ଭାଲଚନ୍ଦ୍ର ଷଡ଼ଙ୍ଗୀ
ନିକଟରେ କେନ୍ଦ୍ର ସରକାର ଦେଶର ପ୍ରମୁଖ କ୍ଷେତ୍ରର ସରକାରୀ ସମ୍ପତ୍ତିଗୁଡ଼ିକୁ ୬ ଲକ୍ଷ କୋଟି ଟଙ୍କା ବିନିମୟରେ ଘରୋଇ କମ୍ପାନୀଙ୍କୁ ହସ୍ତାନ୍ତର କରିବାକୁ ଘୋଷଣା କରିଛନ୍ତି। ଦୀର୍ଘକାଳିନ ସୂତ୍ରରେ ସେସବୁ ସମ୍ପତ୍ତିକୁ ଲିଜ୍ରେ ଦିଆଯାଉଥିଲେ ମଧ୍ୟ ସେସବୁର ମାଲିକାନା ଯେହେତୁ ହସ୍ତାନ୍ତର ନ ହୋଇ ସରକାରଙ୍କ ପାଖରେ ରହିବ, ତେଣୁ ତାକୁ ଘରୋଇକରଣ ବା ବିକ୍ରି ବଦଳରେ ସରକାର ମୁଦ୍ରୀକରଣ ବୋଲି କହିଛନ୍ତି। ଏହି କ୍ରମରେ ଏକ ଜାତୀୟ ମୁଦ୍ରୀକରଣ ପାଇପ୍ଲାଇନ୍ ଘୋଷଣା କରିଛନ୍ତି। ସରକାରଙ୍କ ମାଲିକାନାରେ ରହିଥିବା ଦେଶର ଜାତୀୟ ରାଜପଥ, ରେଳଲାଇନ୍, ରେଳଷ୍ଟେସନ୍, ମୋବାଇଲ ଟାୱାର, ଅପ୍ଟିକ୍ ଫାଇବର୍ ଲାଇନ୍, ଗ୍ୟାସ୍ ପାଇପ୍ଲାଇନ୍, ବନ୍ଦର, ବିମାନବନ୍ଦର, ବିଶାଳକାୟ ଭଣ୍ଡାରଗୃହକୁ ଭଲ ପରିଚାଳନା କରିବା ନଁାରେ ଦେଶୀ ବିଦେଶୀ ବୃହତ୍ କମ୍ପାନୀଙ୍କ ହାତକୁ ଟେକିଦେବାକୁ ଯାଉଛନ୍ତି। ତେବେ ସରକାରଙ୍କ ଭାଷା ଯାହା ବି ହେଉନା କାହିଁକି, ମୁଦ୍ରୀକରଣ ନାଁରେ ଦୀର୍ଘକାଳିନ ଲିଜ୍ରେ ଘରୋଇ କମ୍ପାନୀଙ୍କ ହାତରେ ଟେକି ଦିଆଯାଉଥିବା ଏହି ପଦକ୍ଷେପ ଯେ ସରକାରୀ ସମ୍ପତ୍ତିର ଏକରକମ ବିକ୍ରି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ଦେଶରେ ସରକାରୀ ସମ୍ପତ୍ତିର ଘରୋଇକରଣ ବା ବିକ୍ରି କୌଣସି ନୂଆ ନୁହେଁ। ଉଦାରୀକରଣ ଅର୍ଥନୀତି ପରେ କ୍ରମାନ୍ବୟରେ ସବୁ ସରକାର ସରକାରୀ ସମ୍ପତ୍ତିର ଅଳ୍ପ ବହୁତ ବିକ୍ରି କରି ଆସିଛନ୍ତି। ତେବେ ଅତୀତରେ କ୍ଷତିରେ ଚାଲିଥିବା ସଂସ୍ଥା ଓ ଶିଳ୍ପକୁ ବିକ୍ରି କରିଥିବା ବେଳେ ବର୍ତ୍ତମାନର ସରକାର ଲାଭଜନକ ସଂସ୍ଥାଗୁଡ଼ିକୁ ବିକ୍ରି କରିବା ଦେଖାଯାଇଛି। ଗତ ୨୦୨୧-୨୨ ବଜେଟରେ ରାଜକୋଷୀୟ ନିଅଣ୍ଟକୁ ଭରଣା କରିବା ପାଇଁ ସରକାର ୧.୭୫ ଲକ୍ଷ କୋଟିର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ କରିବା ସହ ମୁଦ୍ରୀକରଣ କଥା କହିଥିଲେ। ଚଳିତ ବର୍ଷ ଫେବୃୟାରୀ ୨୪ରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସରକାର ନିଜେ କୌଣସି ଶିଳ୍ପ ବା ସଂସ୍ଥାର ମାଲିକ ରହି ତାକୁ ଚଳାଇବେ, ତାହା ଆଜିର ଯୁଗରେ ନା ସମ୍ଭବ ନା ଆବଶ୍ୟକ ବୋଲି କହି ସରକାରୀ ସମ୍ପତ୍ତିର ଘରୋଇକରଣ ଓ ମୁଦ୍ରୀକରଣ ପାଇଁ ଦୃଢ଼ ଯୁକ୍ତି ଉପସ୍ଥାପନ କରିବା ଦେଖାଯାଇଛି।
ମୁଦ୍ରୀକରଣ ଯୋଜନାରେ ସରକାର ଆଗାମୀ ତିନି ବର୍ଷରେ ଅର୍ଥାତ୍ ନିଜର ଅବଶିଷ୍ଟ କାର୍ଯ୍ୟକାଳ ମଧ୍ୟରେ ଘରୋଇ କମ୍ପାନୀଙ୍କୁ ସରକାରୀ ସମ୍ପତ୍ତିର ହସ୍ତାନ୍ତର ବଦଳରେ ମୋଟ ୬ ଲକ୍ଷ କୋଟି ଟଙ୍କା ପାଇବାର ଲକ୍ଷ୍ୟ ରଖିଛନ୍ତି। ସେଗୁଡ଼ିକ ମଧ୍ୟରେ ଦେଶର ୨୬,୭୦୦ କି.ମି. ଜାତୀୟ ରାଜପଥ, ରେଳବାଇ ଅଧୀନରେ ରହିଥିବା ୧୫୦ ରେଳଗାଡ଼ି, ୬୦ ରେଳଷ୍ଟେସନ୍ ଏବଂ ୨୫୬ ଗୁଡ୍ସ ଶେଡ୍, ୧୫ଟି ରେଳ ଷ୍ଟାଡିୟମ୍ ଏବଂ ୪ ପାର୍ବତୀୟ ରେଳ, କୋଙ୍କଣ ରେଳବାଇର ୭୪୧ କି.ମି. ରେଳପଥ ତଥା ରେଳ ମାଲ କରିଡରର ୬୭୪ କି.ମି. ରେଳପଥ ରହିଛି। ସେହିପରି ଦେଶରେ ଶକ୍ତି ଉପତ୍ାଦନ ଓ ପରିବହନ କରୁଥିବା ଏନ୍ଏଚ୍ପିସି, ଏନ୍ଟିପିସି ଆଦି ସରକାରୀ କମ୍ପାନୀର ତାପଜ, ବାୟୁ ଓ ସୌରଶକ୍ତିର ୫,୦୦୦ ମେଗାୱାଟ୍ ବିଦ୍ୟୁତ୍ ଉପତ୍ାଦନ କ୍ଷମତାକୁ ଘରୋଇ କମ୍ପାନୀଙ୍କୁ ଦେଇ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଏବଂ ବିଏସ୍ଏନ୍ଏଲ୍ର ୧୪,୯୧୭ ମୋବାଇଲ ଟାୱାର ଓ ୨.୮୬ ଲକ୍ଷ କି.ମି. ଦୀର୍ଘ ଫାଇବର ଲାଇନ୍କୁ ଘରୋଇ କମ୍ପାନୀଙ୍କୁ ଦେଇ ୩୫,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଚାହୁଁଛନ୍ତି। ଏହାବ୍ୟତୀତ ୧୬୦ଟି କୋଇଲା ଖଣି ଅନ୍ତର୍ଗତ ୭୬୧ ବ୍ଲକ୍ର ଲିଜ୍ ବାବଦରେ ୨୮,୭୪୭ କୋଟି, ୨୫ଟି ବିମାନବନ୍ଦରରୁ ୨୧ ହଜାର କୋଟି, ପ୍ରାକୃତିକ ଗ୍ୟାସ୍ ସରବରାହରୁ ୩୯.୮୩ ହଜାର କୋଟି ଟଙ୍କା ସଂଗ୍ରହ କରାଯିବ ବୋଲି କହିଛନ୍ତି। ପୁନଶ୍ଚ ପ୍ରକାଶ କରିଛନ୍ତି ଯେ, ପ୍ରାଥମିକ ଭାବେ ଏସବୁକୁ ୪ ବର୍ଷ ଏବଂ ପରବର୍ତ୍ତୀ ଅବସ୍ଥାରେ ପୁନଶ୍ଚ ମୁଦ୍ରୀକରଣ ଜରିଆରେ ୩୦ରୁ ୪୦ ବର୍ଷ ପାଇଁ ଦିଆଯିବ । ମୋଦି ସରକାର ଅମଳରେ ମୁଦ୍ରୀକରଣ ପଦକ୍ଷେପ ଅର୍ଥନୀତିର ଭୟଙ୍କର ସ୍ଥିତିକୁ ଉଜାଗର କରୁଛି। ସରକାର ଦେଶୀ ବିଦେଶୀ କର୍ପୋରେଟ୍ମାନଙ୍କ ପାଇଁ କେତେ ଅଙ୍ଗୀକାରବଦ୍ଧ, ତାହା ଏହି ଯୋଜନାରୁ ସ୍ପଷ୍ଟ ହୋଇଯାଉଛି। ଅତୀତରେ ବିମୁଦ୍ରୀକରଣ ଓ ଜିଏସ୍ଟି ପରି ବିନାଶକାରୀ ପଦକ୍ଷେପ, ଦେଶର ଅର୍ଥନୀତିକୁ ଭୟଙ୍କର କ୍ଷତି ପହଞ୍ଚାଇଥିବା ବେଳେ ମୁଦ୍ରୀକରଣ ଯୋଜନା ଆଉ ଏକ ଶକ୍ତ ଧକ୍କା ହେବାକୁ ଯାଉଛି।
ସରକାରୀ ସଂସ୍ଥା ଓ କାରଖାନାର କାର୍ଯ୍ୟଦକ୍ଷତାକୁ ବଢ଼ାଇବା ନଁାରେ ସରକାର ସେସବୁର ଘରୋଇକରଣ ଓ ମୁଦ୍ରୀକରଣ ପାଇଁ ଯୁକ୍ତି ରଖିଛନ୍ତି। ତେବେ କାର୍ଯ୍ୟଦକ୍ଷତା ଲାଗି ସରକାରୀ ସଂସ୍ଥାମାନଙ୍କ କ୍ଷତି ହେଉଛି ଏବଂ ଘରୋଇ କମ୍ପାନୀ ହାତକୁ ଗଲେ କାର୍ଯ୍ୟଦକ୍ଷତା ବଢ଼ିଯିବାର ଯୁକ୍ତିଟି ଭ୍ରମାତ୍ମାକ ମନେହୁଏ। କହିବାକୁ ଗଲେ, ଦେଶର ଲାଭଜନକ ସରକାରୀ ସଂସ୍ଥା ଓ ଶିଳ୍ପଗୁଡ଼ିକର ଅଧୋଗତି ପାଇଁ ସେମାନଙ୍କ କାର୍ଯ୍ୟଦକ୍ଷତା ନୁହେଁ ବରଂ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ହିଁ ଦାୟୀ। ସେସବୁକୁ ଅଧିକ ଶକ୍ତିଶାଳୀ କରିବା ପରିବର୍ତ୍ତେ, ସରକାରରେ ଥିବା ଲୋକେ ଘରୋଇ କମ୍ପାନୀଙ୍କ ସ୍ବାର୍ଥରେ ତାକୁ ଜାଣିଶୁଣି ଦୁର୍ବଳ କରିବା ସହ ଲୁଟିଛନ୍ତି।
ଦେଶରେ ଭିତ୍ତିଭୂମିର ବିକାଶ ପାଇଁ ମୁଦ୍ରୀକରଣ ଯୋଜନା ଜରୁରୀ ବୋଲି ଅର୍ଥମନ୍ତ୍ରୀ ଓ ନୀତି ଆୟୋଗ କହିଛନ୍ତି। କିନ୍ତୁ ମୁଦ୍ରୀକରଣ ଜରିଆରେ ସରକାର ଯେଉଁ ଟଙ୍କା ପାଇବେ, ତାହା କୌଣସି ନୂଆ ସମ୍ପତ୍ତି ସୃଷ୍ଟି କରିବାରେ କିମ୍ବା ସରକାରୀ ଉଦ୍ୟୋଗର ବିକାଶ ପାଇଁ ବିନିଯୋଗ ହେବନି। ବରଂ ସରକାର ନିଜର ବଜେଟ ନିଅଣ୍ଟକୁ ଭରଣା କରିବା ପାଇଁ ତାକୁ ବିନିଯୋଗ କରିବେ। ସରକାରଙ୍କ ନିତିଦିନିଆ ଖର୍ଚ୍ଚ ପାଇଁ ଦେଶର ଭବିଷ୍ୟତ ଆୟର ଲାଭଜନକ ସ୍ରୋତକୁ ସବୁଦିନ ପାଇଁ ହରାଇବାକୁ ଯାଉଛେ।
ଦେଶରେ ସରକାରୀ କ୍ଷେତ୍ର ସହିତ ଘରୋଇ କ୍ଷେତ୍ରରେ ପୁଞ୍ଜିନିବେଶ ହ୍ରାସ ପାଇବା ଦେଶର ଅର୍ଥନୀତି ପାଇଁ ଏହା ଏକ ସମସ୍ୟା ରୂପେ ମୁଣ୍ଡ ଟେକିଛି। ଘରୋଇ କମ୍ପାନୀଗୁଡ଼ିକ ପୁଞ୍ଜି ନିବେଶ କରି ନୂଆ ନୂଆ ଶିଳ୍ପ କରୁ ନ ଥିବା ଯୋଗୁ ଦେଶରେ ରୋଜଗାର ଓ କାରବାର ସଙ୍କୁଚିତ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଘରୋଇ କମ୍ପାନୀଗୁଡ଼ିକ ନୂଆ ନୂଆ ଶିଳ୍ପରେ ପୁଞ୍ଜି ନିବେଶ ନ କରି ସରକାରୀ ଶିଳ୍ପ ଓ ସଂସ୍ଥାକୁ ଯଦି ଲିଜ୍ ସୂତ୍ରରେ ନେବେ ତାହେଲେ ନୂଆ ଶିଳ୍ପ କିମ୍ବା ଭିତ୍ତିଭୂମି ବିକାଶର ସମ୍ଭାବନା ରହିବନି। ଅନ୍ୟପଟେ ସରକାର ନିଜ ସମ୍ପତ୍ତିକୁ ଘରୋଇ ହାତରେ ହସ୍ତାନ୍ତର କଲେ ସେସବୁରେ ପୂର୍ବରୁ ହେଉଥିବା ସରକାରୀ ପୁଞ୍ଜି ନିବେଶ ଆହୁରି କମିଯିବ। ଅତଏବ ମୁଦ୍ରୀକରଣର ପ୍ରକ୍ରିୟାରେ କୌଣସି ନୂଆ ପୁଞ୍ଜି ନିବେଶ ହେଉ ନ ଥିବାରୁ ତାହା ଅର୍ଥ ବ୍ୟବସ୍ଥାକୁ ଚଳଚଞ୍ଚଳ କରିବାର କୌଣସି ସମ୍ଭାବନା ନାହିଁ।
ମୋଦି ସରକାରଙ୍କ ସାତବର୍ଷର ଶାସନକାଳରେ ସବୁ କମ୍ପାନୀଙ୍କ ବଦଳରେ କେବଳ ଅମ୍ବାନୀ ଓ ଆଦାନୀଙ୍କ କମ୍ପାନୀ ପରି କିଛି ହାତଗଣତି କମ୍ପାନୀଙ୍କ ହିଁ ବିକାଶ ହୋଇଛି। ବର୍ତ୍ତମାନର ମୁଦ୍ରୀକରଣର ନିଷ୍ପତ୍ତି ପଛରେ ବଡ଼ କାରଣ ହେଉଛି, ସେସବୁ କ୍ଷେତ୍ରରେ କାର୍ଯ୍ୟରତ ବଡ଼ କମ୍ପାନୀମାନଙ୍କ ଏକଚାଟିଆ ଆଧିପତ୍ୟ ପାଇଁ ରାସ୍ତା ପରିଷ୍କାର କରିବା। ମୁଦ୍ରୀକରଣ ଯୋଜନାରେ ହସ୍ତାନ୍ତରିତ ହେବାକୁ ଯାଉଥିବା ବନ୍ଦର, ବିମାନ ବନ୍ଦରଠାରୁ ଆରମ୍ଭ କରି ଟେଲିକମ୍, ପ୍ରାକୃତିକ ଗ୍ୟାସ୍ ଉପତ୍ାଦନ ପର୍ଯ୍ୟନ୍ତ କ୍ଷେତ୍ରଗୁଡ଼ିକରେ ଦେଶର କେଉଁ କେଉଁ କମ୍ପାନୀଙ୍କ ବୃହତ୍ କାରବାର ରହିଛି, ତାହା ସମସ୍ତେ ଜାଣନ୍ତି। ପୂର୍ବରୁ ସେମାନେ ନିଜ କମ୍ପାନୀର ବ୍ୟବସାୟିକ ସ୍ବାର୍ଥରେ ସରକାର ଉପରେ ଚାପ ପକାଇ ସରକାରୀ କମ୍ପାନୀଗୁଡ଼ିକୁ ଦୁର୍ବଳ କରୁଥିବା ବେଳେ ବର୍ତ୍ତମାନ ସେଗୁଡ଼ିକ ନିଜ ମାଲିକାନାକୁ ଚାଲିଆସିବା ଫଳରେ ଏକ୍ଷେତ୍ରରେ ଯାହା ବି ପ୍ରତିବନ୍ଧକ ଥିଲା ଦୂରହେବ। ସେମାନେ ସରକାରୀ କମ୍ପାନୀଗୁଡ଼ିକୁ ନାମମାତ୍ର ମୂଲ୍ୟରେ ଲିଜ୍ରେ ନେଇ ତାକୁ ନିଜ କମ୍ପାନୀର ମୁନାଫା ଓ ଏକାଧିକାରକୁ ବଢ଼େଇବାକୁ ହିଁ ଉଦ୍ୟମ କରିବେ। ଥରେ କର୍ପୋରେଟ୍ଙ୍କ ହାତକୁ ଗଲେ ସେସବୁ ସରକାରୀ କମ୍ପାନୀରେ କାର୍ଯ୍ୟରତ ଲକ୍ଷ ଲକ୍ଷ କର୍ମଚାରୀଙ୍କ ରୋଜଗାର ଓ ଅଧିକାର ଉପରେ ଆକ୍ରମଣ ହେବା ସ୍ବାଭାବିକ।
ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର କହି ଆସିଛନ୍ତି ଯେ, ଗତ ସତୁରି ବର୍ଷ ମଧ୍ୟରେ ଦେଶରେ କୌଣସି ସରକାର କିଛି କରିନାହାନ୍ତି। କିନ୍ତୁ ବାସ୍ତବତା ହେଉଛି, ଦେଶରେ ଆଜି ଯେଉଁ ସରକାରୀ ସମ୍ପତ୍ତି ରହିଛି ତାହା ଗତ ସାତ ବର୍ଷରେ ନୁହେଁ ବରଂ ସତୁରି ବର୍ଷରେ ହିଁ ସୃଷ୍ଟି ହୋଇଛି। ପରିତାପର ବିଷୟ, ସତୁରି ବର୍ଷ ମଧ୍ୟରେ ଅନ୍ୟ ସରକାରମାନଙ୍କ ଦ୍ୱାରା ନିର୍ମିତ ଏହି ସମ୍ପତ୍ତିକୁ ଏବେ ତାଙ୍କ ସରକାର ବିକ୍ରି କରି ନିଜର ଖର୍ଚ୍ଚ ଚଳାଇବାକୁ ଯାଉଛି। ସ୍ବାଧୀନତା ପରେ ଯେତେବେଳେ ଭିତ୍ତିଭୂମି ଓ ଭାରୀଶିଳ୍ପ କ୍ଷେତ୍ରରେ ଘରୋଇ କମ୍ପାନୀଗୁଡ଼ିକ ପୁଞ୍ଜି ନିବେଶ କରିବାକୁ ପ୍ରସ୍ତୁତ ନ ଥିଲେ, ସେତେବେଳେ ଲୋକଙ୍କ ଟିକସ ଲବ୍ଧ ଅର୍ଥରେ ଏସବୁ ଉଦ୍ୟୋଗ ତିଆରି କରାଯାଇଥିଲା। ଦେଶର ଅର୍ଥନୈତିକ ବିକାଶ, ରୋଜଗାର ପ୍ରଦାନ ସହ ସାଧାରଣ ଜନତାଙ୍କୁ ଶସ୍ତାରେ ସେବା ଯୋଗାଇବାରେ ଏସବୁ ସରକାରୀ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଅତଏବ ସରକାର ପୁଞ୍ଜିପତିଙ୍କ ସ୍ବାର୍ଥରେ ଏଭଳି ସୁନାଅଣ୍ଡାଦିଆ କୁକୁଡ଼ାକୁ ମାରିଦେଇ ଦେଶର ଅପୂରଣୀୟ କ୍ଷତି କରିବାକୁ ଯାଉଛନ୍ତି।
ମୋ: ୯୪୩୭୧୬୬୩୯୧
bhalachandra.odisha@gmail.com