Advertisement

ବିପଦ ସାଜିଛି ଟ୍ରାନ୍ସଫର୍ମର

ପାରଳାଖେମୁଣ୍ଡି, ୨୩ା୧(ଡି.ଏନ୍‌.ଏ):ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି। ଏହି ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ମୁଖ୍ୟ ରାସ୍ତା ତଥା ଗାରବନ୍ଧ ଗ୍ରାମର ମୁଖ୍ୟ ବଜାର ଅଞ୍ଚଳରେ ରହିଥିବାରୁ ଯାତାୟାତରେ ନାନା ସମସ୍ୟା ଉପୁଜୁଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମର ମଧ୍ୟଭାଗର ରାସ୍ତାକୁ ଲାଗି ଟ୍ରାନ୍ସଫର୍ମର ରହିଥିବାରୁ ଯାନବାହନ ଯାତାୟାତ କିମ୍ବା ଭିଡ ଜମିଗଲେ ଟ୍ରାଫିକ ସମସ୍ୟା ଉପୁଜିବା ସହ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏନେଇ ଗାରବନ୍ଧ ସମିତି ସଭ୍ୟ କେ.ଭେଙ୍କଟରାବଣା କହିଛନ୍ତି ଯେ, ଉକ୍ତ ସମସ୍ୟାକୁ ନେଇ ଆମ୍ଭେ ଜନପ୍ରତିନିଧି ହିସାବରେ ସମିତି ବୈଠକରେ ବାରମ୍ବାର ଉପସ୍ଥାପନ କରିଛୁ । ହେଲେ କୌଣସି ଦୃଷ୍ଟି ନିକ୍ଷେପ କରୁନଥିବାର ଜଣାଇଛନ୍ତି । ସେହିଭଳି ଏନ. ଦଶରଥ ରାଓ, ଆର୍‌.ଭୂପତି, କେ.ଗୋବିନ୍ଦା, ଏସ. ନୀଳକଣ୍ଠ, ଇ.ଲକ୍ଷ୍ମୀ ନାରାୟଣା, ସୁବାସ ଶବର, ପାର୍ଥ ଦାସ, ଟିଭି ରାମଣା, ଚକ୍ରବର୍ତ୍ତୀ ପାଣିଗ୍ରାହୀ, ଏସ.ଆନନ୍ଦ ରାଓ, ପି.ତିରୁପତି ରାଓ, ବି. କିଶୋର କୁମାର ଟ୍ରାନ୍ସଫର୍ମର ଯୋଗୁ ମୁଖ୍ୟରାସ୍ତାର ପ୍ରଶସ୍ତୀକରଣ ହୋଇପାରୁ ନଥିବା ବେଳେ ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା ହୋଇପାରୁ ନଥିବା କହିଛନ୍ତି। ତେଣୁ ଉକ୍ତ ଟ୍ରାନ୍ସଫର୍ମକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share