ଗଛ ଲଗାଇବା ହେଉ କି ପରିବେଶ ସଫାସୁତରା ରଖିବା, ଏହିସବୁ କାମ ହିଁ ତାଙ୍କୁ ଆନନ୍ଦ ଦେଇଥାଏ। ଏଇଥିରୁ ହିଁ ସେ ପାଇଥାନ୍ତି ଆତ୍ମତୃପ୍ତି…
ଦିନକୁ ଦିନ ବହୁସଂଖ୍ୟାରେ ଗଛକଟା ହେବା ଯୋଗୁ ଜଙ୍ଗଲ ଧ୍ୱଂସ ହେଉଛି। ଏଥିଯୋଗୁ ପ୍ରକୃତି ତା’ର ଭାରସାମ୍ୟ ହରାଇ ବସିଲାଣି। ପରିବେଶ ସନ୍ତୁଳନରେ ବାଧା ବି ଉପୁଜିଲାଣି। ଏମିତି ପରିସ୍ଥିତିରେ କିଛି ଲୋକ ଜଙ୍ଗଲ ବଞ୍ଚାଇବା ପାଇଁ ବୃକ୍ଷରୋପଣ କରିବାର ସପକ୍ଷରେ ଅଛନ୍ତି। ସେମିତି ଜଣେ ବ୍ୟକ୍ତି ହେଲେ ନକୁଳ ସୁନ୍ଦରା, ବୟସ ପ୍ରାୟ ୫୦ ଡେଇଁ ସାରିଲାଣି। ଘର ପୁରୀ ଜିଲାର କୃଷ୍ଣପ୍ରସାଦ ଅଞ୍ଚଳର ସିପିଆ ଗାଁରେ। ସେ କୁହନ୍ତି, ପତ୍ନୀ, ଗୋଟିଏ ପୁଅ ଓ ୨ଟି ଝିଅଙ୍କୁ ନେଇ ମୋ ପରିବାର।
ଦୈନିକ ମୂଲମଜୁରି ଲାଗିଲେ ପରିବାର ପ୍ରତିପୋଷଣ ହୋଇଥାଏ। ଏଥିସହିତ ପ୍ରତିଦିନ ବୃକ୍ଷସୁରକ୍ଷାରେ ପ୍ରାୟ ୨ଘଣ୍ଟା ସମୟ ଦେଇଥାଏ। ଆଜକୁ ପ୍ରାୟ ୩ବର୍ଷ ତଳେ ଥରେ ଗାଁ ନିକଟ ଏକ ପଡ଼ିଆରେ କେତେଜଣ ଝିଅ ପୁଅ ଓ ମହିଳାମାନେ ଏକାଠି ହୋଇ ବିଭିନ୍ନ ଚାରା ଲଗାଉଥିଲେ ।
ସେଦିନ ସେଠାରେ ଚାରାରୋପଣ ଦୃଶ୍ୟ ଦେଖି ମୋର ମନ ବଦଳି ଯାଇଥିଲା। ଗାଁର ଝିଅ ବୋହୂମାନେ ଏକାଠି ହୋଇ ଖୁସିରେ ଚାରାରୋପଣ କରୁଥିଲେ। ତା’ ପରେ ଅତି ଆଗ୍ରହରେ ସେମାନଙ୍କ ସହିତ ସାମଲ ହୋଇଥିଲି। ସେବେଠାରୁ ବୃକ୍ଷରୋପଣ କାର୍ଯ୍ୟ କରିଆସୁଛି। ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଅଳିଆ ଆବର୍ଜନା ସଫା କରିଥାଏ। ଟୁବୁକା ମଠ ପରିସର ଓ ସ୍କୁଲ ହତାରେ ବିଭିନ୍ନ ବୃକ୍ଷରୋପଣ କରାଯାଇଛି। କନ୍ଦାଖାଇ କଲେଜ ପରିସରରେ ମଧ୍ୟ କେତେକ ଗଛ ଲଗାଇଛୁ। ମୋ ଉଦ୍ୟମରେ ବିଶେଷକରି ଆମ୍ବ, ଅଁଳା, ଲେମ୍ବୁ ,ଗୁଆ, ବର, ଓସ୍ତଗଛ ଆଦି ବହୁସଂଖ୍ୟକ ବୃକ୍ଷରୋପଣ ହୋଇସାରିଲାଣି। ଚିଲିକା ଉପକୂଳ ଗାଁର ରାସ୍ତାକଡ଼ ଓ ଘେରିବନ୍ଧରେ ପ୍ରାୟ ୧୫ ହଜାର ତାଳ ଟାକୁଆ ପକାଇଥିଲି।
ସେସବୁରୁ ଗଜା ହୋଇ ଗଛ ହୋଇସାରିଲାଣି। ଗଛ ଲଗାଇବା ହେଉ କି ପରିବେଶ ସଫାସୁତରା ଆଦି କାମରେ ମୋତେ ଆନନ୍ଦ ମିଳୁଛି। କାରଣ ବୃକ୍ଷ ହିଁ ଦେବତା, ସେ ଜୀବନ ଦେଇଥାଏ। ଏହି ସେବାରେ ମୋତେ ପୁଣ୍ୟମିଳୁଛି ବୋଲି ମୋର ଦୃଢବିଶ୍ୱାସ ରହିଛି।