ଯୋଗୀ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା

ଲକ୍ଷ୍ନୌ,୭।୯: ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ଅଜିଜ୍‌ କୁରେଶୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ସେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ରାମପୁର ଜିଲା ସିଭିଲ୍‌ ଲାଇନ ଥାନାରେ ରବିବାର ଭାଜପା ନେତା ଆକାଶ କୁମାର ସାକ୍ସେନାଙ୍କ ଅଭିଯୋଗ ଆଧାରରେ ଏତଲା ଦାଏର ହୋଇଥିଲା।

ସାକ୍ସେନାଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବତନ ରାଜ୍ୟପାଳ ଅଜିଜ୍‌ ସମାଜବାଦୀ ପାର୍ଟି ନେତା ଆଜାଦ ଖାନ୍‌ଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀ ତାଜିନ୍‌ ଫତ୍‌ମାଙ୍କୁ ଭେଟିଥିଲେ। ଏହା ପରେ ସେ ଯୋଗୀ ସରକାର ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ସହ ଏହାକୁ ରକ୍ତ ଶୋଷୁଥିବା ଦାନବ ସହ ତୁଳନା କରିଥିଲେ। ଏଭଳି ମନ୍ତବ୍ୟ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବା ସହ ସମାଜକୁ ଅଶାନ୍ତ କରିପାରେ ବୋଲି ସାକ୍ସେନା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ। ୮୧ ବର୍ଷୀୟ ଅଜିଜ୍‌ଙ୍କ ବିରୋଧରେ ଧାରା ୧୫୩ଏ (ଧର୍ମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବଢ଼ାଇବା), ୧୫୩ବି (ଜାତୀୟ ସଂହତି ବିରୋଧରେ ମନ୍ତବ୍ୟ ଦେବା), ୧୨୪ଏ (ଦେଶଦ୍ରୋହ) ଏବଂ ଧାରା ୫୦୫(୧)ବି (ଭୟ ସୃଷ୍ଟି କରାଇବା ଉଦ୍ଦେଶ୍ୟ)ରେ ମାମଲା ରୁଜୁ ହୋଇଥିବା ପୋଲିସ ଅଧିକାରୀ କହିଛନ୍ତି।

Share