Categories: ବାଣିଜ୍ୟ

ଆମ୍ପିଓ ସହ ଟ୍ରାଞ୍ଜେପ ସ୍ମାର୍ଟ ବିଲ୍ଡିଂର ବୁଝାମଣା

ଭୁବନେଶ୍ୱର,୨୭।୨: ଅନ୍ତଃରାଷ୍ଟ୍ରୀୟ ଘରୋଇ କମ୍ପାନୀ ତଥା ଆମ୍ପିଓ ପୋଲାଣ୍ଡ ସହ ଟ୍ରାଞ୍ଜେପ ସ୍ମାର୍ଟ ବିଲ୍ଡିଂ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଭବିଷ୍ୟତରେ ସ୍ମାର୍ଟ ଲିଭିଂକୁ ଅଗ୍ରଣୀ କରିବା ପାଇଁ ଉଭୟ କମ୍ପାନୀ ମିଳିତ ହୋଇଛନ୍ତି। ଏପରିକି ଘରୋଇ ଅଟୋମେସନ୍‌ ଓ ସ୍ମାର୍ଟ ଲିଭିଂର ମାନ ବୃଦ୍ଧି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉଭୟ ସଂସ୍ଥା ପକ୍ଷରୁ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରଠାରେ ଆୟୋଜିତ ଏକ ଆର୍କିଟେକ୍ଚର ମିଟ୍‌ରେ ଉପରୋକ୍ତ ସହଭାଗିତା (ପାର୍ଟନରଶିପ) ସହ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ଏଥିରେ ଆର୍କିଟେକ୍ଟ, ଡିଜାଇନର ଓ ଶିଳ୍ପ ବିଶେଷଜ୍ଞମାନେ ମଧ୍ୟ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆବାସିକ ସ୍ଥାନଗୁଡିକରେ ଆରାମ ଓ ନିରାପତ୍ତା ପାଇଁ ପ୍ରସ୍ତୁତି ଅତ୍ୟାଧୁନିକ ଉପତ୍ାଦ ପ୍ରଦର୍ଶିତ ହୋଇଥିଲା। ଟ୍ରାଞ୍ଜେପ ସ୍ମାର୍ଟ ବିଲ୍ଡିଂର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଶ ଝୁନ୍‌ଝୁନ୍‌ୱାଲା କହିଥିଲେ, ଆମ୍ପିଓ ପୋଲାଣ୍ଡ ସହ ସହଭାଗିତା ହୋଇଛି। ଏପରିକି ଲୋକମାନଙ୍କର ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି ଲକ୍ଷ୍ୟ ରହିଛି। ଆମ୍ପିଓ ପୋଲାଣ୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲିନା କ୍ରୁସେଇଚ୍‌ କୋୱାଲେଭେସ୍କା ଉକ୍ତ ସହଭାଗିତା ଉପରେ ଗୁରୁତ୍ୱାରୋପ କରି ସ୍ମାର୍ଟହୋମ୍‌ ଟେକ୍ନୋଲୋଜିକୁ ଆପଣେଇବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ। ଅଧିକ ବିବରଣୀ ପାଇଁ ଆମ୍ପିଓ ପୋଲାଣ୍ଡର ୱେବ୍‌ସାଇଟ୍‌ ପରିଦର୍ଶନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

Share