ଅନଲାଇନ୍‌ରେ ମଗାଇଥିଲେ ଫୋନ୍‌, ପାର୍ସଲରେ ଖୋଲିବା ପରେ ଉଡିଲା ହୋସ୍‌

ନୂଆଦିଲ୍ଲୀ,୧୯।୩: ବର୍ତ୍ତମାନ ସମୟରେ ଲୋକମାନେ ଅନଲାଇନରେ ସବୁକିଛି କିଣିବାକୁ ପସନ୍ଦ କରୁଛନ୍ତି। କାରଣ ଅନ୍‌ଲାଇନ୍‌ ଶପିଂ ସେମାନେ ଭଲ ରିହାତି ପାଉଛନ୍ତି। ଦୋକାନରୁ ଦୋକାନକୁ ବୁଲିବାକୁ ପଡ଼ୁନାହିଁ। ବିଶେଷକରି ଅନ୍‌ଲାଇନ୍‌ରେ ମୋବାଇଲ ଫୋନ କିଣିବା ଟ୍ରେଣ୍ଡ ପାଲଟିଲାଣି। ଲୋକମାନେ ଅନଲାଇନରେ ଫୋନ କିଣିବା ଶସ୍ତା ବୋଲି ମନେ କରୁଛନ୍ତି। ହେଲେ ଅନେକ ଥର ଏହି ଅନଲାଇନ କିଣାରେ ହେରଫେର ହୋଇଥାଏ। ଗ୍ରାହକ ଯେଉଁ ଉତ୍ପାଦ କିଣିଥାନ୍ତି, ଭୁଲବଶତଃ ତାଙ୍କୁ ଅନ୍ୟ କିଛି ଉତ୍ପାଦ କମ୍ପାନୀ ପଠାଇଦେଇଥାଏ। ଏବେ ଜଣେ ବ୍ୟକ୍ତିଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଛି।
ଉକ୍ତ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ଅନଲାଇନ ସପିଂ କମ୍ପାନୀ ଫ୍ଲିପକାର୍ଟରୁ ନଥିଂ ଫୋନ (୨A) ଅର୍ଡର କରିଥିଲେ। କିନ୍ତୁ କମ୍ପାନୀ ଏହାର ପ୍ରତିବଦଳରେ ତାଙ୍କୁ ଭୁଲ ଫୋନ୍‌ ପଠାଇଛି। ଏଥିସହ କୌଣସି ସଠିକ ସ୍ପଷ୍ଟୀକରଣ ନ ଦେଇ ଉତ୍ପାଦ ଫେରସ୍ତ ପାଇଁ ତାଙ୍କ ଅନୁରୋଧକୁ କମ୍ପାନୀ ପ୍ରତ୍ୟାଖ୍ୟାନ କରିଥିବା ସେ ଅଭିଯୋଗ କରିଛନ୍ତି। ଟୱିଟର ବ୍ୟବହାରକାରୀ ତୁୟାବ(@MalikTuyyab) ଦାବି କରିଛନ୍ତି ଯେ ସେ ଫ୍ଲିପକାର୍ଟରୁ ନଥିଂ ଫୋନ (୨A) ଅର୍ଡର କରିଥିଲେ। କିନ୍ତୁ ଏହା ବଦଳରେ ଏକ ଆଇକଲ୍‌ ଫୋନ ପାଇଛନ୍ତି।
ତାଙ୍କ ପୋଷ୍ଟର କ୍ୟାପସନରେ ଫ୍ଲିପକାର୍ଟକୁ ଟ୍ୟାଗ କରି ସେ ଲେଖିଛନ୍ତି, ‘ମୁଁ ନଥିଂ ଫୋନ ୨A ଅର୍ଡର କରି ନାହିଁ, କିନ୍ତୁ ମୁଁ ଭୁଲ ଉତ୍ପାଦ ପାଇଛି। ବିଶେଷକରି ଆଇକଲ୍‌ ବ୍ରାଣ୍ଡର ଏକ ଫୋନ। ମୁଁ ଗତକାଲିଠାରୁ ଉତ୍ପାଦକୁ ଫେରସ୍ତ/ ବିନିମୟ କରିବାକୁ ଚେଷ୍ଟା କରୁଛି, କିନ୍ତୁ ମୁଁ ଆପଣଙ୍କଠାରୁ କୌଣସି ସମର୍ଥନ ପାଇ ନାହିଁ ।
ଉକ୍ତ ବ୍ୟକ୍ତିଙ୍କ କହିବାନୁସାରେ, ଫ୍ଲିପକାର୍ଟ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ କ୍ୟୁରିଅର୍‌ ସେବା ପ୍ରଦାନକାରୀ ଉତ୍ପାଦ ଅକ୍ଷୁର୍ଣ୍ଣ ଭାବରେ ଅର୍ଡର ବିତରଣକୁ ନିଶ୍ଚିତ କରିଛନ୍ତି। ବ୍ୟକ୍ତି ଜଣକ କମ୍ପାନୀକୁ ଅଭିଯୋଗ କରିଛନ୍ତି ଯେ ତାଙ୍କର ପ୍ରଡକ୍ଟର ଅନ-ବକ୍ସିଂ ଭିଡିଓ ଅଛି, କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଫେରସ୍ତ ଅନୁରୋଧ ପ୍ରତ୍ୟାଖ୍ୟାନ କରାଯାଇଛି। ଉପଭୋକ୍ତା ପୋଷ୍ଟ କରିଥିବା ଭିଡିଓରେ, ଡେଲିଭରି ଏଜେଣ୍ଟ ବାକ୍ସ ଖୋଲିବା ଏବଂ ଆଇକଲ୍‌ ଫୋନ ବାହାର କରୁଥିବା ଦେଖିବାକୁ ମିଳୁଛି।

Share