ପରଜଙ୍ଗ, ୧୭।୧(ଡି.ଏନ୍.ଏ.) ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ୍ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଆମ୍ବପଳାସ ବିଟ୍ ଅନ୍ତର୍ଗତ ଖେସରା ଜଙ୍ଗଲରେ ଅସୁସ୍ଥ ହୋଇ ବିଚରଣ କରୁଥିବା ଏକ ମାଈ ହାତୀକୁ ରବିବାର ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରାଯାଇଛି। କପିଳାସର ଡାକ୍ତର ଅସିତ୍ ଚକ୍ରବର୍ତ୍ତୀ ଏବଂ ଶିମିଳିପାଳରୁ ଆସିଥିବା ଡାକ୍ତର କିଶୋର ବନ କର୍ମଚାରୀଙ୍କ ସହାୟତାରେ ହାତୀର ଚିକିତ୍ସା କରିବା ସହିତ ଆବଶ୍ୟକ ଆଣ୍ଟିବାୟୋଟିକ୍ ଦେଇଥିଲେ।
ମହାବିରୋଡ ରେଞ୍ଜ ଦାୟିତ୍ୱରେ ଥିବା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ସତ୍ୟନାରାୟଣ ସାହୁଙ୍କ କହିବା କଥା, ଉକ୍ତ ମାଈହାତୀର ଆନୁମାନିକ ବୟସ ୫ରୁ ୬ବର୍ଷ। ଏହାର ମୂଳ ବାସସ୍ଥଳୀ ଖମାର ରେଞ୍ଜ୍। କୌଣସି କାରଣରୁ ସେ ଦଳ ପରିତ୍ୟାଗ କରି ପ୍ରଥମେ ପଙ୍ଗାତୀରା ଏବଂ ପରେ ଆମ୍ବପଳାସ ବିଟ୍କୁ ଚାଲି ଆସିଛି। ଅସୁସ୍ଥ ଅବସ୍ଥାରେ ବିଚରଣ କରୁଥିବା ସୂଚନା ମିଳିଥିଲା। ଖାଦ୍ୟ ଖାଇବା ସମୟରେ ଏହାର ପାଟିରେ ଆଘାତ ଲାଗି ଗଭୀର ସଂକ୍ରମଣ ହୋଇଯାଇଛି। ତେଣୁ ସେ ଠିକ୍ ଭାବେ ଖିଆପିଆ କରି ନ ପାରି ଦୁର୍ବଳ ହୋଇପଡ଼ିଛି। ଚିକିତ୍ସା ପରେ ବନ ବିଭାଗ କର୍ମଚାରୀ ଏହା ଉପରେ ନଜର ରଖିଥିବା ରେଞ୍ଜର ସୂଚନା ଦେଇଛନ୍ତି। ହାତୀ ଚିକିତ୍ସା ସମୟରେ ଏସିଏଫ୍ ସୁବ୍ରତ ପାତ୍ର, ଫରେଷ୍ଟ ଗାର୍ଡ ଲୁସ୍ମିତା ସିଂ ପ୍ରମୁଖ ଉପସ୍ଥିତ ଥିଲେ।