ଅର୍ଥ ଅଭାବରୁ ହୋଇ ପାରିଲାନି ଚିକିତ୍ସା

କାଳିଆପାଣି,୧୧ା୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ରଁାସୋଳ ପଞ୍ଚାୟତର ମାଙ୍କେଡ଼ିଆ ସମ୍ପ୍ରଦାୟ ଲୋକେ ଅର୍ଥ ଅଭାବରୁ ଚିକିତ୍ସା ସୁବିଧା ପାଇ ପାରୁନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କରାଯାଇଥିଲେ ମଧ୍ୟ ଜନଜାତି ମାଙ୍କେଡ଼ିଆ ସମ୍ପ୍ରଦାୟ ଏସବୁ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ଯାହାର ଉଦାହରଣ ଦେଖିବାକୁ ମଳିଛି ମାଙ୍କେଡ଼ିଆ ବସ୍ତିରେ ରହୁଥିବା ପାଣ୍ଡେ ମାଙ୍କେଡ଼ିଆ(୩୫)ଙ୍କ କ୍ଷେତ୍ରରେ। ଗତ ୫ ତାରିଖରେ ତାଙ୍କ ପେଟ ଫୁଲିଯିବାରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କୁ ଅଙ୍ଗନୱାଡି କର୍ମୀ ଛବିରାଣୀ ନାଏକ ୧୦୮ ଆମ୍ବୁଲାନ୍ସ ଯୋଗ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ କିଛି ଆର୍ଥିକ ସହଯୋଗ କରିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ୨ ଦିନ ଚିକିତ୍ସା ପରେ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ରେଫର କରିଥିଲେ। ହେଲେ ପାଖରେ ଟଙ୍କା ନ ଥିବାରୁ ପାଣ୍ଡେ ନିଜ ସ୍ତ୍ରୀ ସହ ଘରକୁ ଫେରି ଆସିଛନ୍ତି। ପାଣ୍ଡେ ଘରେ ପହଞ୍ଚିବା ପରେ ଅଙ୍ଗନୱାଡି କର୍ମୀ ଛବି ତାଙ୍କ ଘରକୁ ଯାଇ ଫେରି ଆସିବା କାରଣ ପଚାରିଥିଲେ। ପାଣ୍ଡେ ଅର୍ଥ ନ ଥିବାରୁ ଘରକୁ ଫେରି ଆସିଲି ବୋଲି ପ୍ରକାଶ କରିଥିଲେ। ମୂଲ ଲାଗି ପେଟ ପୋଷୁଥିବା ପାଣ୍ଡେ ରୋଗର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କେଉଁଠାରୁ କରିବେ ବୋଲି କହିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ହୋଇପାରିବ ବୋଲି ପାଣ୍ଡେ ଆଶା ରଖିଥିଲେ। ହେଲେ ତାହା ସମ୍ଭବ ହୋଇ ନ ପାରିବାରୁ ସେ ଫେରି ଆସିଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ତେବେ ପାଣ୍ଡେଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି।

Share