Advertisement

୬ରେ ଦଶପଲ୍ଲାକୁ ଗଡ଼ିବ ରେଳ

ନୟାଗଡ଼/ଦଶପଲ୍ଲା,୪।୧ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଜାନୁଆରୀ ୬ରେ ଦଶପଲ୍ଲା ରେଳ ଷ୍ଟେଶନ ଉଦ୍‌ଘାଟନ ହେବ। ଏଥିପାଇଁ ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ ମନୋଜ ଶର୍ମା ନୟାଗଡ଼ ଜିଲାର ଦଶପଲ୍ଲା ଗସ୍ତ କରିଛନ୍ତି। ମହାପ୍ରବନ୍ଧକ ଭୁବନେଶ୍ୱରରୁ ଦଶପଲ୍ଲାକୁ ରେଳ ଇଞ୍ଜିନରେ ଆସି ଓ୍ବିଣ୍ଡୋ ଟ୍ରେଲିଂ କରିବା ସହ ଟ୍ରାକ୍‌, ଓଏଚ୍‌ଇ, ସିଗନାଲ ଇତ୍ୟାଦି ବ୍ୟବସ୍ଥାର ନିରୀକ୍ଷଣ କ଼ରିଛନ୍ତି। ଅନ୍ୟପକ୍ଷେ ସ୍ବତନ୍ତ୍ର ସ୍ବୟଂ ଚାଳିତ କୋଚ୍‌ରେ ରେଳ ଷ୍ଟେଶନର ଆନୁଷଙ୍ଗିକ ବ୍ୟବସ୍ଥା ସହ ଦଶପଲ୍ଲା ଷ୍ଟେଶନର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କରିଛନ୍ତି। ମୁଖ୍ୟ ପ୍ରବନ୍ଧକଙ୍କ ସହ ଖୋର୍ଦ୍ଧା ଡିଆର୍‌ଏମ୍‌ ଏଚ୍‌.ଏସ୍‌.ବାଜୱା, ରେଳ ବିଭାଗର ଚିଫ୍‌ ଇଞ୍ଜିନିୟର ରାଜନେଶ ମାଥୁର ଆସି ଥିଲେ। ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକଙ୍କ ସୂଚନା ଅନୁସାରେ ଉଦ୍‌ଘାଟନ ପରେ ଦଶପଲ୍ଲାକୁ ୪ ଟ୍ରେନ ଚଳାଚଳ କରିବ। ବଲାଙ୍ଗୀର ପଟୁ ସୋନପୁର ବିଛୁପାଲି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରୁଛି। ବିଛୁପାଲି ଠାରୁ ବୌଦ୍ଧ ଜିଲାର ପୁରୁଣା କଟକ ପର୍ଯ୍ୟନ୍ତ ୭୫ କି.ମି.କୁ ମାର୍ଚ୍ଚ ମାସ ସୁଦ୍ଧା ଟ୍ରେନ ଚଳାଚଳ କରିବ। ସେପଟେ ଦଶପଲ୍ଲା ଷ୍ଟେଶନ ଓ ରେଳପଥ ଠିକ୍‌ ଅଛି ା ଚଳିତ ମାସ ୬ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ଉଦ୍‌ଘାଟନ କରିବେ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share