୫୯ ନଂ ଜାତୀୟ ରାଜପଥ ଉପରେ ଗଛକାଟି ରାସ୍ତା ଅବରୋଧ: ୟାତାୟତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୨।୨(ଡି.ଏନ.ଏ): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିର ୧୩ ନଂ ବୁଲାଣିରେ କେହି ଦୁର୍ବୁତ୍ତ ବିରାଟକାୟ ଗଛ କାଟି ପକାଇଛନ୍ତି। ଫଳରେ ଗୁରୁବାର ଭୋର ସମୟରୁ ଦାରିଙ୍ଗବାଡି, ବାଲିଗୁଡା ଅଞ୍ଚଳରୁ ବ୍ରହ୍ମପୁର, ଭଞ୍ଜନଗର ଆଦି ଅଞ୍ଚଳକୁ ଯାଉଥିବା ଯାତ୍ରୀବାହୀ ବସ୍‌ ସମେତ ବିଭିନ୍ନ ପ୍ରକାର ଗାଡି ଘାଟିରେ ଅଟକି ରହିଛି। ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଏଭଳି ଗଛ କାଟି ଅବରୋଧ କରିଥାଇପାରେ ବୋଲି ଆଲୋଚନା ହେଉଛି। ଖବର ପାଇ ସୋରଡ଼ା ପୋଲିସ ପକ୍ଷରୁ ଅଗ୍ନିଶମ ବିଭାଗ ଓ ବନ ବିଭାଗକୁ ସୂଚନା ଦିଆଯାଇଛି ରାଜପଥ ଉପରୁ ଗଛ ହଟା ଯିବାକୁ ପଦକ୍ଷେପ ନିଆଯାଉଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଖବର ଲେଖିବା ସୁଦ୍ଧା ଗଛ ହଟା ଯାଇପାରିନାହିଁ। ପ୍ରକାଶ ଯେ, ଗତ କିଛି ବର୍ଷ ତଥା ୨୦୧୨ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ମାଓବାଦୀ ଉପଦ୍ରବ ରହିଥିଲା ତେବେ ସେହି ସମୟରେ ଏକାଧିକ ଥର ମାଓବାଦୀ ସେହି ରାଜପଥ ଉପରେ ଗଛକାଟି ରାସ୍ତା ଅବରୋଧ କରିବା ନଜିର ରହିଛି। ତେବେ ଏବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏହି ଗଛ କାଟି ରାଜପଥ ଅବରୋଧ କରିଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଆଲୋଚନା ହେଉଛି। ସେହି ରାଜପଥ ଉପରେ ୟାତାୟତ କରୁଥିବା ଯାତ୍ରୀଙ୍କ ମଧ୍ୟରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି।