ସୋଲୋ ଟ୍ରାଭେଲିଂ

ଲଙ୍ଗ୍‌ ଡ୍ରାଇଭ୍‌ର ମଜା ନେବା ପାଇଁ ହେଉ ଅବା ଜରୁରୀ କାମ, ଅନେକ ସମୟରେ ସୋଲୋ ଟ୍ରାଭେଲିଂରେ ବାହାରନ୍ତି ମହିଳା। ହେଲେ ଯିବା ପୂର୍ବରୁ ସବୁ ଦିଗରୁ ସତର୍କ ନ ରହିଲେ ବହୁ ବିପଦକୁ ସାମ୍ନା କରିବାକୁ ପଡ଼ିପାରେ…

କେବେ ଅଫିସ୍‌ କାମରେ ତ କେବେ ନିଜର ଆବଶ୍ୟକତା ପାଇଁ ସୋଲୋ ଟ୍ରାଭେଲିଂରେ ଯିବାକୁ ହୁଏ। ଦୂରଯାତ୍ରା ପାଇଁ ମନରେ ଉତ୍ସାହ ଉଦ୍ଦୀପନା ତ ରହିଥାଏ ହେଲେ ସବୁ ଦିଗରୁ ସତର୍କ ନ ହେଲେ ଅନେକ ବିପଦକୁ ଯେ ସାମ୍ନା କରିବାକୁ ପଡ଼ିପାରେ ଏକଥା ଭୁଲିବା ଠିକ୍‌ ନୁହେଁ।
ଲାଇଫ୍‌ ଷ୍ଟାଇଲ୍‌ ଏବେ ମହିଳାଙ୍କ ପାଇଁ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିବା ଶିଖାଇଛି। ତେଣୁ ସୋଲୋ ଟ୍ରାଭେଲିଂରେ ଯିବା ପାଇଁ ସେମାନେ ଆଦୌ କୁଣ୍ଠା ପ୍ରକାଶ କରୁନାହାନ୍ତି। ବେଳେବେଳେ ପରିବାର ଲୋକ କିମ୍ବା ସାଙ୍ଗସାଥୀଙ୍କ ପାଖରେ ସମୟର ଅଭାବ ଯୋଗୁ କୌଣସି କାମ ପାଇଁ ସେମାନଙ୍କୁ ଏକୁଟିଆ ଦୂର ସ୍ଥାନକୁ ବି ଯିବାକୁ ପଡୁଛି। ଅନେକ ସମୟରେ ଅଫିସ୍‌ କାମରେ ବାହାରକୁ ଯିବାକୁ ପଡ଼େ ତ ଆଉ କେବେ ପାରିବାରିକ କାମରେ ବି ଏଭଳି ଯାତ୍ରା କରିବାକୁ ପଡ଼ିଥାଏ। ତେବେ ସୋଲୋ ଟ୍ରାଭେଲିଂରେ କୌଣସି ସ୍ଥାନକୁ ଯିବା ପୂର୍ବରୁ ନିଜ ସୁରକ୍ଷା ନିମନ୍ତେ ଯତ୍ନଶୀଳ ହେବା ବି ଜରୁରୀ। ଏଭଳି ସ୍ଥିତିରେ କେଉଁ ସବୁ ଦିଗ ପ୍ରତି ସତର୍କ ରହିବେ ଜାଣିରଖନ୍ତୁ।
ପ୍ରସ୍ତୁତି: ଅଧିକାଂଶ ମହିଳା ଏବେ କର୍ମଜୀବୀ। ସେଥିପାଇଁ ପରିବାର ଲୋକ କିମ୍ବା ବନ୍ଧୁମାନଙ୍କ ସହ ନିଜର ସମୟ ବାହାର କରିବା ଏତେ ସହଜ ହୋଇ ନ ଥାଏ। ତେଣୁ ଅନେକ ସମୟରେ ସେମାନେ ମଧ୍ୟ ସମୟ ବାହାର କରିପାରନ୍ତି ନାହିଁ। ସେଥିପାଇଁ ବେଳେବେଳେ ଏକୁଟିଆ କୌଣସି କାମ ପଡ଼ିଲେ ବାହାରକୁ ଯିବାକୁ ପଡ଼ିଥାଏ। ତେବେ ଦୂରଯାତ୍ରାରେ କିଛିଦିନ ପାଇଁ ଯିବାକୁ ଥିଲେ ସେହି ଅନୁସାରେ ପ୍ରସ୍ତୁତି କରିବାକୁ ହେବ।
ଅଚିହ୍ନା ବନ୍ଧୁ: କୌଣସି ଏକ ନୂଆ ସ୍ଥାନକୁ ଯାଉଥିଲେ ଆପଣଙ୍କ ଅଞ୍ଚଳରୁ ଆଉ କିଏ ସେହି ସ୍ଥାନକୁ ଯାଉଛନ୍ତି ଜାଣିବାକୁ ଚେଷ୍ଟା କରନ୍ତୁ। ହୁଏତ ବସ୍‌ ଅବା ଟ୍ରେନ୍‌ରେ ଯିବା ସମୟରେ ପଚାରି ବୁଝିଲେ ସହଜରେ ଜଣାପଡ଼ିଯିବ। ସମସ୍ତଙ୍କ ସହ କଥାବାର୍ତ୍ତା ପରେ ନିଜ ଅଞ୍ଚଳରୁ ଯାଉଥିବା ଅଚିହ୍ନା ଲୋକଙ୍କ ସହ ବି ବନ୍ଧୁତା କରିବା ଠିକ୍‌ ହେବ। ଏମିତି ବି ହୋଇପାରେ ହୁଏତ କୌଣସି ଅସୁବିଧା ହେଲେ ସେମାନଙ୍କ ଠାରୁ ସାହାଯ୍ୟ ନେଇପାରିବେ।
ଠିକ୍‌ ସ୍ଥାନ ଚୟନ: ଏକୁଟିଆ ମହିଳାମାନେ କୌଣସି ସ୍ଥାନକୁ ଯାଉଥିଲେ ପ୍ରଥମେ ସେହି ସ୍ଥାନ ସମ୍ପର୍କରେ ତଥ୍ୟ ସଂଗ୍ରହ କରନ୍ତୁ। ସେଠାକୁ ଯାଇଥିବା ଅନ୍ୟମାନଙ୍କୁ ପଚାରି ସେଠାକାର ପରିବେଶ ସମ୍ପର୍କରେ ବୁଝନ୍ତୁ। ସେଠାରେ ସୁବିଧା ଅସୁବିଧା ଓ ମହିଳାଙ୍କ ପାଇଁ ସ୍ଥାନ କେତେ ସୁରକ୍ଷିତ ସେସବୁ ଆଗୁଆ ଜାଣିବା ଭଲ ହେବ।
କମ୍‌ ସାମଗ୍ରୀ: ଏକୁଟିଆ କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ସାଙ୍ଗରେ କମ୍‌ ସାମଗ୍ରୀ ନେବା ପାଇଁ ଚେଷ୍ଟା କରନ୍ତୁ। କାରଣ ଏକୁଟିଆ ସବୁ ସାମଗ୍ରୀ ଧରି ଯିବାକୁ ହେବ। ଜିନିଷ ଅଧିକ ରହିଲେ ନେବା ଆଣିବାରେ ସମସ୍ୟା ହୋଇପାରେ ଏବଂ ସେସବୁକୁ ଦାୟିତ୍ୱରେ ରଖିବା ମଧ୍ୟ କିଛି ମାତ୍ରାରେ ସମସ୍ୟା ସୃଷ୍ଟି କରିପାରେ। ନିଜେ ଆରାମରେ ନେଇପାରିବା ଭଳି ସାମଗ୍ରୀ ସାଙ୍ଗରେ ନେଇ ଗଲେ ଯାତ୍ରାରେ ସଫଳତା ହାସଲ କରିପାରିବେ।
କ୍ୟାଶ୍‌ କମ୍‌ : ଦୂର ସ୍ଥାନକୁ ଯାଉଥିଲେ ସାଙ୍ଗରେ ଅଧିକ କ୍ୟାଶ୍‌ ନିଅନ୍ତୁ ନାହିଁ। ଚୋରି ହେବାର ଭୟ ରହିବ ନାହିଁ। ଡିଜିଟାଲ୍‌ ମନି ବ୍ୟବହାର କରିବା ପାଇଁ ସବୁ ସୁବିଧା ନେଇ ଯାଆନ୍ତୁ ଏବଂ ଫୋନ୍‌ କିମ୍ବା କାର୍ଡକୁ ଯତ୍ନରେ ନିଜ ପାଖରେ ରଖନ୍ତୁ।
ମୋବାଇଲ ବାଲାନ୍ସ ଓ ଚାର୍ଜ: ସବୁଠୁ ବଡ଼ କଥା ହେଉଛି ଏକା କୌଣସି ସ୍ଥାନକୁ ଯାଉଥିଲେ ନିଜ ସହ ଯୋଗାଯୋଗ କରିବା ପାଇଁ ବିଭିନ୍ନ ମାଧ୍ୟମ ସମ୍ପର୍କରେ ପରିବାର ଲୋକଙ୍କୁ ସବୁ ସୂଚନା ଦେଇଥାନ୍ତୁ। ମୋବାଇଲରେ ବାଲାନ୍ସ କିମ୍ବା ଚାର୍ଜ ଯେପରି ଶେଷ ନ ହୁଏ ସେଥିପ୍ରତି ପୂର୍ବରୁ ପ୍ରସ୍ତୁତ ହୋଇ ଯାଆନ୍ତୁ। ଏହା ବ୍ୟତୀତ ଏକା ଯାତ୍ରା କରୁଥିଲେ ସେସମ୍ପର୍କରେ ସୋସିଆଲ ମଡିଆରେ କୌଣସି ତଥ୍ୟ ଶେୟାର କରନ୍ତୁ ନାହିଁ।