ଟ୍ରେଲର-ହାଇଓ୍ବା ଧକ୍କା: ଚାଲିଗଲା ୨ ଡ୍ରାଇଭରଙ୍କ ଜୀବନ

ଜମନକିରା,୧୪ା୯(ରବୀନ୍ଦ୍ର ପ୍ରସାଦ ଦାନି): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅଧୀନ ୫୩ ନମ୍ବର ଜାତୀୟ ରାଜପଥରରେ ଗୁରୁବାର ଏକ ହାଇୱା (ଓଡ଼ି୧୫ଡବ୍ଲ୍ୟୁ-୫୦୪୩) ଏବଂ ଟ୍ରେଲର (ଆର୦୪ଜିଏ-୫୬୨୬) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଟ୍ରେଲରଟି ଦେବଗଡ଼ ପଟୁ ସମ୍ବଲପୁର ଯାଉଥିଲା। ସେତିକିବେଳେ ସମ୍ବଲପୁରରୁ ଦେବଗଡ଼ ଯାଉଥିବା ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଟ୍ରେଲର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ହାଇଓ୍ବାରେ ଫସି ରହିଥିବା ଚାଳକଙ୍କୁ ଜମନକିରା ଅଗ୍ନିଶମ ବାହିନୀ ଉଦ୍ଧାର କରି କୁଚିଣ୍ଡା ମେଡିକାଲକୁ ପଠାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଚାଳକ ଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।