୨୦୨୨ ସୁଦ୍ଧା ୧୫୦୦ ମେଗାଓ୍ବାଟ୍‌ ସୌର ଶକ୍ତି ଉତ୍ପାଦନ ହେବ

ଭୁବନେଶ୍ୱର,୭।୭(ବ୍ୟୁରୋ): ୨୦୨୨ ସୁଦ୍ଧା ରାଜ୍ୟରେ ୧୫୦୦ ମେଗାଓ୍ବାଟ୍‌ ସୌରଶକ୍ତି ଉତ୍ପାଦନ ହେବ। ସୋମବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁର ଓ ବୌଦ୍ଧ ଜିଲାରେ ୨୭୫ ମେଗାଓ୍ବାଟ୍‌ କ୍ଷମତା ବିଶିଷ୍ଟ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ । ସେହିପରି ବୃହତ ଜଳାଶୟଗୁଡିକ ଉପରେ ୫୦୦ ମେଗାଓ୍ବାଟ ଭାସମାନ ପ୍ଲାଣ୍ଟ ସ୍ଥାପନ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହାଛଡା ଛାତ ଉପରେ ୧୯ ମେଗାଓ୍ବାଟର ଏବଂ ଭୂମି ଉପରେ ୮ ମେଗାଓ୍ବାଟ ପ୍ଲାଣ୍ଟ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ। ଜେଡକଲ ଏବଂ ଓରେଡା ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪୭୪ ମେଗାଓ୍ବାଟ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନ କରାଯାଇଛି। ଓରେଡା ଆଉ ୪୬୦ ମେଗାଓ୍ବାଟ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।
ରାଜ୍ୟରେ ପର୍ଯ୍ୟାପ୍ତ ସୌରଶକ୍ତି ଉତ୍ପାଦନ ସମ୍ଭାବନା ଥିବାରୁ ବାଣିଜି୍ୟକ ଭିତ୍ତିରେ ଅଧିକ ଉତ୍ପାଦନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସବୁଜ ଶକ୍ତି ଉତ୍ପାଦନ ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି। ଏହି ବୈଠକରେ ଶକ୍ତି ବିଭାଗ ସଚିବ ନିକୁଞ୍ଜ ଧଳ, ଜେଲକଲ ଅଧ୍ୟକ୍ଷ ବିଷ୍ଣୁ ପଦ ସେଠୀ, ଅର୍ଥ ବିଭାଗ ସଚିବ ଅଶୋକ ମୀନା ଏବଂ ସମ୍ପୃକ୍ତ ବିଭାଗଗୁଡିକର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Share