ନିରାକାରପୁର, ୧୯।୮(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର ଷ୍ଟେଶନରେ ଶନିବାର ଏକ ଦ୍ରୁତଗାମୀ ଟ୍ରେନର ବ୍ରେକ ବାଇଣ୍ଡିଂ ଯୋଗୁ ଚକରୁ ଧୂଆଁ ବାହାରିଥିଲା। ଫଳରେ ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଥିଲା ପୁରୀରୁ ଗାନ୍ଧୀଧାମ ଯାଉଥିବା ଦ୍ରୁତଗାମୀ ଟ୍ରେନରେ। ଟ୍ରେନରେ ବ୍ରେକ ବାଇଣ୍ଡିଂ ହୋଇଥିବା ଜାଣି ଚାଳକ ଟ୍ରେନଟିକୁ ଅଟକାଇ ଥିଲେ। ପରେ ଦାୟିତ୍ୱରେ ଥିବା ସ୍ଥାନୀୟ ଟିପି ଯୋଗେନ୍ଦ୍ର ରଣାଙ୍କ ସମେତ ଟ୍ରେନ ଚାଳକ ଏବଂ ଗାର୍ଡ ଯାନ୍ତ୍ରିକ ତ୍ରୁଟିର ମରାମତି କରିଥିଲେ। ୧୦ ମିନିଟ ବିଳମ୍ବ ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା।