ବଜେଟ୍‌ ପ୍ରକ୍ରିୟାରେ ସ୍ବଚ୍ଛତା: ୩ୟରେ ଓଡ଼ିଶା

ଭୁବନେଶ୍ୱର,୨୬।୮(ବ୍ୟୁରୋ): ରାଜ୍ୟର ଆର୍ଥିକ ପ୍ରସଙ୍ଗରେ ୫-ଟି ଫ୍ରେମଓ୍ବାର୍କ କାର୍ଯ୍ୟକାରୀ କରିବା ସହ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ବଜେଟ୍‌ ସ୍ବଚ୍ଛତା ରକ୍ଷା କରିବାରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମାଧ୍ୟମରେ ଅର୍ଥନୈତିକ ସୂଚକାଙ୍କ ଉପରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି। ଟ୍ରାନ୍ସପାରାନ୍ସି ଇଣ୍ଟରନ୍ୟାଶନାଲ ବାର୍ଷିକ ସଂସ୍କରଣରେ ଓଡ଼ିଶାକୁ ତୃତୀୟ ସ୍ଥାନରେ ରଖାଯାଇଛି। ବଜେଟ୍‌ ପ୍ରସ୍ତୁତିରେ ସ୍ବଚ୍ଛତା ରଖିବା କ୍ଷେତ୍ରରେ ୧ ନମ୍ବରରେ ଆସାମ ଓ ୨ ନମ୍ବରରେ ଆନ୍ଧ୍ରପ୍ରଦେଶ ରହିଛି। ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଯଥାକ୍ରମେ ଝାଡଖଣ୍ଡ ଏବଂ ବିହାର ଅଛନ୍ତି। ଓଡ଼ିଶାକୁ ୬୬ ପଏଣ୍ଟ ମିଳିଥିବା ବେଳେ ଆସାମକୁ ୭୦, ଆନ୍ଧ୍ରପ୍ରଦେଶକୁ ୬୭, ଝାଡଖଣ୍ଡକୁ ୬୦ ଏବଂ ବିହାରକୁ ୫୯ ପଏଣ୍ଟ ମିଳିଛି। କୋଭିଡ୍‌ ପୂର୍ବରୁ ଏବଂ ଏହାର ପରବର୍ତ୍ତୀ ସମୟରେ ରାଜ୍ୟର ଅର୍ଥନୀତି ବଜେଟ୍‌ ପ୍ରସ୍ତୁତି, ଆର୍ଥିକ ପରିଚାଳନା ଏବଂ ଆର୍ଥିକ ନିୟନ୍ତ୍ରଣ ପ୍ରସଙ୍ଗରେ ଅର୍ଥ ବିଭାଗ ଦ୍ୱାରା ହାସଲ ହୋଇଥିବା ପ୍ରଗତିଶୀଳ ପ୍ରକ୍ରିୟାଗତ ସଂସ୍କାରକୁ ପୂରଣ ସମୟରେ କୃଷି, ମତ୍ସ୍ୟ ଏବଂ ପଶୁପାଳନ କ୍ଷେତ୍ର ସମେତ ଏକ ମିଶ୍ରିତ ସୂଚକାଙ୍କ ପ୍ରସ୍ତୁତ କରାଯିବ। ଏ ନେଇ ମୁଖ୍ୟ ଶାସନ ସଚିବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ୍ସଆଇଏମବିରେ ଆର୍ଥିକ ନୀତି ଏବଂ ଟିକସ ପାଇଁ ଉତ୍କର୍ଷର କେନ୍ଦ୍ରରୁ ବୈଷୟିକ ସହାୟତା ସହିତ ପ୍ରସ୍ତୁତ ହେଉଥିବା କମ୍ପୋଜିଟ ଇଣ୍ଡେକ୍ସର ବିଭିନ୍ନ ସୂଚକ ଉପରେ ବୈଠକରେ ଆଲୋଚନା ହୋଇଛି। କୃଷି, ମତ୍ସ୍ୟଚାଷ, ପଶୁପାଳନ, ଖଣି ଜିଏସ୍‌ଟି, ମୋଟର ଯାନ, ଟିକସ, ବିଦ୍ୟୁତ୍‌ ବ୍ୟବହାର, ଅଣଜିଏସ୍‌ଟି, ବେକାରଙ୍କ ହାର, ରାଜସ୍ବକୁ ଦର୍ଶାଉଥିବା ସୂଚକକୁ ଅନ୍ତର୍ଭୁକ୍ତ ଲାଗି ନିଷ୍ପତ୍ତି ହୋଇଛି। ମାସିକ ତଥା ତ୍ରୈମାସିକ ଭିତ୍ତିରେ ରାଜ୍ୟଗୁଡିକର ଅର୍ଥନୈତିକ ଧାରାକୁ ଆକଳନ କରିବାକୁ ମୁଖ୍ୟ ଶାସନ ସଚିବ କମ୍ପୋଜିଟ ଇଣ୍ଡେକ୍ସ ପ୍ରୟୋଗ ଲାଗି ପରାମର୍ଶ ଦେଇଛନ୍ତି।

Share