ଦୁର୍ଦ୍ଦିନରେ ଲଘୁ ଉଦ୍ୟୋଗ

ଭୁବନେଶ୍ୱର,୧୮ା୧(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେବ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଅତିମାତ୍ରାରେ ପ୍ରଭାବିତ ହୋଇଛି। କୋଭିଡ୍‌ କଟକଣା ଯୋଗୁ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ଏହା ଉପରେ ନିର୍ଭର କରୁଥିବା କ୍ଷୁଦ୍ର ଶିଳ୍ପଗୁଡିକର ଅବସ୍ଥା ଆହୁରି ଦୟନୀୟ ସ୍ଥିତିକୁ ଚାଲିଯାଉଛି।
କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ ସରକାର ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି-୨୦୧୫ ପ୍ରଣୟନ କରିଛନ୍ତି। ସରକାର ଏହା ମଧ୍ୟ ମାନିଛନ୍ତି ଯେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏକ ବଡ଼ ଭୂମିକା ନିର୍ବାହ କରୁଛି। ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ଏମ୍‌ଏସ୍‌ଏମ୍‌ଇଗୁଡିକୁ ବଞ୍ଚାଇ ରଖିବା, ରାଜ୍ୟରେ ମୁଣ୍ଡ ପିଛା ଆୟ ବୃ୍‌ଦ୍ଧି ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଲଘୁ ଉଦ୍ୟୋଗଗୁଡିକ ପାଇଁ ରାଜ୍ୟ ସରକାର ଓଡ଼ିଶା ପ୍ରୋକ୍ୟୁରମେଣ୍ଟ ପ୍ରିଫରେନ୍ସ ପଲିସି ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜର୍ସ-୨୦୧୫ ଆଣିଛନ୍ତି। ଏହି ପଲିସି ଅନୁଯାୟୀ ରାଜ୍ୟର ଏମ୍‌ଏସ୍‌ଏମ୍‌ଇଗୁଡିକରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବାର୍ଷିକ ଉତ୍ପାଦନର ୨୦% ଉତ୍ପାଦ କିଣିବାକୁ ବାଧ୍ୟ। ମାତ୍ର ସରକାରୀ ବିଭାଗ ରାଜ୍ୟର ଉଦ୍ୟୋଗୀଙ୍କଠାରୁ କ୍ରୟ କରୁନାହାନ୍ତି। ଫଳରେ ଉଦ୍ୟୋଗଗୁଡିକ ବଜାର ସୁବିଧା ନ ପାଇ ବନ୍ଦ ହେବା ସ୍ତରକୁ ଚାଲିଯାଉଛି। ସରକାରୀ ହିସାବ ଅନୁଯାୟୀ, ରାଜ୍ୟରେ ୨୦୨୧ ଡିସେମ୍ବର ସୁଦ୍ଧା ୫,୦୬,୦୧୨ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପଞ୍ଜୀକୃତ ହୋଇଛି। ସେଥିରୁ ଗତ ୫ ବର୍ଷ ମଧ୍ୟରେ ୪୫,୫୮୦.୮୫ କୋଟି ଟଙ୍କାର ୧୫,୩୧୫ ଉଦ୍ୟୋଗ ବନ୍ଦ ହୋଇସାରିଲାଣି। ଏଥିରେ କାର୍ଯ୍ୟରତ ୧,୨୯,୯୫୦ କର୍ମଚାରୀ ଜୀବିକା ହରାଇଛନ୍ତି। ୧୧ଟି ପଛୁଆ ଜିଲାରେ ଏହି ସମୟରେ ମୋଟ ୩,୫୨,୦୦୫.୩୭ ଲକ୍ଷ ଟଙ୍କାର ୩୧୩୩ଟି ଶିଳ୍ପ ବନ୍ଦ ହୋଇଛି।
ରାଜ୍ୟ ସରକାର ଏମ୍‌ଏସ୍‌ଏମ୍‌ଇ ଶିଳ୍ପକୁ ପ୍ରୋତ୍ସାହନ ଦେବା ସକାଶେ ପବ୍ଲିକ ପ୍ରୋକ୍ୟୁରମେଣ୍ଟ (ପ୍ରିଫରେନ୍ସ ଟୁ ମେକ୍‌ ଇନ୍‌ ଓଡିଶା) ଚିଠା ଆଦେଶ-୨୦୨୦ ପ୍ରସ୍ତୁତ କରିଛନ୍ତିି। ଏହା ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କିମ୍ବା ଷ୍ଟାର୍ଟ ଅପ୍‌ଗୁଡ଼ିକର ଉତ୍ପାଦନ, ଉତ୍ପାଦିତ ଦ୍ରବ୍ୟର ବିକ୍ରିି, କଞ୍ଚାମାଲ ଇଦ୍ୟାଦିର ବ୍ୟବସ୍ଥା କରାଯିବ। ଫଳରେ ବିଭିନ୍ନ ବଡ଼ ବଡ଼ କମ୍ପାନୀ ସ୍ଥାନୀୟ ଉଦ୍ୟୋଗୀଙ୍କ ସହ ମିଶି ଉତ୍ପାଦ କ୍ରୟ କରିବେ। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବଢ଼ିବା ସହ ମୁଣ୍ଡପିଛା ଆୟ ମଧ୍ୟ ବୃ୍‌ଦ୍ଧି ହେବ। ଏଥିସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବେ। ଏମ୍‌ଏସ୍‌ଏମ୍‌ଇରୁ ଉତ୍ପାଦିତ ସାମଗ୍ରୀକୁ ବିଭାଗଗୁଡିକ ନିଜର ବିଭିନ୍ନ କାର୍ଯ୍ୟାଳୟ ପାଇଁ ୫୦ ପ୍ରତିଶତ କ୍ରୟ କରିବେ। ଅନୁସୂଚିତ ଜାତି, ଜନଜାତି, ମହିଳା ଏବଂ ଭିନ୍ନକ୍ଷମ ଉଦ୍ୟୋଗୀଙ୍କଠାରୁ ଉତ୍ପାଦିତ ଦ୍ରବ୍ୟ କ୍ରୟ କରାଯିବା ସହ ସ୍ବାବଲମ୍ବୀ କରିବା ଦିଗରେ ଏହି ନୀତି ସହାୟକ ବୋଲି ଦାବି କରାଯାଉଛି। ତେବେ ଆଶ୍ଚର୍ଯ୍ୟର କଥା, ଗତ ୨ ବର୍ଷ ହେବ ଏହି ଚିଠା ନୀତି କାର୍ଯ୍ୟକାରୀ ହୋଇପାରୁନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରସ୍ତାବକୁ ଅର୍ଥ ବିଭାଗର ଅନୁମତି ଅନୁମୋଦନ ପାଇଁ ପଠାଯାଇଛି। ଅନୁମୋଦନ ପାଇବା ପରେ ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଏମ୍‌ଏସ୍‌ଏମ୍‌ଇ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି।
ସରକାର ତୁରନ୍ତ ଏ ନେଇ ପଦକ୍ଷେପ ନ ନେଲେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବେ। ଏହି ଉଦ୍ୟୋଗ ରାଜ୍ୟରେ ଏକପ୍ରକାର ଭୁଶୁଡି ପଡ଼ିବ। ଯୁବ ଉଦ୍ୟୋଗୀମାନେ ଏ ନେଇ ଆଉ ଆଗ୍ରହ ଦେଖାଇବେ ନାହିଁ ବୋଲି ଓଡ଼ିଶା ଆସେମ୍ଭ୍ଲି ଅଫ୍‌ ସ୍ମଲ୍‌ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ) ମହାସଚିବ ସ୍ବସ୍ତିକ ସ୍ବାଇଁ କହିଛନ୍ତି । ଅନ୍ୟପକ୍ଷରେ କୋଭିଡ୍‌ ଯୋଗୁ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଥିବା କ୍ଷୁଦ୍ର ଶିଳ୍ପକୁ ବଞ୍ଚାଇବା ପାଇଁ ଋଣ ଯୋଗାଇଦେବା ସକାଶେ ରାଜ୍ୟ ସରକାର ଜାତୀୟକରଣ ବ୍ୟାଙ୍କଗୁଡିକୁ ବାରମ୍ବାର ଅନୁରୋଧ କରିଆସୁଛନ୍ତି। ମାତ୍ର ବ୍ୟାଙ୍କଗୁଡିକ ଆର୍ଥିକ ଦୃଷ୍ଟିରୁ ସଚଳ ଥିବା ସଂସ୍ଥାକୁ ଋଣ ଉପରେ ଋଣ ଯୋଗାଇ ତାଙ୍କ ଟାର୍ଗେଟ୍‌ ପୂରଣ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷରେ ଏମ୍‌ଏସ୍‌ଏମ୍‌ଇଗୁଡିକୁ ୩୦,୪୫୭.୯୯ କୋଟି ଟଙ୍କା ଋଣ ବୋଲି ଯୋଗାଇ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ୨୦୨୧ ମାର୍ଚ୍ଚ ସୁଦ୍ଧା ୩୮,୮୯୧.୩୭ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୬୦,୦୦୧.୨୭ କୋଟି ଟଙ୍କା ଋଣ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ନିକଟରେ ହୋଇଥିବା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ସୂଚନା ଦିଆଯାଇଥିଲା। ଯଦିଓ ଋଣ ପରିମାଣ ପ୍ରତ୍ୟେକ ବର୍ଷ ବୃଦ୍ଧି ପାଉଛି ତେବେ ଯେଉଁ କ୍ଷୁଦ୍ରଶିଳ୍ପ ଆବଶ୍ୟକ କରୁଛନ୍ତି ତାହା ସେମାନଙ୍କୁ ମିଳୁନାହିଁ। ସରକାର ଏ ଦିଗରେ ଦୃଷ୍ଟି ଦେଲେ ବୁଡ଼ିଯାଉଥିବା କ୍ଷୁଦ୍ରଶିଳ୍ପକୁ ବଞ୍ଚାଯାଇପାରନ୍ତା ବୋଲି ଓଏଏସ୍‌ଏମ୍‌ଇ ମହାସଚିବ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲ୍‌ସର୍‌ରେ ଆସିଲେ, ବ୍ଲାଙ୍କ୍‌ ଫାୟାରିଂ କରି କାର୍‌ରୁ ୮.୩୦ ଲକ୍ଷ ଲୁଟିନେଲେ

ବାଣପୁର,୧୯ା୧୧(ଦିଲୀପ କୁମାର ସ୍ବାଇଁ): ବାଣପୁର ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ ନିକଟରେ...

ଦ୍ରୁତ ଗତିରେ ବଢି ଚାଲିଛି ଇ-କମର୍ସ କମ୍ପାନୀଙ୍କ ତେଜରାତି ବ୍ୟବସାୟ, ମୁଣ୍ଡରେ ହାତ ଦେଲେଣି ଖୁଚୁରା ଦୋକାନୀ

ନୂଆଦିଲ୍ଲୀ,୧୯।୧୧: ଖାଉଟି କ୍ରେତାଙ୍କୁ ବଡ଼ ମାତ୍ରାରେ ରିହାତି ଦେଇ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି ଇ-କମର୍ସ କମ୍ପାନୀ। ପାର୍ବଣ ସମୟରେ ଏହା ଆହୁରି ଅଧିକ ରହୁଛି।...

ଖୁବ୍‌ଶୀଘ୍ର କୋଚିଂ ସେଣ୍ଟର ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୧୯ା୧୧: ରାଜ୍ୟରେ ଥିବା ଘରୋଇ କୋଚିଂ ସେଣ୍ଟର ପରିଚାଳନା ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି।...

ଆସୁଛି ଆଉ ଏକ ବଡ଼ ଲଘୁଚାପ

ଭୁବନେଶ୍ୱର,୧୯।୧୧: ବଙ୍ଗୋପସାଗରରେ ଆସୁଛି ଆଉ ଏକ ବଡ଼ ଲଘୁଚାପ। ୨୩ ତାରିଖ ସୁଦ୍ଧା ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୧ତାରିଖ ସୁଦ୍ଧା...

ଗିରଫ ହେଲେ କୋଟିପତି ଡେପୁଟି ଜେନେରାଲ ମ୍ୟାନେଜର

ଭୁବନେଶ୍ୱର,୧୯।୧୧:ଗିରଫ ହେଲେ କୋଟିପତି OPHWC ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ...

ଫିଟୁଛି ବୈକୁଣ୍ଠ ଧାମର ଗୁମର: ‘ଶ୍ରୀ’ ଲେଖା ଉପରେ ମାଟି ବୋଳିଲେ ମହିଳା

ଭୁବନେଶ୍ୱର,୧୯ା୧୧: ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କୀ ଅବତାର କହି ତାଙ୍କ ପାଦ ଉପରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri