ନିୟନ୍ତ୍ରଣ ବାହାରେ ଓଭର ଲୋଡିଂ ବାଲି ପରିବହନ

ଜେନାପୁର,୩ା୨(ଡି.ଏନ୍‌.ଏ.): ଧର୍ମଶାଳା ତହସିଲ ଅଞ୍ଚଳରେ ବେଆଇନ ଭାବେ ଓଭର ଲୋଡିଂ ବାଲି ପରିବହନ ହେଉଛି। ହେଲେ ଏହାକୁ ପ୍ରଶାସନିକ ଅଧିକାରୀ ନିୟନ୍ତ୍ରଣ କରିପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ବିଭିନ୍ନ ବାଲିଘାଟରୁ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ପରିମାଣର ବାଲି ଡମ୍ପର, ହାଇଓ୍ବାରେ ଲୋଡିଂ କରାଯାଇ କବାଟବନ୍ଧ-ଜାରକା ରାସ୍ତା ଓ ଲକ୍‌ ବଜାରଠାରୁ ଜେନାପୁର ମେଡିକାଲ ରାସ୍ତାରେ ଯାତାୟାତ କରୁଛି। ଉକ୍ତ ରାସ୍ତାରେ ଦିନରାତି ଶହ ଶହ ଟ୍ରିପ୍‌ ବାଲି ଖୁଲମଖୁଲା ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି। ଫଳରେ ନଦୀବନ୍ଧ ରାସ୍ତା ଦବିବାରେ ଲାଗିଛି। ଏପରି କି ଭବିଷ୍ୟତରେ ବନ୍ୟା ଆଶଙ୍କା ଦେଖାଯିବ। ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଉଛି। ରୋଗୀ ଓ ପଥଚାରୀ ମେଡିକାଲ ରାସ୍ତା ଦେଇ ଯାତାୟାତ କରୁଥିବା ସମୟରେ ଓଭର ଲୋଡ୍‌ ବାଲି ବୋଝେଇ ହାଇଓ୍ବାଗୁଡ଼ିକ ସେଇ ରାସ୍ତା ଦେଇ ଯାତାୟାତ କରୁଛି। ଏହାଦ୍ବାରା ରୋଗୀ ଓ ଜନସାଧାରଣ ଦୁର୍ଘଟଣାର ସମ୍ମୁଖୀନ ହେବା ସହିତ ଅନେକ ଅସୁବିଧା ଭୋଗ କରୁଛନ୍ତି। ଏହି ରାସ୍ତାରେ ୧୦ ଟନ ମାଲ ପରିବହନ ନିୟମ ଥିବାବେଳେ ହାଇଓ୍ବାଗୁଡ଼ିକ ୨୦ରୁ ୨୫ଟନ୍‌ ବାଲି ବୋଝେଇ କରି ଯାଉଛନ୍ତି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସ କହିଛନ୍ତି, ଓଭର ଲୋଡିଂ ବାଲି ପରିବହନ ଲାଗି ନିୟମ ନାହିଁ। ଏପରି ହେଉଥିବା ନଜରକୁ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share