Categories: ଜାତୀୟ

ସଂଯୁକ୍ତତା, ସମନ୍ବୟ ଉପରେ ଆଜି ୩ ବାହିନୀର ସମ୍ମିଳନୀ

ନୂଆଦିଲ୍ଲୀ,୮ା୪(ପି.ଟି.):ସେନାରେ ସଂଯୁକ୍ତତା ଓ ସମନ୍ବୟକୁ ଆଗେଇ ନେବା ପାଇଁ ଉପକ୍ରମ ଏବଂ ସଂସ୍କାର ଆଣିବା ଲକ୍ଷ୍ୟରେ ସୋମବାର ନୂଆଦିଲ୍ଲୀରେ ୩ ବାହିନୀର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ‘ପରିବର୍ତ୍ତନ ଚିନ୍ତନ’ ନାମରେ ଏହି ସମ୍ମିଳନୀରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ଅନିଲ ଚୌହାନ ଅଧ୍ୟକ୍ଷତା କରିବେ। ସଂଯୁକ୍ତତା ଓ ସମନ୍ବୟ ବଢ଼ାଇବା ପାଇଁ ନୂତନ ତଥା ସାନି ଚିନ୍ତାଧାରା ଏବଂ ଉପକ୍ରମ ଓ ସଂସ୍କାର ସୃଷ୍ଟି କରିବା ଏହି ସମ୍ମିଳନୀର ଲକ୍ଷ୍ୟ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ପରିକଳ୍ପିତ ଭବିଷ୍ୟତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ନିମନ୍ତେ ଭାରତୀୟ ସଶସ୍ତ୍ର ବଳ ଏହାର ଅନୁସନ୍ଧାନରେ ବ୍ୟାପକ ପରିବର୍ତ୍ତନ ଆରମ୍ଭ କରିଛି। ତିନି ବାହିନୀକୁ ବହୁମୁଖୀ ଅଭିଯାନ ସମର୍ଥ କରାଇବା ନିମନ୍ତେ ଏହାର ଢାଞ୍ଚାରେ ଉନ୍ନତି କରାଯାଉଥିବାବେଳେ ସଂଯୁକ୍ତତା ଓ ସମନ୍ବୟ ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି। ‘ଚିନ୍ତନ’ ୩ ବାହିନୀ ମୁଖ୍ୟମାନଙ୍କର ପ୍ରଥମ ସମ୍ମିଳନୀ ହେବାକୁ ଯାଉଛି। ଏଥିରେ ପ୍ରତିରକ୍ଷା ବ୍ୟାପାର ବିଭାଗ, ମୁଖ୍ୟାଳୟ ସହ ସଂଶ୍ଳିଷ୍ଟ ପ୍ରତିରକ୍ଷା ଷ୍ଟାଫ୍‌ ଏବଂ ୩ ବାହିନୀର ଅଫିସର ତଥା ବିଭିନ୍ନ ସେବା ବିଭାଗର ଅଧିକାରୀ ଯୋଗଦେଇ ସେମାନଙ୍କ ବୁଝାମଣା ଓ ଅଭିଜ୍ଞତା ଆଧାରରେ ଏକତା ଓ ସମନ୍ବୟ ଲକ୍ଷ୍ୟ ହାସଲ ଲାଗି ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୁପାରିସ କରିବେ ବୋଲି ବିବୃତିରେ କୁହାଯାଇଛି।

Share