Categories: ବାଣିଜ୍ୟ

ଓଡ଼ିଶା ରିୟଲ ଇଷ୍ଟେଟ କ୍ଷେତ୍ରରେ ରୂପାନ୍ତରଣ

ଭୁବନେଶ୍ୱର,୨୮।୮ (ଅଭୟ ଦାଶ): ରିୟଲଟର୍ସ ଆସୋସିଏଶନ ଅଫ ଓଡ଼ିଶା ବା ଓଆରଏ ଏବଂ ଏନ୍‌ଏଆର ଇଣ୍ଡିଆର ମିଳିତ ସହଯୋଗରେ ଏକ ଅଭିନବ କର୍ମଶାଳା ‘ଇନୋଭେଟ ଆରଇ ୨୦୨୩’ ନିକଟରେ ଆୟୋଜିତ ହୋଇଯାଇଛି। ବିଶେଷ କରି ଏହି ରିୟଲ ଇଷ୍ଟେଟ କର୍ମଶାଳା ଅନେକ ଶିଳ୍ପବିଶେଷଜ୍ଞଙ୍କୁ ନେଇ ଶିଳ୍ପର ଆଗାମୀ ସୁଯୋଗଗୁଡ଼ିକୁ ଅନୁସନ୍ଧାନ କରିବା ପାଇଁ ଏକ ଦିନିକିଆ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏପରିକି ଉକ୍ତ କର୍ମଶାଳାରେ ପାରମ୍ପରିକ ରିୟଲ ଇଷ୍ଟେଟ ମାନଦଣ୍ଡକୁ ଚ୍ୟାଲେଞ୍ଜ କରୁଥିବା ଏକ ଅଗ୍ରଣୀ ପ୍ରଦର୍ଶନୀ ଥିଲା ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ଫଳରେ ଏହା ଓଡ଼ିଶାର ରିୟଲ ଇଷ୍ଟେଟ ଲ୍ୟାଣ୍ଡ ସ୍କେପର ବିବିଧକରଣ ଏବଂ ନୂତନତ୍ୱର ଏକ ନୂଆ ଯୁଗ ପ୍ରଦର୍ଶନ କରିଥିଲା। ସେହିଭଳି ଓଡ଼ିଶାର ଅଗ୍ରଣୀ ରିୟଲିଟି କ୍ଷେତ୍ର ଉପରେ ଧ୍ୟାନ ଦେଇ ଉକ୍ତ ପ୍ରଦର୍ଶନୀରେ ରିୟଲ ଇଷ୍ଟେଟରେ ନିବେଶ ଓ ବିକାଶ ଲାଗି ଏକ ପ୍ରମୁଖ ବଜାର ଭାବେ ରାଜ୍ୟର ବିକଶିତ ଆଭିମୁଖ୍ୟକୁ ବିସ୍ତୃତ ଭାବେ ଆଲୋକିତ କରାଯାଇଛି। ସେହିପରି ଘରୋଇ ଜମି (ରେସିଡେନସିଆଲ ପ୍ରପର୍ଟି) ପାଇଁ ବଢୁଥିବା ଚାହିଦା ପୃଷ୍ଠଭୂମି ମଧ୍ୟରେ ରିୟଲ ଇଷ୍ଟେଟ ଅଫରଗୁଡ଼ିକର ସଂପ୍ରସାରଣ, ବାଣିଜି୍ୟକ ସ୍ଥାନ, ଆତିଥ୍ୟ, ଲଜିଷ୍ଟିକ ପାର୍କ, ରିଟେଲ, ଗୋଦାମ ଘର, ଆଇଟି ପାର୍କ, ଡାଟା ସେଣ୍ଟର ଓ ଅନ୍ୟାନ୍ୟ ସ୍ଥାନ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ଉକ୍ତ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲା। ଏ ସମ୍ପର୍କରେ ଏନଏଆର-ଇଣ୍ଡିଆର ଉପସଭାପତି ସନ୍ତୋଷ ଅଭଲାକି କହିଥିଲେ, ଭାରତରେ ଦ୍ରୁତ ପରିବର୍ତ୍ତନ ଧାରା ଜାରି ରହିଥିଲାବେଳେ ଭୁବନେଶ୍ୱରରେ ମଧ୍ୟ ଇନୋଭେଟ ଆରଇର ଗୁରୁତ୍ୱ ବୃଦ୍ଧି ପାଇଛି।

ବିଗତ ବର୍ଷ ଗୁଡ଼ିକରେ ରିୟଲ ଇଷ୍ଟେଟ ମାର୍କେଟର ଦ୍ରୁତ ଅଭିବୃଦ୍ଧି ଏହାର ପ୍ରମାଣ ବୋଲି ସେ ମତପ୍ରକାଶ କରିଛନ୍ତି। ସେହଭଳି ଓଆରଏର ସଭାପତି ଶେଖ ମିରାଜୁଲ ହକ କହିଛନ୍ତି, ସ୍ମାର୍ଟସିଟି ପଦକ୍ଷେପ ଭଳି ଓଡ଼ିଶା କିପରି ଅତ୍ୟାଧୁନିକ ସମାଧାନର ଉପଯୋଗ କରୁଛି,ଏପରିକି ସେଠାରେ ଦ୍ରୁତ ପରିବର୍ତ୍ତନଶୀଳ ରିୟଲ ଇଷ୍ଟେଟ ଦୃଶ୍ୟପଟ ମଧ୍ୟରେ ଉନ୍ନତ ଜ୍ଞାନକୌଶଳ ଏକତ୍ରିତ ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ଏହି ପରିବର୍ତ୍ତନଶୀଳ ଯାତ୍ରାର ଅଂଶ ହୋଇପାରିଥିବାରୁ ଆମେ ଗର୍ବିତ ମନେ କରୁଛୁ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଉକ୍ତ କର୍ମଶାଳାରେ ରିୟଲ ଇଷ୍ଟେଟ ଶିଳ୍ପ ସହ ଜଡିତ ୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ବିଭିନ୍ନ ସଂସ୍ଥାରୁ ଯୋଗ ଦେଇଥିଲେ।

Share