ରେଳଯାତ୍ରୀଙ୍କୁ ଝଟ୍‌କା: ଜୁଲାଇ ୧୩ରୁ ବିହାର-ଝାଡ଼ଖଣ୍ଡ ମଧ୍ୟରେ ଚାଲିବନି ଏହି ଟ୍ରେନ୍‌

ନୂଆଦିଲ୍ଲୀ,୧୧।୭: ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଚାଲୁଥିବା ୨ଟି ଟ୍ରେନ୍‌ ଜୁଲାଇ ୧୩ରୁ ଆଉ ଚଳାଚଳ କରିବ ନାହିଁ। ପାଟନା-ରାଞ୍ଚି-ପାଟନା ସ୍ପେଶାଲ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଜୁଲାଇ ୧୩ରୁ କେବଳ ପାଟନା ଓ ଗୟା ମଧ୍ୟରେ ଚାଲିବ। ଗୟା ଓ ରାଞ୍ଚି ମଧ୍ୟରେ ଏହି ଚଳାଚଳକୁ ବାତିଲ କରାଯାଇଛି। ସେହିପରି ଟାଟା-ଦାନପୁର ସ୍ପେଶାଲ ଟ୍ରେନ୍‌କୁ ମଧ୍ୟ ବାତିଲ କରାଯାଇଛି। ଦାନପୁରରୁ ଟାଟା ପର୍ଯ୍ୟନ୍ତ ଯାଉଥିବା ଦାନପୁର-ଟାଟା-ଦାନପୁର ସ୍ପେଶାଲ ଟ୍ରେନ୍‌ର ଚଳାଚଳ ଉପରେ ସମ୍ପୂର୍ଣ୍ଣ ଭାବେ ରୋକୋ ଲଗାଯାଇଛି। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନଜରରେ ରଖି ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ପାଟନା-ରାଞ୍ଚି-ପାଟନା ଜନଶତାବ୍ଦୀ ଏକ୍ସପ୍ରେସ୍‌ ଓ ଟାଟା-ଦାନପୁର ଏକ୍ସପ୍ରେସ୍‌ ଟ୍ରେନ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ବିହାରରୁ ଝାଡ଼ଖଣ୍ଡ ପାଇଁ ଏହି ୨ଟି ଟ୍ରେନ୍‌ ହିଁ ଚଳାଚଳ କରୁଥିଲା। ଏତଦ୍‌ ବ୍ୟତୀତ ଗୟା ଜଙ୍କସନ୍‌ ଦେଇ ହାଓ୍ବଡାରୁ ନୂଆଦିଲ୍ଲୀ ମଧ୍ୟରେ ସପ୍ତାହକୁ ୩ଦିନ ଧରି ଚାଲୁଥିବା ସ୍ପେଶାଲ ଏକ୍ସପ୍ରେସ୍‌ ଟ୍ରେନ୍‌ ପରିଚାଳନା ଉପରେ ମଧ୍ୟ ଆଂଶିକ ଭାବେ ରୋକୋ ଲଗାଯାଇଛି। ଏବେ ଏହି ଟ୍ରେନ୍‌ ସପ୍ତାହକୁ ଗୋଟିଏ ଦିନ ଚାଲିବ ବୋଲି ସୂଚନା ରହିଛି।

Share