Categories: ଜାତୀୟ

ଥରିବ ଉତ୍ତର ଭାରତ: ୪ ଦିନ ଜାରି ରହିବ ଶୀତ ଲହରୀ

ନୂଆଦିଲ୍ଲୀ,୨୨।୧୨: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଆଗାମୀ ୪ ଦିନ ଧରି ପ୍ରବଳ ଥଣ୍ଡା ଜାରି ରହିବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶୀତ ଲହରୀ ଯୋଗୁ ସାଧାରଣ ଜୀବନ ଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ସେଲସିୟସ୍‌ ରହିଥିବାବେଳେ ରବିବାର ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍‌ ଥିଲା। ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ପୁଣି କମିବାର ସମ୍ଭାବନା ରହିଛି। ଦୁଇଦିନ ମଧ୍ୟରେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ ଏବଂ ଲଦାଖ ଅଞ୍ଚଳରେ ତାପମାତ୍ରା ଗତ ସପ୍ତାହ ତୁଳନାରେ ଯଥେଷ୍ଟ କମ୍‌ ରହିଛି। କେତେକ ଅଞ୍ଚଳରେ ତୁଷାରପାତ ଜାରି ରହିଛି। ତାପମାତ୍ରା କମିବା ଯୋଗୁ ଘନ କୁହୁଡ଼ି ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ଏନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି।

Share