Advertisement

କାଳବୈଶାଖୀରେ ଭାଙ୍ଗିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ବରଗଡ଼ ଅଫିସ,୭।୫: ବରଗଡ଼ ଜିଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଝଡ଼ତୋଫାନ ସାଙ୍ଗକୁ ବର୍ଷା ଯୋଗୁ ବିଶେଷକରି ବରଗଡ଼ ସହରରେ ଏହାର ପ୍ରଭାବ ଅଧିକ ରହିଥିଲା। ପ୍ରବଳ ବେଗରେ ପବନ ବହିବାରୁ ସହରରେ ରହିଥିବା ବହୁ ଗଛ ଡାଳ ଭାଙ୍ଗି ଯାଇଛି। ଅନେକ ସ୍ଥାନରେ ଆଜବେଷ୍ଟସ୍‌ ଛାତ ଉଡି ଯାଇଥିବା ବେଳେ ବିଦ୍ୟୁତ୍‌ ତାର ଛିଣ୍ଡିଯାଇଛି। ସହରର ରାସ୍ତା ପାଶର୍‌ବରେ ଲାଗିଥିବା ହୋର୍ଡିଂଗୁଡିକ ଭାଙ୍ଗି ପଡିଛି। ଗଛ ଡାଳଗୁଡିକ ବିଦ୍ୟୁତ୍‌ ତାର ଉପରେ ପଡିଯିବାରୁ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। ଲାଇନ ନ ଥିବାରୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବରଗଡ଼ ଗାନ୍ଧୀଛକ, ଏସ୍‌ପି ଅଫିସ ସମ୍ମୁଖ ଶକ୍ତି ନଗର, ଗୁରୁଦ୍ୱାରା-ରେଳଷ୍ଟେଶନ ରାସ୍ତା ଆଦି ସ୍ଥାନରେ ଗଛ, ଡାଳ ଭାଙ୍ଗି ପଡିଥିବା ଯୋଗୁ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇରହିଥିଲା। ପ୍ରବଳ ପବନ ଯୋଗୁ ବ୍ରହ୍ମବିହାରସ୍ଥିତ ରାମମନ୍ଦିର କଲ୍ୟାଣ ମଣ୍ଡପ ଶେଡ୍‌ ଭୁଶୁଡି ପଡ଼ିଛି। ସହରର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଏଭଳି କ୍ଷୟକ୍ଷତି ହୋଇଥିବା ବେଳେ ଜିଲାର ଅନ୍ୟ ସ୍ଥାନରେ କାଳବୈଶାଖୀର ଆଂଶିକ ପ୍ରଭାବ ପଡିଛି। ଅନ୍ୟପକ୍ଷେ କାଳବୈଶାଖୀର ଏଭଳି ତାଣ୍ଡବ ଦେଖି ଚାଷୀକୁଳ ଚିନ୍ତିତ ହୋଇପଡିଛନ୍ତି। ଜିଲାରେ ରବିଧାନ ଅମଳ ଆରମ୍ଭ ହୋଇଯାଇଛି। ଏଭଳି ଝଡବର୍ଷା ଲାଗି ରହିଲେ ଚାଷୀଙ୍କ ଅମଳ ଧାନ ଉଜୁଡ଼ିବା ଆଶଙ୍କା ରହିଛି। ସେହିପରି ମଣ୍ଡିଗୁଡିକରେ ଏବେଠାରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରା ନ ଗଲେ ଧାନ ସଂଗ୍ରହ ବେଳେ ମଣ୍ଡିରେ ଧାନ ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ବିଗତବର୍ଷ ଭଳି ହଟହଟା ହେବାକୁ ପଡିବ। ଫଳରେ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share