ସଚେତନତା ସୃଷ୍ଟି ପାଇଁ କର୍ମଚାରୀଙ୍କୁ ଦିଆଯିବ ତାଲିମ

ଭୁବନେଶ୍ୱର,୨।୮: (ସତ୍ୟଜିତ୍‌ ରାଉତ): ହୋଟେଲ ନାଁରେ ସାଇବର ଠକମାନେ ଫେକ୍‌ ୱେବ୍‌ସାଇଟ୍‌ ଖୋଲି ପର୍ଯ୍ୟଟକଙ୍କୁ ଜାଲରେ ଫଶାଉଛନ୍ତି। ଫେକ୍‌ ଓ୍ବେବ୍‌ସାଇଟ୍‌ରେ ପର୍ଯ୍ୟଟକମାନେ ବୁକିଙ୍ଗ କରି ଟଙ୍କା ହରାଉଛନ୍ତି। ଫଳରେ ହୋଟେଲ ମାଲିକ ଓ ପର୍ଯ୍ୟଟକ ସମସ୍ୟାରେ ପଡ଼ୁଛନ୍ତି। ଏଭଳିସ୍ଥିରେ ଏହି ଠକେଇ ରୋକିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ମଙ୍ଗଳବାର ଭୁବନେଶ୍ୱରସ୍ଥିତ ସାଇବର କମ୍ପ୍ଲେକ୍ସରେ ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶା (ହାରୋ) ସହ କ୍ରାଇମବ୍ରାଞ୍ଜ ପକ୍ଷରୁ ବୈଠକ ହୋଇଥିଲା। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ କ୍ରାଇମବ୍ରାଞ୍ଜ ପକ୍ଷରୁ ହୋଟେଲ ଶିଳ୍ପ ନାଁରେ ହେଉଥିବା ସାଇବର ଠକେଇ ରୋକିବାକୁ ବିଭିନ୍ନ ଦିଗ ପ୍ରତି ପରାମର୍ଶ ଦିଆଯାଇଛି। ଠକେଇ ରୋକିବାକୁ ଦୁଇ ପକ୍ଷରୁ ନୋଡାଲ ଅଫିସର ନିଯୁକ୍ତ କରାଯିବ। ହାରୋ ପକ୍ଷରୁ ଦୁଇରୁ ୩ଜଣ ଆଇଟି ବିଶେଷଜ୍ଞ ଓ କ୍ରାଇମବ୍ରାଞ୍ଚର ସାଇବର ଉଇଙ୍ଗ୍‌ ପକ୍ଷରୁ ଜଣେ ନୋଡାଲ ଅଫିସର ରହିବେ। ଏଥିସହ ଏହି ଠକେଇ ଘଟଣାକୁ ପରିଚାଳନା ଓ ପର୍ଯ୍ୟଟକଙ୍କୁ ସହଯୋଗ କରିବାକୁ ହୋଟେଲ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଲିମ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ଜୁଲାଇ ୨୭ ଏବଂ ୩୧ରେ ଓଡ଼ିଶାର ଦୁଇ ଅଗ୍ରଣୀ ହୋଟେଲ ନାଁରେ ସାଇବର ଠକେଇ ଘଟଣାକୁ କେନ୍ଦ୍ର କରି ପୃଥକ ମାମଲା ରୁଜୁ କରାଯାଇଛି। ଏଭଳି ଏକାଧିକ ଠକେଇ ଘଟଣା ମଧ୍ୟ ନଜରକୁ ଆସିଛି। ଅଧିକାଂଶ ପର୍ଯ୍ୟଟକ ଏବେ ଅନିଲାଇନ ଦ୍ୱାରା ହୋଟେଲ ବୁକିଂ କରୁଛନ୍ତି। ସାଇବର ଠକମାନେ ଓଡ଼ିଶାର ହୋଟେଲଗୁଡ଼ିକ ନାଁରେ ଫେକ୍‌ ୱେବ୍‌ସାଇଟ୍‌ ଖୋଲିଛନ୍ତି। ବିଶେଷକରି ଅଧିକ ପର୍ଯ୍ୟଟକ ଆସୁଥିବା ପୁରୀସ୍ଥିତ ହୋଟେଲଗୁଡ଼ିକୁ ସାଇବର ଠକମାନେ ଟାର୍ଗେଟ୍‌ କରୁଛନ୍ତି। ପର୍ଯ୍ୟଟକମାନେ ଉକ୍ତ ୱେବ୍‌ସାଇଟ୍‌କୁ ସତ ବୋଲି ଭାବି ବୁକିଙ୍ଗ୍‌ କରିବା ପରେ ଟଙ୍କା ଜମା କରୁଛନ୍ତି। ପରେ ବୁକିଂ ଭାଉଚର୍‌କୁ ନେଇ ଉକ୍ତ ହୋଟେଲ୍‌କୁ ଯିବା ପରେ ସେମାନେ ଠକେଇର ଶିକାର ହେଉଥିବା ଜାଣିବାକୁ ପାଉଛନ୍ତି। ତେବେ ଅଧିକାଂଶ ଘଟଣାରେ ପର୍ଯ୍ୟଟକମାନେ ଏନେଇ ଥାନାରେ ଏତଲା ଦେଉନାହାନ୍ତି ଫଳରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଷ୍ଟକର ହେଉଛି। ତେଣୁ ଏନେଇ ହୋଟେଲ ମାଲିକ ଓ କର୍ମଚାରୀମାନେ ସଚେତନ ହେବା ସହ ପର୍ଯ୍ୟଟକମାନଙ୍କୁ ସେମାନେ କିପରି ସାହାଯ୍ୟ କରିପାରିବେ ସେନେଇ ବୈଠକରେ ପରାମର୍ଶ ଦିଆଯାଇଥିଲା। ଏହି ଠକେଇ ଘଟଣା ସଂକ୍ରାନ୍ତରେ ପୋଲିସକୁ ଜଣାଇବା ପାଇଁ ମାଲିକମାନଙ୍କୁ ଅନୁରୋଧ କରାଯାଇଛି। ଏହି ବୈଠକରେ ‘ହାରୋ’ର ଅଧ୍ୟକ୍ଷ ଜେ.କେ. ମହାନ୍ତି, ଉପ ଅଧ୍ୟକ୍ଷ ଜୋୱାଥନ୍‌ ରାଉଲ, କାର୍ଯ୍ୟକାରୀ ସଭାପତି ଶ୍ରୀନିବାସ ସୁବୁଧି, କାର୍ଯ୍ୟକାରୀ ସମ୍ପାଦକ କେ.କେ ରାଓ, କୋଷାଧ୍ୟକ୍ଷ ସୁଜିତ କୁମାର ମହାପାତ୍ର, ସଦସ୍ୟ ରବି ନାରାୟଣ ସାହୁ ଓ ସୋମନାଥ ବାନାର୍ଜୀ ଉପସ୍ଥିତ ଥିଲେ। ସେହିପରି କ୍ରାଇମବ୍ରାଞ୍ଚ ଆଇଜିପି ସେଫିନ୍‌ ଅହମ୍ମଦ କେ, ଅତିରିକ୍ତ ଏସ୍‌ପି ଶିସିର ମିଶ୍ର, ଇନ୍‌ସ୍ପେକ୍ଟର ଅନିଲା ଆନନ୍ଦ ମଧ୍ୟ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଏହି ସାଇବର ଠକେଇ ରୋକିବାକୁ ସରକାର ସହଯୋଗ କରିବାକୁ ଆସୋସିଏଶନର ଅଧ୍ୟକ୍ଷ ଗତ ଜୁଲାଇ ୨୪ରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଚିଠି ଲେଖିଥିଲେ।

Share