ଟ୍ରେନ୍‌ ଯାତ୍ରୀଙ୍କ ପ୍ରବେଶ, ପ୍ରସ୍ଥାନରେ କଟକଣା

ଭୁବନେଶ୍ୱର,୧୩।୪ (ବ୍ୟୁରୋ) :ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଯାତ୍ରୀ ଭିଡର ପ୍ରଭାବଶାଳୀ ପରିଚାଳନା ଓ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ କେବଳ ୧ନମ୍ବର ପ୍ଲାଟ୍‌ଫର୍ମ ମାଧ୍ୟମରେ ଷ୍ଟେଶନକୁ ପ୍ରବେଶ ଅନୁମତି ଦିଆଯାଇଛି। ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ପ୍ରବେଶ ପଥକୁ ଏବେ ପ୍ରସ୍ଥାନ ପାଇଁ ଏବଂ ପ୍ରସ୍ଥାନ ପଥକୁ ପ୍ରବେଶ ପାଇଁ ବ୍ୟବହାର କରାଯାଉଛି। ପ୍ଲାଟଫର୍ମ ଭିତରକୁ ଯିବା ପାଇଁ କେବଳ ଡାହାଣ ପାର୍ଶ୍ୱରୁ ଅନୁମତି ଦିଆଯାଇଛି। ସେହିପରି ପ୍ଲାଟଫର୍ମରୁ ବାହାରକୁ ଯିବାପାଇଁ କେବଳ ବାମ ପାର୍ଶ୍ୱ ରାସ୍ତା ଅନୁମତି ଦିଆଯିବ, ଯାହାକି ଏଟିଏମ୍‌ ପାର୍ଶ୍ୱ କିମ୍ବା ରିଲାଏନ୍ସ ପାର୍ଶ୍ୱରେ ରହିଛି। ଏଟିଏମ୍‌ ପାର୍ଶ୍ୱରେ ଆର୍‌ଟି-ପିସିଆର୍‌ ରିପୋର୍ଟ ଓ ଗେଟ୍‌ ପାସ୍‌ ଯାଞ୍ଚ କରାଯିବା ପରେ ଭିତରକୁ ଅନୁମତି ମିଳୁଛି। ଏହି ପାର୍ଶ୍ୱ ଦେଇ ଯାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। କରୋନା ମହାମାରୀ ସମୟରେ ଭୁବନେଶ୍ୱର ଷ୍ଟେଶନରେ ଯାତ୍ରୀ ପରିଚାଳନାରେ ସହଯୋଗ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

Share