ନିଷିଦ୍ଧାଞ୍ଚଳରେ ମାଳ ମାଳ ଟ୍ରଲର

ମହାକାଳପଡ଼ା, ୨୦।୧୦(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନିଷିଦ୍ଧାଞ୍ଚଳରେ ବେଆଇନ ମାଛ ଧରା ଟ୍ରଲର ମାଳ ମାଳ ଦେଖିବାକୁ ମିଳିଛି। ଏମାନେ ସନ୍ଧ୍ୟା ବେଳେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ପ୍ରବେଶ କରି ପ୍ରଚୁର ମାଛ ଧରି ସକାଳ ସୁଦ୍ଧା ଲଙ୍ଗର ପକାଇଥାନ୍ତି। ଅପରାହ୍ନରେ ବିଭିନ୍ନ ଟ୍ରକ, ପିକ୍‌ଅପ ଭ୍ୟାନ ଯୋଗେ ମାଛ ଲୋଡ୍‌ କରାଯାଇ କୋଲକାତା, ରାୟପୁର, ବାଲେଶ୍ୱର ଓ ଆନ୍ଧ୍ରପ୍ରଦେଶକୁ ଚାଲାଣ କରିଥାନ୍ତି। ଏହି ଟ୍ରଲରଗୁଡ଼ିକ ପଶ୍ଚିମବଙ୍ଗର ଦୀଘା, ବାଲେଶ୍ୱର, ଭଦ୍ରକ, କଷାଫଳ, ଧାମରା, ବଳରାମଗଡି ଆଦି ଅଞ୍ଚଳର ମାଲିକମାନଙ୍କର ବୋଲି କୁହାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଏହି ଟ୍ରଲରଗୁଡ଼ିକ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମାଛ ଧରିବା ସମୟରେ ବ୍ୟବହାର କରୁଥିବା ଗାଞ୍ଜ ଜାଲରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅକାଳରେ ଜୀବନ ଯାଇଥାଏ ବୋଲି ପରିବେଶପ୍ରେମୀ ସମେରେନ୍ଦ୍ର ମାହାଳି ଅଭିଯୋଗ କରିଛନ୍ତି। ମାହାଳିଙ୍କ କହିବା କଥା, ଏହି ଟ୍ରଲରଗୁଡ଼ିକ କିଭଳି ମାଛ ଧରି କୂଳକୁ ଫେରୁଛନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି। କାରଣ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବେଆଇନ ମାଛ ଧରିବାକୁ ନେଇ ବାରଣ ରହିଛି। ହେଲେ ବନ ବିଭାଗ, ମତ୍ସ୍ୟବିଭାଗ, ସାମୁଦ୍ରିକ ଥାନା କର୍ମଚାରୀ ଓ ତଟ ସୁରକ୍ଷା ବାହିନୀଙ୍କ ଭୂମିକାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ରହିଛି ବୋଲି ବୁଦ୍ଧିଜୀବୀ ନିରାକାର ସ୍ବାଇଁ, ଲକ୍ଷ୍ମୀକାନ୍ତ ସ୍ବାଇଁ, ସୁବାସ ସ୍ବାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି। ଟ୍ରଲରଗୁଡ଼ିକ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରୁ ବହୁ ମୂଲ୍ୟବାନ ସାମୁଦ୍ରିକ ମାଛ ଧରୁଛନ୍ତି। ତେବେ ଏହି ଅଞ୍ଚଳରେ ମାଳ ମାଳ ମାଛ ଧରା ଟ୍ରଲରକୁ ପ୍ରଶାସନ ପକ୍ଷରୁ କାହିଁକି ଜବତ କରାଯାଉନାହିଁ ବୋଲି ସାଧାରଣରେ ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଉପକୂଳ ବାହାକୁଦ ଗଁା ନିକଟ ମହାନଦୀ କୂଳରେ ଡେରା ପକାଇଥିବା ମାଳ ମାଳ ମାଛ ଧରା ଟ୍ରଲର। ଏ ସମ୍ପର୍କରେ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ପରେଶ କୁମାର ମହାନ୍ତିଙ୍କୁ ପଚାରିବାରେ ଟ୍ରଲରଗୁଡିକ ନିଷିଦ୍ଧାଞ୍ଚଳରେ ପ୍ରବେଶ କରିଥିବା ଖବର ମିଳଛି। ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share