୁସାରେ ଘନ କୁହୁଡ଼ି ଏବଂ ଗାଡିର ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏହାର ତଦନ୍ତ ଜାରି ରହିଛି।