Categories: ଜାତୀୟ

ତ୍ରମ୍ବକେଶ୍ୱର ମନ୍ଦିର ବିବାଦ: ସଞ୍ଜୟ-ନୀତେଶ ମୁହାଁମୁହିଁ…

ମୁମ୍ବାଇ,୨୩।୫ : ଦ୍ୱାଦଶ ଜ୍ୟୋର୍ତିଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ନାଶିକର ତ୍ରମ୍ବକେଶ୍ୱର ମନ୍ଦିରରେ ଅନ୍ୟ ଧର୍ମର ବ୍ୟକ୍ତିଙ୍କ ପ୍ରବେଶ ଉଦ୍ୟମ ବିବାଦର ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ବିବୃତ୍ତି ପରେ ଭାଜପା ନେତା ତଥା ବିଧାୟକ ନୀତେଶ ରାଣେ ଦାବି କରିଛନ୍ତି ମନ୍ଦିର ପ୍ରବେଶ ଦ୍ୱାରରେ ଚନ୍ଦନ ଉତ୍ସବ ପରେ ସଦସ୍ୟମାନେ ଧୂପ ପ୍ରଥା କରିବା ପରମ୍ପରା ନୁହେଁ। ମନ୍ଦିରରେ ଭଗବାନ ଶିବଙ୍କ ଦର୍ଶନ ଏବଂ ମହା ଆରତୀ ଦର୍ଶନ ପରେ ରାଣେ ଏହି ବିବୃତ୍ତି ଦେଇଛନ୍ତି। ଏହି ପ୍ରସଙ୍ଗରେ ତାଙ୍କର ବିବୃତ୍ତି ସଞ୍ଜ୍ଜୟ ରାଉତଙ୍କ ବିବୃତ୍ତିରେ ପ୍ରତିକ୍ରିୟା ଭାବେ ଆସିଛି ।

ମେ ୧୩ ରେ, ଅନ୍ୟ ଧର୍ମର ଜଣେ ବ୍ୟକ୍ତି ମନ୍ଦିରରେ ଜବରଦସ୍ତ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହା ପରେ ପୋଲିସ ଏ ବାବଦରେ ଏଫଆଇଆର୍‌ ପଞ୍ଜୀକୃତ କରିଥିଲା। ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଥିଲେ। ସେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ପକ୍ଷ ନେଇ କହିଥିଲେ ମନ୍ଦିରରେ କେହି ଜବରଦସ୍ତ ପ୍ରବେଶ କରିନାହାଁନ୍ତି। ମନ୍ଦିରରେ କିଛି ଭୁଲ ହୋଇନାହିଁ, ମୁଁ ଏ ବିଷୟରେ ପଚାରି ବୁଝିଛି। ମନ୍ଦିର ପରିସରରେ ଚନ୍ଦନ ଶୋଭାଯାତ୍ରାରେ ଭଗବାନଙ୍କୁ ଧୂପକାଠି ଦେଖାଇବାର ଏକ ପୁରୁଣା ପରମ୍ପରା ଅଛି। ଏହି ପରମ୍ପରାକୁ ଅନୁସରଣ କରି ଏହି ଶୋଭାଯାତ୍ରାରେ ଜଡିତ ଲୋକମାନେ ମନ୍ଦିର ଦ୍ୱାରରେ ଭଗବାନଙ୍କୁ ଧୂପକାଠି ଦେଖାଇ ଆଗକୁ ଯାଇଥିଲେ।

ମାତ୍ର ନୀତେଶ ସଞ୍ଜୟଙ୍କ ବିବୃତ୍ତିର ବିରୋଧ କରିଛନ୍ତି। ସେ କହିଛନ୍ତି ମୁଁ ମନ୍ଦିରର ଟ୍ରଷ୍ଟିମାନଙ୍କ ସହିତ କଥା ହୋଇଛି। ଏପରିକି ବିଶେଷଜ୍ଞ ଏବଂ ସ୍ଥାନୀୟ ଲୋକ କହିଛନ୍ତି ଏପରି ପରମ୍ପରା ନାହିଁ।

ସେ କହିଛନ୍ତି ୧୩ ମେ ଘଟଣା ପରେ ହିନ୍ଦୁମାନଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। କିଛି ଲୋକ ଭୁଲ ବୁଝାମଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ମନ୍ଦିରକୁ ଆସୁଥିବା ବ୍ୟକ୍ତିଙ୍କୁ ନେଇ ଆମର କୌଣସି ଆପତ୍ତି ନାହିଁ। ଯେକୌଣସି ବ୍ୟକ୍ତି ଏକ ଧାଡିରେ ଠିଆ ହୋଇ ଦେବତାଙ୍କର ଦର୍ଶନ ପାଇପାରିବେ, କିନ୍ତୁ ମେ ୧୩ ରେ ଆସିଥିବା ଯୁବକମାନେ ସବୁଜ ପତାକା ଧରି ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହା ଦର୍ଶାଉଛି ତାଙ୍କର ଉଦ୍ଦେଶ୍ୟ ଭଲ ନ ଥିଲା ।

Share