ମାଲଗାଡ଼ି ଲାଇନଚ୍ୟୁତ, ୬୦ରୁ ଅଧିକ ମୃତ…

କିନ୍‌ଶାସା, ୧୩।୩ : ଆଫ୍ରିକୀୟ ଦେଶ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହେବାରୁ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଲୁଆଲାବା ପ୍ରଦେଶର ଲୁବୁଡି ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ଲୋକମାନେ ମାଲଗାଡ଼ିରେ ବେଆଇନ ଭାବେ ଯାତ୍ରା କରୁଥିଲେ । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଦୁର୍ଘଟଣାରେ ମାଲଗାଡ଼ିର ୭ଟି ବଗି ଲାଇନଚ୍ୟୁତ ହୋଇଛି।

କେବଳ ୭ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଅବଶିଷ୍ଟ ୫୩ରୁ ଅଧିକ ଲୋକଙ୍କ ମୃତଦେହ ଦୁର୍ଘଟଣାସ୍ଥଳରେ ପଡ଼ି ରହିଛି। କଙ୍ଗୋର ପ୍ରାଦେଶିକ ଅଧିକାରୀ ଜିନ-ସର୍ଜ ଲୁମୁ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରେ ଦୁଇ ବର୍ଷର ଜଣେ ଶିଶୁ ମଧ୍ୟ ଅଛନ୍ତି। ତାଙ୍କର ମାତାପିତା ଙ୍କର ଏହି ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବହୁ ଆହତଙ୍କୁ ଲୁବୁଡ଼ି ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମାଲଗାଡ଼ିଟି ମୁନେଡିଟୁ ସହରରୁ ଲୁବୁମ୍ବାଶି ଅଭିମୁଖେ ଯାଉଥିଲା।

ମାଲଗାଡ଼ିରେ ଯାତ୍ରୀ ପରିବହନକୁ ଅନୁମତି ନାହିଁ । ଏଭଳି ପରିସ୍ଥିତିରେ ଏହି ଟ୍ରେନ ଲୋକେ ବେଆଇନ ଭାବେ ଯାତ୍ରା କରୁଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ସାତୋଟି ବଗି ଟ୍ରେନରୁ ଅଲଗା ହୋଇଥିଲା। ବଗି ଭିତରେ ବନ୍ଦ ଥିବା ଲୋକମାନେ ବାହାରକୁ ବାହାରିବାର ସୁଯୋଗ ମଧ୍ୟ ପାଇ ନଥିଲେ।

ଗତ ବର୍ଷ ଅକ୍ଟୋବରରେ, ଲୁଆଲାବା ପ୍ରଦେଶର କେଞ୍ଜେନଞ୍ଜ ସହରରେ ଏକ ଟ୍ରେନ ଲାଇନଚ୍ୟୁତ ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାର କାରଣ ରେଲଓ୍ବେ ଟ୍ରାକର ରକ୍ଷଣାବେକ୍ଷଣରେ ଅଭାବ ବୋଲି କୁହାଯାଇଥିଲା।

Share