ହାଇସ୍ପିଡ୍‌ ପୁଷ୍ପକ ଏକ୍ସପ୍ରେସ୍‌ର କମ୍ପନରେ ଭୁଶୁଡ଼ି ପଡ଼ିଲା ରେଳ ଷ୍ଟେଶନ…

ଭୋପାଳ,୨୭।୫: ହାଇସ୍ପିଡ୍‌ ପୁଷ୍ପକ ଏକ୍ସପ୍ରେସ୍‌ର ଗତି ଯୋଗୁ ସୃଷ୍ଟି ହୋଇଥିବା କମ୍ପନକୁ ମଧ୍ୟପ୍ରଦେଶର ବୁରହାନ୍‌ପୁରଠାରେ ଥିବା ଚାନ୍ଦନୀ ରେଳ ଷ୍ଟେଶନ ସହି ପାରି ନାହିଁ। କମ୍ପନରେ ରେଳ ଷ୍ଟେଶନ ଭୁଶୁଡ଼ି ପଡ଼ିଛି। ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପୁଷ୍ପକ ଏକ୍ସପ୍ରେସ୍‌ ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ଗତି କରୁଥିଲା। ବୁଧବାର ଅପରାହ୍ନ ୪ ଟାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନେପାନଗର ଏବଂ ଅସିଗଡ଼ ମଧ୍ୟରେ ଜଙ୍ଗଲରେ ଥିବା ଚାନ୍ଦନୀ ଷ୍ଟେଶନ ଅତିକ୍ରମ କରିବା ସମୟରେ ଏଭଳି ହୋଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି। ଷ୍ଟେଶନ ଭୁଶୁଡ଼ି ପଡ଼ିବାରୁ ଆଖପାଖରେ କାମ କରୁଥିବା ଲୋକେ ଭୟରେ ଦୌଡ଼ି ପଳାଇଥିଲେ। ଖବର ପାଇ ଘଟଣାସ୍ଥଳରେ ରେଳ ବିଭାଗ ଉଚ୍ଚ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ମାର୍ଗ ଦେଇ ସମସ୍ତ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଥିଲା। ଷ୍ଟେଶନ ମାଷ୍ଟର ଆଶାରାମ ନାଗବଂଶୀ ଏସମ୍ପର୍କରେ ଫୋନ୍‌ରେ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ଚାନ୍ଦନୀ ଷ୍ଟେଶନ ୧୭ ବର୍ଷ ତଳେ ୨୦୦୪ରେ ନିର୍ମିତ ହୋଇ ଥିଲା।

Share