ଟ୍ରାନ୍ସଜେଣ୍ଡର ମଡେଲ ରିକି ଜିତିଲେ ‘ମିସ୍‌ ନେଦରଲାଣ୍ଡ୍‌ସ’ମୁକୁଟ

ଆମଷ୍ଟରଡାମ୍‌,୧୨।୭: ଚଳିତବର୍ଷର ଟ୍ରାନ୍ସଜେଣ୍ଡର ମଡେଲ ରିକି ଭାଲେରି କୋଲେ ମିସ୍‌ ନେଦରଲାଣ୍ଡ୍‌ସ ମୁକୁଟ ଜିତିଛନ୍ତି। ୨୨ ବର୍ଷୀୟା ରିକିଙ୍କ ଘର ବ୍ରେଡା ସହରରେ। ମଡେଲ ସାଙ୍ଗକୁ ରିକି ଜଣେ ଅଭିନେତ୍ରୀ ମଧ୍ୟ। ମିସ୍‌ ନେଦରଲାଣ୍ଡସ ମୁକୁଟ ଜିତିବା ନେଇ ଏକ ଭିଡିଓ ରିକି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି, ଯାହାକୁ ୟୁଜର୍ସ ପସନ୍ଦ ମଧ୍ୟ କରିଛନ୍ତି। କ୍ୟାରିୟର୍‌କୁ ଆଗକୁ ବଢ଼ାଇବାର ଆଗ୍ରହ ଓ ଏଲ୍‌ଜିବିଟିକ୍ୟୁ କମ୍‌ୟୁନିଟି ପାଇଁ କିଛି କରିବାର ଆଗ୍ରହ ତାଙ୍କୁ ସଫଳତା ଦେଇଥିବା ରିକି କହିଛନ୍ତି। ସମାଜ ତାଙ୍କୁ ସହଜରେ ଗ୍ରହଣ କରିପାରୁ ନ ଥିବାବେଳେ ତାଙ୍କ ପରିବାର ଲୋକଙ୍କ ସହଯୋଗ ସଫଳତାର ମୁଖ୍ୟ ଉତ୍ସ ବୋଲି ସେ କହିଛନ୍ତି। ପୁଅ ହୋଇ ଜନ୍ମ ହୋଇଥିବା ରିକି ଗତ ଜାନୁୟାରୀରେ ନିଜର ଅସ୍ତ୍ରୋପଚାର କରାଇ ସମ୍ପୂର୍ଣ୍ଣ ଝିଅ ହୋଇଛନ୍ତି। ମାତ୍ର ୧୧ ବର୍ଷ ବୟସରେ ରିକ୍‌ ନଁାକୁ ବଦଳାଇ ସେ ରିକି କରିଦେଇଥିଲେ। ଚଳିତବର୍ଷ ହେବାକୁ ଥିବା ୭୨ତମ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ରିକି ଭାଗ ନେବେ। ତେବେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇଥିବା ସମଲିଙ୍ଗୀ ମଡେଲଙ୍କ ମଧ୍ୟରେ ରିକି ଦ୍ୱିତୀୟ। ତାଙ୍କ ପୂର୍ବରୁ ୨୦୧୮ରେ ସ୍ପେନ୍‌ର ଆଞ୍ଜେଲା ପୋନ୍ସ ପ୍ରଥମ ସମଲିଙ୍ଗୀ ମଡେଲ ହିସାବରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଆମଷ୍ଟରଡାମ୍‌ର ନାଥାଲି ମୋଜବେଲଜାଡା ଏ ବର୍ଷର ରନର୍ସ ଅପ୍‌ ହୋଇଛନ୍ତି । ସେହିପରି ହାବିବା ମୋଷ୍ଟାଫା ମିସ୍‌ କଞ୍ଜେନିଆଲିଟି ଏବଂ ଲୋଉ ଡିଚର୍ସ ମିସ୍‌ ସୋସିଆଲ ମିଡିଆ ହୋଇଛନ୍ତି।

Share