ଅନୁବାଦକ ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ବିଶିଷ୍ଟ କବି, ସାହିତି୍ୟକ, ସମାଲୋଚକ, ଅନୁବାଦକ ଓ ଭାଷାବିତ୍‌ ଡ. ଶୁଭେନ୍ଦୁ ମୁଣ୍ଡଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୭୦ବର୍ଷ ହୋଇଥିଲା। ୧୯୫୧ରେ କଳାହାଣ୍ଡି ଜିଲାର ଭବାନୀପାଟଣାରେ ଜନ୍ମ ଗ୍ରହଣ କରିଥିବା ଶୁଭେନ୍ଦୁ ୧୯୭୩ରେ ଶିକ୍ଷା କ୍ଷେତ୍ରରେ ଯୋଗଦାନ କରିଥିଲେ। ଦୀର୍ଘ ୩୬ବର୍ଷ ଧରି ଅଧ୍ୟାପନା ସହ ଶିକ୍ଷାନୁଷ୍ଠାନ ପରିଚାଳନା କରିଥିଲେ। ୨୦୦୯ରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ। ତେବେ ଚାକିରି ଜୀବନ ଆରମ୍ଭ ପୂର୍ବରୁ ସେ ୧୯୬୮ରୁ ଲେଖାଲେଖି ଆରମ୍ଭ କରିଥିଲେ। ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଅଜସ୍ର କବିତା, ଗଳ୍ପ, ପ୍ରବନ୍ଧ ସହିତ ବହୁ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ସେଥିମଧ୍ୟରୁ କବିତା ସଂକଳନ ‘ଶବ୍ଦ ନିଶବ୍ଦ’, ‘ମୁହୂର୍ତ୍ତଟିଏ, ମୋହିନି’, ‘ସ୍ବପ୍ନାବର୍ତ୍ତ’, ‘ସ୍ଥିର ଉଡାଣ’, ‘ଛକ’, ଗଳ୍ପ ସଂକଳନ- ‘ଛକ’, ‘ସୀମାବଦ୍ଧ’, ପ୍ରବନ୍ଧ/ ସମାଲୋଚନା ପୁସ୍ତକ ‘କବି ପଦ୍ମଚରଣ ପଟ୍ଟନାୟକ’, ‘ନାଟକ ଜିଜ୍ଞାସା’, ‘ଓଡ଼ିଆ ସାହିତ୍ୟ ଓ ସାହିତି୍ୟକ’, ଅନୁବାଦ ପୁସ୍ତକ ‘ଲୋଭୀ ବାଛୁରୀ’, ‘ତ୍ୟାଗରାଜ’, ଭ୍ରମଣ ସାହିତ୍ୟ ‘ଦେଶ ଦେଶ ମଣିଷ ମଣିଷ’, ଇଂଲିଶ ପୁସ୍ତକ ‘ଓଡ଼ିଆ ପୋଏଟ୍ରି ଟୁଡେ’, ‘ଦି ଇଣ୍ଡିଆନ୍‌ ନୋବେଲ୍‌ ଇନ୍‌ ଇଂଲିଶ’, ‘ଜେଷ୍ଟ ଅଫ୍‌ ଲାଇଫ୍‌’, ‘ମେକର୍ସ ଅଫ୍‌ ଦି ମଡର୍ନ ଓ୍ବାଲର୍‌ଡ’, ‘ଗ୍ରେଟ୍‌ ଟେଲ୍‌ସ ଅଫ୍‌ ଓଡ଼ିଶା’ ଅନ୍ୟତମ। ଅନେକ ଆଭିଧାନିକ ତଥା ଓଡ଼ିଆ ଭାଷା ସମ୍ପର୍କିତ କାର୍ଯ୍ୟରେ ମଧ୍ୟ ସେ ସମ୍ପୃକ୍ତ ଥିଲେ। ଭାରତୀୟ ଇଂଲିଶ ସାହିତ୍ୟ, ଓଡ଼ିଆ ସାହିତି୍ୟ ତଥା ସଂସ୍କୃତି ଅଧ୍ୟୟନର ଗବେଷଣା ତଥା ପ୍ରକାଶନରେ ଡ. ମୁଣ୍ଡ ବିଶ୍ୱସ୍ତରରେ ଜଣେ ସୁପରିଚିତ ଗବେଷକ। ତାଙ୍କ ବିୟୋଗରେ ସାହିତି୍ୟକ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Share