ନୀଳଗିରି ଆଇଆଇସି, ଆଇଓଙ୍କ ବଦଳି

ସଜନାଗଡ଼,୯।୪(ଡି.ଏନ.ଏ.): ସାମାନ୍ୟ ଘଟଣାକୁ କେନ୍ଦ୍ର କରି ନୀଳଗିରି ପୋଲିସ ଆକ୍ରୋଶମୂଳକ ଭାବେ ମେଡିକାଲରେ ଚିକିତ୍ସାଧୀନ ଜଣେ ଖବରଦାତାଙ୍କ ଗୋଡ଼ରେ ଦାଗୀ ଅପରାଧୀଙ୍କ ଭଳି ବେଡ଼ି ପକାଇବା ଘଟଣାରେ ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଥିବା କନଷ୍ଟେବଳଙ୍କୁ ନିଲମ୍ବନ କରାଯିବା ସହ ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସ ଓ ସେହି ମାମଲାର ତଦନ୍ତକାରୀ ଅଧିକାରୀ (ଆଇଓ) ସୁବର୍ଣ୍ଣ ବେହେରାଙ୍କୁ ବଦଳି କରାଯାଇଛି। ଏହି ମାମଲାକୁ ନେଇ ରାଜ୍ୟ ମାନବାଧିକାର କମିଶନ ଶୁକ୍ରବାର ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ଭିତରେ ରିପୋର୍ଟ ଦେବା ଲାଗି କମିଶନ ପୂର୍ବାଞ୍ଚଳ ଆଇଜି ନରସିଂହ ଭୋଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶୁକ୍ରବାର ହ୍ୟୁମାନ ରାଇଟ ବାଲେଶ୍ୱର ଜିଲା ଶାଖା ସଭାପତି ଡା. ଜିତେନ୍ଦ୍ର ମହାରଣା ନୀଳଗିରିରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ପରେ ସେ ଥାନାରେ ପହଞ୍ଚତ୍ ତଥ୍ୟ ସଂଗ୍ରହ କରିନେଇଛନ୍ତି। ତଦନ୍ତ ବେଳେ ଆଇଆଇସି ସହଯୋଗ କରି ନ ଥିବା ସେ ଉପସ୍ଥିତ ଖବରଦାତାମାନଙ୍କୁ ସୂଚନା ଦେଇଥିଲେ। ଏଭଳି ଅମାନୁଷିକ କାର୍ଯ୍ୟକୁ ହ୍ୟୁମାନ ରାଇଟ ବାଲେଶ୍ୱର ଜିଲା ଶାଖା ସଭାପତି ସମାଲୋଚନା କରିବା ସହ ଦରକାର ପଡ଼ିଲେ ସଂସ୍ଥା ପୋଲିସ ବିରୋଧରେ ମାମଲା ରୁଜୁ କରିବ ବୋଲି ଚେତାଇ ଦେଇଛନ୍ତି। ନୀଳଗିରିର ଦୁଇ ଓକିଲ ସଂଘ ଘଟଣାକୁ ନିନ୍ଦା କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କଠାରେ ଦାବି କରିଛନ୍ତି। ନୀଳଗିରି ଉପଖଣ୍ଡର ସମସ୍ତ ଖବରଦାତା ଏକାଠି ହୋଇ ନୀଳଗିରି ଉପ-ଜିଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ପୋଲିସ ଡିଜି, ମାନବାଧିକାର କମିଶନରଙ୍କୁ ପଠାଇଛନ୍ତି।
Share