ମହାକାଳପଡ଼ା,୧ା୧୧ (ଡି.ଏନ୍.ଏ.): ଯାଜପୁର ଜିଲାରୁ ଆସିଥିବା ହାତୀଟି ଉତ୍ପାତ ଚଳାଇଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଗଡ଼ରୋମିତ ପଞ୍ଚାୟତର ସୋବଳାର ଗହୀର ପାଟ ଚାଷ ଜମିରେ ହାତୀଟି ରବିବାର ସକାଳେ ପହଞ୍ଚତ୍ ଥିଲା। ଶେଷରେ ସନ୍ଧ୍ୟାରେ ନନ୍ଦନକାନନର ଟ୍ରାଙ୍କୁଲାଇଜର ବିଶେଷଜ୍ଞ ଟିମ୍ ହାତୀକୁ ଟ୍ରାଙ୍କୁଲାଇଜ କରିଛନ୍ତି।
ମହାକାଳପଡ଼ା ବ୍ଲକ ଅଞ୍ଚଳର ସୋବଳାରେ ହାତୀ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହେବା ସହ ବନ ବିଭାଗକୁ ଖବର ଦେଇଥିଲେ। ହାତୀକୁ ଦେଖିବାକୁ ଲୋକମାନେ ଜମା ହୋଇଥିଲେ। ଜମ୍ବୁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ବାଣ ଫୁଟାଇ ହାତୀ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଫଳରେ ହାତୀଟି ଗହୀର ମଧ୍ୟରେ ସ୍ଥିର ହୋଇ ରହିଥିଲା। ମାର୍ଶାଘାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଖବରପାଇ ରାଜନଗର ଡିଏଫ୍ଓ ଡ. ଯଜ୍ଞଦତ୍ତ ପତି, କଟକ ଡିଏଫ୍ଓ ସଞ୍ଜୟ କୁମାର ସ୍ବାଇଁ, ଏସିଏଫ୍ ଅଧୀର କୁମାର ବେହେରା, ଫରେଷ୍ଟର ବୈକୁଣ୍ଠ ବେହେରା, ଜମ୍ବୁ ବନାଞ୍ଚଳ ଅଧିକାରୀ ସାହାଜୀ ଚରଣ ବିଶ୍ୱାଳ, ବନ ବିଭାଗ କର୍ମଚାରୀ ପହଞ୍ଚତ୍ଥିଲେ। ରାଜନଗର ଡିଏଫ୍ଓ ପତିଙ୍କଠାରୁ ଖବରପାଇ ଭୁବନେଶ୍ୱର ନନ୍ଦନକାନନରୁ ହାତୀ ବିଶେଷଜ୍ଞ ଟିମ୍ ଓ ମାହୁନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରଥମେ ସ୍ଥିତି ଅନୁଧ୍ୟାନ କରିଥିଲେ। ସନ୍ଧ୍ୟାରେ ଚାଷ ଜମିରେ ଟ୍ରାଙ୍କୁଲାଇଜର ବିଶେଷଜ୍ଞ ରାମଚନ୍ଦ୍ର କାଣ୍ଡି ହାତୀକୁ ଟ୍ରାଙ୍କୁଲାଇଜ କରିଥିଲେ। ପରେ ନନ୍ଦନକାନନରୁ ଆସିଥିବା ମାହୁନ୍ତ ଚେନ ଦ୍ୱାରା ହାତୀ ଗୋଡକୁ ବାନ୍ଧି ଥିଲେ। ଜମିରେ ଏକ ଖୁମ୍ବ ପୋତି ହାତୀକୁ ସେଥିରେ ବନ୍ଧା ଯାଇଥିଲା। ଚାଷ ଜମିରୁ ହାତୀକୁ ସୋମବାର ସକାଳେ ଆଣି କଟକ କିମ୍ବା ନନ୍ଦନକାନନ ନେବାକୁ ଯୋଜନା ଚାଲିଥିବା ଜମ୍ବୁ ବନାଞ୍ଚଳ ଅଧିକାରୀ ବିଶ୍ୱାଳ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଯାଜପୁର ଅଞ୍ଚଳରୁ ଆସିଥିବା ହାତୀଟି କେନ୍ଦ୍ରାପଡ଼ା ଜିଲାର ଡେରାବିଶ, କଟକ ଜିଲା ନିଶ୍ଚିନ୍ତକୋଇଲି, ଜଗତ୍ସିଂହପୁର ଜିଲା ରଘୁନାଥପୁର, ତିର୍ତ୍ତୋଲ, ଏରସମା ଅଞ୍ଚଳରେ ବୁଲୁଥିଲା। ଏଥିମଧ୍ୟରେ ଚାଷ ଜମିରେ ବହୁ ଧାନ ଫସଲ ହାତୀ ନଷ୍ଟ କରିଥିଲା। ନିଶ୍ଚିନ୍ତକୋଇଲି କଟିକଟା ଅଞ୍ଚଳର ଜଣେ ବୃଦ୍ଧଙ୍କୁ ଗତ ବୁଧବାର ହାତୀ କଚାଡି ମାରିଥିଲା। ହାତୀ ଆକ୍ରମଣରେ ନିଶ୍ଚିନ୍ତକୋଇଲିର ୨ ଜଣ, ତିର୍ତ୍ତୋଲ ଅଞ୍ଚଳର ୨ ଜଣ ଆହତ ହୋଇଥିଲେ।