Categories: ଫୁରସତ

ପ୍ରବଳ ଗରମରୁ ବାଦ୍‌ ପଡ଼ିଲାନି ଟ୍ରାନ୍ସଫର୍ମର, ପାଣି ସିଞ୍ଚନ ପରେ ହେଲା କାର୍ଯ୍ୟକ୍ଷମ, ଭାଇରାଲ ହେଉଛି ଭିଡିଓ…

ପ୍ରବଳ ଉତ୍ତାପ ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସୂର୍ଯ୍ୟ ଦେବତାଙ୍କ ତାପପାତ୍ରା ୪୫ ଡିଗ୍ର୍ରୀରୁ କମ୍‌ ରହୁନି। ପ୍ରବଳ ଉତ୍ତାପରେ ମଣିଷ, ପଶୁପକ୍ଷୀ ପାଣି ଟିକେ ପାଇଁ ଡହଳବିକଳ ହେଉଛନ୍ତି। ଏଭଳି ପରିସ୍ଥିତିରେ ନିର୍ଜୀବ ବସ୍ତୁଗୁଡ଼ିକ ମଧ୍ୟ ପାଣି ଦରକାର କରୁଛନ୍ତି। କାରଣ ଅତ୍ୟଧିକ ଗରମରେ ସେଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଏ। ଏବେ ସୋସିଆଲ ମିଡିଆରେ ଏକ ଟ୍ରାନ୍ସଫର୍ମରର ଫଟୋ ଭାଇରାଲ ହେଉଛି।

ଅତ୍ୟଧିକ ଗରମ ଯୋଗୁ ଟ୍ରାନ୍ସଫର୍ମରକୁ ବନ୍ଦ କରିବାକୁ ପଡ଼ିଲା। ପରେ ଏହା ଉପରେ ପାଇପ୍‌ ଯୋଗେ ପାଣି ସିଞ୍ଚନ କରାଯାଇଥିଲା। କେବଳ ଏତିକି ନୁହେଁ, ଟ୍ରାନ୍ସଫର୍ମରକୁ ଥଣ୍ଡା କରିବା ପାଇଁ ଏକ ଫ୍ୟାନ୍‌ ମଧ୍ୟ ବ୍ୟବହାର କରାଯାଇଥିଲା। ଯାହାଦ୍ୱାରା ଟ୍ରାନ୍ସଫର୍ମରର ତାପମାତ୍ରା ହ୍ରାସ ହୋଇପାରିବ ଏବଂ ଟ୍ରାନ୍ସଫର୍ମର ଚାଲିବାକୁ ପ୍ରସ୍ତୁତ ହୋଇପାରିବ।

ଉତ୍ତରପ୍ରଦେଶର ବସ୍ତି ଜିଲାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। କଲଓ୍ବାରୀ ପାଓ୍ବାର ସବ୍‌ଷ୍ଟେଶନର ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ୪୬ ଡିଗ୍ରୀ ତାପମାତ୍ରାରେ ଗରମ ହେବା ପରେ ଟ୍ରାନ୍ସଫର୍ମର ବନ୍ଦ ହୋଇଯାଇଥିଲା। ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ଏହାକୁ ଥଣ୍ଡା କରିବା ପାଇଁ ଟ୍ରାନ୍ସଫର୍ମରକୁ ପାଣି ପକାଉଥିବା ଦେଖିବାକୁ ମିଳିଥିଲା।

ଅଧୀକ୍ଷକ ଇଞ୍ଜିନିୟର ଏସ.କେ ଆର୍ଯ୍ୟ କହିଛନ୍ତି, ଏହି ସମୟରେ ଉତ୍ତାପ ଶିଖରରେ ରହିଛି। ତେଣୁ ବୈଦ୍ୟୁତିକ ଉପକରଣଗୁଡ଼ିକ ମଧ୍ୟ ଗରମ ହୋଇଯାଉଛି। କଲଓ୍ବାରୀରେ ସ୍ଥାପିତ ପୁରୁଣା ଟ୍ରାନ୍ସଫର୍ମର ବନ୍ଦ ହୋଇଯାଇଥିଲା। ଯେଉଁଥିପାଇଁ ବିଦ୍ୟୁତ ଯୋଗାଣ ବନ୍ଦ ହୋଇ ପାଣିରେ ଥଣ୍ଡା ହେବାକୁ ପଡ଼ିଲା। ଯାହା ପରେ ଏହା ପୁନଃ ଆରମ୍ଭ ହୋଇ ସୁରୁଖୁରୁରେ ବିଦ୍ୟୁତ୍‌ ଯୋଗାଣ କରାଯାଇଥିଲା।

Share