ଟ୍ରେନ ଦୁର୍ଘଟଣା: ଆହତଙ୍କ ପାଇଁ ଭଦ୍ରକ ଜିଲା ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା

ଭଦ୍ରକ ଅଫିସ,୩।୬: ବାଲେଶ୍ୱର ଜିଲା ବାହାନଗାଠାରେ ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିବା ଆହତମାନଙ୍କ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଆହତମାନଙ୍କୁ ଜିଲାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ୭୦ରୁ ଊର୍ଦ୍ଧ୍ୱ ଆହତ ଭର୍ତ୍ତି ହୋଇଥିବା ବେଳେ ବାସୁଦେବପୁର ଓ ଭଣ୍ଡାରିପୋଖରୀ ମେଡିକାଲ ମିଶି ମୋଟ ୧୧୨ ଆହତ ଏପର୍ଯ୍ୟନ୍ତ ଭର୍ତ୍ତି ହୋଇଛନ୍ତି। ୨ ମୃତଦେହ ମଧ୍ୟ ଆସିଥିବା ଜଣାପଡିଛ। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଉପସ୍ଥିତ ରହି ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି। ଆହତ ମାନଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଜିଲାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ଫାର୍ମାସିଷ୍ଟ ମାନଙ୍କୁ ନିୟୋଜିତ କରାଯାଇଛି । ୨୦ଟି ଆମ୍ବୁଲାନ୍ସ, ବସ୍‌ ଓ ଡାକ୍ତରୀ ଟିମ୍‌ ଜିଲା ପ୍ରଶାସନ ପକ୍ଷରୁ ଦୁର୍ଘଟଣାସ୍ଥଳକୁ ପଠା ଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର କହିଛନ୍ତ। ଉପଜିଲାପାଳ ମନୋଜ ପାତ୍ର, ଏସ୍‌ପି ବରୁଣ ଗୁଣ୍ଟୁପାଲି ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି।