ଟ୍ରେନ୍‌-ବସ୍‌ ମୁହାଁମୁହିଁ, ୭ ଛାତ୍ର-୪ ଶିକ୍ଷକ ମୃତ…

ଢାକା, ୩୦।୭ : ବାଂଲାଦେଶର ଚଟଗାଁସ୍ଥିତ ଜଗୁଆଳୀ ବିହୀନ ରେଳ କ୍ରସିଂରେ ଏକ ମିନିବସର ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୭ଜଣ ଛାତ୍ର ଏବଂ ୪ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଢାକା ଟ୍ରିବ୍ୟୁନ ରିପୋର୍ଟ ଅନୁଯାୟୀ, ମିରଶରାଇ ଉପଜିଲାରେ କୋଚିଂ ସେଣ୍ଟରର ଛାତ୍ର ଓ ଶିକ୍ଷକମାନଙ୍କୁ ନେଇ ଏକ ମିନି ବସ ଢାକା ଅଭିମୁଖେ ଯାଉଥିବା ସମୟରେ ଜଗୁଆଳୀ ବିହୀନ ରେଳ କ୍ରସିଂରେ ପ୍ରୋବତି ଏକ୍ସପ୍ରେସ ଟ୍ରେନ ସହିତ ଧକ୍କା ହୋଇଥିଲା।

ମିରଶରାଇ ପୋଲିସ ଷ୍ଟେଶନର ଅଧିକାରୀ (ଓସି) କବୀର ହୁସେନ କହିଛନ୍ତି ଯେ ଏହି ଦୁର୍ଘଟଣାରେ ମିନି ବସ୍‌ ଟି ରେଳ ଟ୍ରାକରେ ଅନେକ ଶହ ମିଟର ଘୋଷାଡ଼ି ହୋଇ ଟାଣି ହୋଇଯାଇଥିଲା। ଏହି ଘଟଣାରେ ବସରେ ବସିଥିବା ୧୧ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି।

ଚଟଗାଁ ଡିଭିଜନାଲ ଅଫିସର ଡେପୁଟି ଡାଇରେକ୍ଟର ଅନିସୁର ରହମାନ କହିଛନ୍ତି ଯେ ମୃତକଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା ଏବଂ ପରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା।

ଆହତମାନଙ୍କୁ ଚଟଗାଁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ବାଂଲାଦେଶ ରେଳ କର୍ତ୍ତୃପକ୍ଷ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହା ବ୍ୟତୀତ ଏହି ଘଟଣାର ତଦନ୍ତ ପାଇଁ ଦୁଇଟି କମିଟି ଗଠନ କରାଯାଇଛି।

ବାଂଲାଦେଶ ରେଳବାଇର ଇଷ୍ଟର୍ଣ୍ଣ ଜୋନ ବିଭାଗୀୟ ପରିବହନ ଅଧିକାରୀ ଅନସାର ଅଲି ଏହି ପାଞ୍ଚ ଜଣିଆ କମିଟିର ନେତୃତ୍ୱ ନେଉଛନ୍ତି।

ଏହା ବ୍ୟତୀତ ଅତିରିକ୍ତ ମୁଖ୍ୟ ଇଞ୍ଜିନିୟର ଅରମାନ ହୁସେନଙ୍କ ନେତୃତ୍ୱରେ ଏକ ଚାରିଜଣିଆ ପ୍ୟାନେଲ ଗଠନ କରାଯାଇଛି।

Share