ଟ୍ରାନ୍ସଫର୍ମର ପୋଡ଼ି ୨ ଗାଁ ଅନ୍ଧାର

ବଇଣ୍ଡା, ୨୬।୧୦(ଡି.ଏନ୍‌.ଏ.): ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର କୁଡ଼ାସାହି ଓ ବାଲିସାହିକୁ ବିଦ୍ୟୁତ୍‌ ଯୋଗାଉଥିବା ୬୩ କେଭି କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ୫ଦିନ ହେଲା ପୋଡ଼ିଯାଇଛି। ଫଳରେ ସମ୍ପୃକ୍ତ ୨ ଗ୍ରାମର ବାସିନ୍ଦା ଅନ୍ଧାରରେ ଦିନ କାଟୁଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ସତ୍ତ୍ୱେ ପଦକ୍ଷେପ ନିଆଯାଉ ନ ଥିବାରୁ ଏହାର ପ୍ରତିବାଦରେ ଅଞ୍ଚଳବାସୀ ମଙ୍ଗଳବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗପତ୍ରର ନକଲ ଆଠମଲ୍ଲିକ ବିଧାୟକ, ଟିପିସିଓଡିଏଲ୍‌ର ପଦସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।
ଗ୍ରାମବାସୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି, ଦୁଇ ଗ୍ରାମରେ ୨୦୦ ଉପଭୋକ୍ତା ରହିଛନ୍ତି। ଉକ୍ତ ଟ୍ରାନ୍ସଫର୍ମର ଉପରେ ଅତିରିକ୍ତ ଚାପ ପଡୁଛି। ସେହି ସ୍ଥାନରେ ୧୦୦ କେଭିର ଏକ ଟ୍ରାନ୍ସଫର୍ମର ଲଗାଇବା ପାଇଁ ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଅଭିଯୋଗ କରିବା ସତ୍ତ୍ୱେ ସୁଫଳ ମିଳୁନାହିଁ। ଫଳରେ ଚାପ ସମ୍ଭାଳି ନ ପାରି ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ଏହାପରେ ଗ୍ରାମବାସୀ, ଛାତ୍ରୀଛାତ୍ର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉଭୟ ଗ୍ରାମର ଉପଭୋକ୍ତାଙ୍କ ହିତ ଦୃଷ୍ଟିରୁ ଦାବି ପୂରଣ କରିବା ଲାଗି ଜୟନ୍ତ ପ୍ରଧାନ, ଭୁବନ ଜେନା, ବ୍ରହ୍ମା ପ୍ରଧାନ, ହୃଷୀକେଶ ବେହେରା, ଶ୍ରୀପତି ବେହେରା, ପ୍ରତାପ ପ୍ରଧାନ, ସୁଧାକର ପ୍ରଧାନ, ପବିତ୍ର ଦେହୁରୀ ଦାବି କରିଛନ୍ତି l ଏ ନେଇ ବଇଣ୍ଡା ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ପଙ୍କଜ ଖିଲାର କୁହନ୍ତି, ଟ୍ରାନ୍ସଫର୍ମର ପୋଡ଼ିଯିବା ସମ୍ପର୍କରେ ଅବଗତ ଅଛୁ। ଖୁବ୍‌ଶୀଘ୍ର ନୂତନ ଟ୍ରାନ୍ସଫର୍ମର ଲଗାଇବା ଉପରେ ଗୁରୁତ୍ୱ ଦିଆଯିବ।