Categories: ଜାତୀୟ

ମୃତ୍ୟୁ ପରେ ବି ଚିକିତ୍ସା ଜାରି

ନୂଆଦିଲ୍ଲୀ,୧୦ା୮: ଦେଶର ଅଭାବୀ ଲୋକଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ଯୋଜନାରେ ବଡ଼ ଧରଣର ଅନିୟମିତତା ହୋଇଥିବା ସାମ୍ନାକୁ ଆସିଛି। ‘ମୃତ’ ଦର୍ଶାଯାଇଥିବା ରୋଗୀଙ୍କ ଚିକିତ୍ସା ଜାରି ରଖିବା ଏବଂ ଗୋଟିଏ ମୋବାଇଲ ନମ୍ବରରେ ଅନେକ ଲକ୍ଷ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରାଯିବା ଭଳି ଦୁର୍ନୀତି ଉପରୁ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ପରଦା ହଟାଇଛନ୍ତି।
ଭାରତ ଯୋଜନାକୁ ନେଇ ସିଏଜି ଚାଞ୍ଚଲ୍ୟକର ପ୍ରଘଟ କରିଛନ୍ତି। ପାର୍ଲାମେଣ୍ଟରେ ମଙ୍ଗଳବାର ଉପସ୍ଥାପିତ ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପୂର୍ବରୁ ମୃତ ଦର୍ଶାଯାଇଥିବା ଅନେକ ରୋଗୀଙ୍କୁ ଏହି ଯୋଜନାରେ ଚିକିତ୍ସା କରାଯାଇଛି। ଏଭଳି ଅନିୟମିତତାର ସର୍ବାଧିକ ମାମଲା ଛତିଶଗଡ଼, ହରିୟାଣା, ଝାଡ଼ଖଣ୍ଡ, କେରଳ ଓ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ୮୮,୭୬୦ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଥିଲେ। କିନ୍ତୁ ୨,୧୪,୯୨୩ ଜଣଙ୍କୁ ଅର୍ଥ ପ୍ରଦାନ କରାଯାଇଥିଲା ବୋଲି ମୃତ୍ୟୁହାର ମାମଲାର ତଥ୍ୟ ବିଶ୍ଳେଷଣରୁ ଜଣାପଡ଼ିଛି। ଅଡିଟ୍‌ରୁ ଆହୁରି ଜଣାପଡ଼ିଛି ଯେ, ୩,୪୪୬ ରୋଗୀଙ୍କ ପାଇଁ ୬.୯୭ କୋଟି ଟଙ୍କା ହସ୍ପିଟାଲଗୁଡ଼ିକୁ ପ୍ରଦାନ କରାଯାଇଛି। ଜଣେ ରୋଗୀ ଏକକାଳୀନ ଅନେକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏପରି ଜାଲ୍‌ ଆଡ୍‌ମିଶନ ରୋକିବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇ ନାହିଁ। ୨୦୧୮ ସେପ୍ଟେମ୍ବରରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ସିଏଜି ଏହି ଯାଞ୍ଚ କରିଥିଲେ।
ଭାରତ ଯୋଜନାରେ ଏଭଳି ଅନିୟମିତତା ହେଉଥିବା ବିଷୟ ୨୦୨୦ ଜୁଲାଇରେ ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏ) ସ୍ବୀକାର କରିଥିଲେ। ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ଦାୟିତ୍ୱରେ ଥିବା ଏନ୍‌ଏଚ୍‌ଏ ପକ୍ଷରୁ ସିଏଜିଙ୍କୁ କୁହାଯାଇଥିଲା, ବିଭିନ୍ନ ଅପରେଶନାଲ କାରଣରୁ ଜଣେ ପରେ ଜଣେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସିଏଜି ଏହାକୁ ଗ୍ରହଣ ନ କରି ଜାତୀୟ ଓ ରାଜ୍ୟ କର୍ତ୍ତୃପକ୍ଷମାନେ ସବୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ସୁନିଶ୍ଚିତ କରିବା ଉଚିତ। ଆଇଟି ସିଷ୍ଟମ୍‌ (ଟିଏମ୍‌ଏସ୍‌) ସମାନ ସମୟରେ କୌଣସି ରୋଗୀଙ୍କୁ ଏକାଧିକ ହସ୍ପିଟାଲରେ ଭର୍ତ୍ତି କରିବାକୁ ବାରଣ କରି ନ ଥିଲା।

ଏବି-ପିଏମ୍‌ଜେଏଓ୍ବାଇ କ’ଣ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମ୍‌ଜେଏଓ୍ବାଇ) ହେଉଛି ଭାରତ ସରକାରଙ୍କ ଏକ ସ୍କିମ୍‌, ଯାହାର ଶୁଭାରମ୍ଭ ୨୦୧୮ ଏପ୍ରିଲ ୧ରେ କରାଯାଇଥିଲା। ଏହି ଯୋଜନା ଅଧୀନରେ ଆର୍ଥିକ ଭାବେ ଦୁର୍ବଳ ନାଗରିକମାନେ ହସ୍ପିଟାଲକୁ ଯାଇ ମାଗଣାରେ ଚିକିତ୍ସିତ ହୋଇଥାନ୍ତି। ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଥାନ୍ତି। ୨୦୨୩ ଅଗଷ୍ଟ ୧ ସୁଦ୍ଧା ଏହି ଯୋଜନାରେ ୨୪.୩୩ କୋଟି କାର୍ଡ ପ୍ରସ୍ତୁତ କରାଯାଇଥିବା ବିଷୟ ରାଜ୍ୟ ସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଏସ୍‌.ପି. ବଘେଲ ସୂଚନା ଦେଇଛନ୍ତି।

Share