Categories: ମେଟ୍ରୋ

ଡ୍ରେନ୍‌ ପାଇଁ କଟାହେଲା ଗଛ

ଭୁବନେଶ୍ୱର,୯।୬(ବ୍ୟୁରୋ): ବିକାଶ ନାଁରେ ପରିବେଶ ସୁରକ୍ଷା କଥା ଭୁଲି ଯାଉଛନ୍ତି ଅଧିକାରୀ। ବିଭିନ୍ନ ନିର୍ମାଣ ପାଇଁ ରାଜଧାନୀ ଭୁବନେଶ୍ୱରରେ କଟା ଚାଲିଛି ଗଛ। ନିକଟରେ ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ଲାଗି ଗଛକଟାକୁ ତୀବ୍ର ବିରୋଧ ଜାରି ରହିଛି। ଆନ୍ଦୋଳନ ପରେ ଏଠାରେ ଗଛକଟା ବନ୍ଦ ରହିଥିଲେ ମଧ୍ୟ ସହରର ଏକାଧିକ ସ୍ଥାନରେ ଗଛ କଟା ଚାଲିଥିବା ଦେଖିବାକୁ ମିଳୁଛି। ନୂଆପଲ୍ଲୀ-ଜୟଦେବ ବିହାର ସର୍ଭିସ୍‌ ରୋଡ୍‌ ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ ପାଇଁ ଶତାଧିକ ଗଛ ବଳି ପଡ଼ିବାକୁ ଯାଉଛି। ଇସ୍କନ ମନ୍ଦିର ସମ୍ମୁଖ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ଷା ପାଣି ନିଷ୍କାସନ ପାଇଁ ଏନ୍‌ଏଚ୍‌ଏଆଇ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ଡ୍ରେନ ନିର୍ମାଣ କରାଯିବ। ବର୍ଷା ପାଣିକୁ ବାଣୀବିହାର ନିକଟରେ ଛାଡ଼ିବାକୁ ଯୋଜନା ହୋଇଛି। ତେବେ ଜୟଦେବ ବିହାର ଯାଏ ରାସ୍ତା ପାର୍ଶ୍ୱରେ ଥିବା କେତେକ ଗଛକୁ କଟାଯିବ। ଏବେ ଇସ୍କନ ମନ୍ଦିର ନିକଟରୁ ଗଛ କଟା ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଗଛକଟା ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ହିମାଂଶୁ କୁମାର ଷଡ଼ଙ୍ଗୀ କହିଛନ୍ତି, ଇସ୍କନ ପାଖ ଅଞ୍ଚଳରେ ପାଣି ଜମିବା ଏକ ବଡ଼ ସମସ୍ୟା। ଆଗକୁ ବର୍ଷା ଦିନ ଆସୁଛି। ପାଣି ନିଷ୍କାସନ ପାଇଁ ସେଠାରେ ଡ୍ରେନ ନିର୍ମାଣର ଆବଶ୍ୟକତା ରହିଛି। ଏଥିଲାଗି ବେଶି ଗଛ କଟାଯାଇ ନାହିଁ। ଛୋଟ ଛୋଟ ଗଛ କଟିଛି। ବଡ଼ ଗଛଗୁଡ଼ିକୁ ବଞ୍ଚାଇବା ପାଇଁ ଏହି ବାଟରେ ଡ୍ରେନ୍‌ କରାଯାଉଛି। ଏହା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି।

Share