Categories: ଫୁରସତ

୫୨୭ ଦିନରେ ୧୪ ଦେଶ ଭ୍ରମଣ

ୱାଶିଂଟନ: ନିକଟରେ ଜଣେ ୧୯ ବର୍ଷୀୟ ଯୁବକ ସାଇକେଲରେ ୧୪ଟି ଦେଶ ଭ୍ରମଣ କରିଛନ୍ତି। ତାଙ୍କୁ ୩୨ ହଜାର କିମିରୁ ଅଧିକ ଦୂରତା ଅତିକ୍ରମ କରିବାକୁ ୫୨୭ ଦିନ ସମୟ ଲାଗିଛି। ଆମେରିକାର କାଲିଫର୍ନିଆ ବାସିନ୍ଦା ଲିଆମ୍‌ ଗାର୍ନରଙ୍କ ହାଇସ୍କୁଲ ପାଠ ସରିବା ପରେ ସେ ଦେଶ ଭ୍ରମଣରେ ବାହାରି ପଡିଥିଲେ। ସେ ୨୦୨୧ ଅଗଷ୍ଟ ୧ରୁ ତାଙ୍କର ଯାତ୍ରା ଆମେରିକାର ଆଲାସ୍କାରୁ ଆରମ୍ଭ କରିଥିଲେ। ଲିଆମ୍‌ଙ୍କ କହିବା ମୁକତାବକ, ସେ ଯେଡିଡିୟା ଜେନିକିନ୍ସଙ୍କ ଏକ ପୁସ୍ତକ ପଢିଥିଲେ। ସେଥିରେ ସେ ଆର୍ଗନରୁ ବାହାରି ଆର୍ଜେଣ୍ଟିନା ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଯାହା ଲିଆମ୍‌ଙ୍କୁ ପ୍ରଭାବିତ କରିଥିଲା। ସେଥିରୁ ସେ ତାଙ୍କ ଆଡ୍‌ଭେନ୍ଚର ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ତାଙ୍କର ଏହି ଯାତ୍ରା ପାଇଁ ବିଶେଷ ଯୋଜନା କରି ନ ଥିଲେ। କେବଳ ତାଙ୍କ ସହ ଟେଣ୍ଟ, ସ୍ଲିପିଂ ବ୍ୟାଗ୍‌, ପୋର୍ଟେବଲ ବ୍ୟାଟେରି, ମେଡିକାଲ କିଟ୍‌, ପାଣି ବୋତଲ ଆଦି ନେଇ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ସାଇକେଲ ଯାତ୍ରାରେ ସେ ମେକ୍ସିକୋ, ଗ୍ବାଟେମାଲା, ନିକାରାଗୁଆ, କଲମ୍ବିଆ, ପେରୁ, ଚିଲି, ଆର୍ଜେଣ୍ଟିନା ସମେତ ୧୪ଟି ଦେଶ ଭ୍ରମଣ କରିଛନ୍ତି। ତାଙ୍କର ଏହି ଯାତ୍ରା ସମୟରେ ସେ ୫ ଥର ପାଇଁ ଲୁଟପାଟ୍‌ର ଶିକାର ହେବାକୁ ପଡିଛି। ସେଥିପାଇଁ ତାଙ୍କୁ ଥରେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହେବାକୁ ପଡିଥିଲା । ହସ୍ପିଟାଲରେ ଏକ ମାସ ବିତାଇବା ପରେ ତାଙ୍କର ସର୍ଜିରି ମଧ୍ୟ ହୋଇଥିଲା।

Share