ପ୍ରେମରେ ଫସି ଠକାମିର ଶିକାର ଯବାନ

ଭଦ୍ରକ, ୧୦ା୧୦ (ସନାତନ ରାଉତ):ଜଣେ ଯୁବତୀଙ୍କ ପ୍ରେମ ଜାଲରେ ଫସି ଠକାମିର ଶିକାର ହୋଇଛନ୍ତି ଯବାନ। ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ସୃଷ୍ଟି ହେବାରୁ ଯୁବତୀ ଜଣକ ଚାଲ୍‌ କରି ଯବାନଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ସୋମବାର ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି। ଠକାମିର ଶିକାର ହୋଇଥିବା ଯବାନ ଜଣକ ହେଲେ ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅଧୀନ ଉଦୟଗିରି ଅଞ୍ଚଳର ସନ୍ତୋଷ କୁମାର ରଣସିଂହ। ସେ ବିଏସ୍‌ଏଫ୍‌ରେ କାର୍ଯ୍ୟ କରନ୍ତି।
ଅଭିଯୋଗ ଅନୁଯାୟୀ, ୨୦୨୨ରେ ଫେସ୍‌ବୁକ ମାଧ୍ୟମରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଅଣ୍ଡେଇପଲ୍ଲୀ ଅଞ୍ଚଳର ଜଣେ ଯୁବତୀଙ୍କ ସହ ସନ୍ତୋଷଙ୍କର ବନ୍ଧୁତା ସ୍ଥାପନ ହୋଇଥିଲା। ଯୁବତୀଙ୍କ ବାପା ଦୁର୍ଘଟଣାରେ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଯୁବତୀ ୫ ଲକ୍ଷ ଟଙ୍କା ସନ୍ତୋଷଙ୍କୁ ସାହାଯ୍ୟ ମାଗିଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ସେ ଗତ ଏପ୍ରିଲ ୫ରେ ଯୁବତୀଙ୍କ ମା’ଙ୍କ ଆକାଉଣ୍ଟକୁ ପ୍ରଥମେ ୨ ଲକ୍ଷ ଟଙ୍କା ପଠାଇଥିଲେ। ଏହାର କିଛିଦିନ ପରେ ଯୁବତୀ ଜଣକ ପୁଣି ବାପାଙ୍କର ଚିକିତ୍ସା ପାଇଁ ଆଉ କିଛି ଟଙ୍କା ମାଗିଥିଲେ। ଏହିଭଳି ବିଭିନ୍ନ ସମୟରେ ମୋଟ ୪ ଲକ୍ଷ ଟଙ୍କା ସେ ଯୁବତୀଙ୍କୁ ଦେଇଛନ୍ତି। ପରେ ସେ ଛୁଟିରେ ଆସି ତାଙ୍କୁ ଟଙ୍କା ମାଗିବାରୁ ନିଜ ଘରକୁ ଡାକି ଚେକ୍‌ ଦେଇଥିଲେ। ମାତ୍ର ଉକ୍ତ ଚେକ୍‌ ବାଉନ୍ସ ହୋଇଯିବା ପରେ ସନ୍ତୋଷ ଗ୍ରାମାଞ୍ଚଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ସେହିପରି ଯୁବତୀ ଜଣକ ନିଜ ଗ୍ରାମର ଯବାନ ସମର କୁମାର ନାୟକଙ୍କଠାରୁ ୧୬ ଲକ୍ଷ ୬୦ହଜାର ଟଙ୍କା ନେଇଥିବା ତାଙ୍କ ଭାଇ ସପନ କୁମାର ନାୟକ ସୋମବାର ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଯୁବତୀ ସମରଙ୍କ ନଁାରେ ପାଲଟା ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଚାଲିଥିବା ଥାନାଧିକାରୀ ଅମିତାଭ ଦାସ କହିଛନ୍ତି।