Categories: ଜାତୀୟ

ଜ୍ଞାନବ୍ୟାପି ମାମଲାର ଶୁଣାଣି ଶୁକ୍ରବାର, ନିମ୍ନ ଅଦାଲତଙ୍କ ପ୍ରକ୍ରିୟା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ/ବାରାଣସୀ, ୧୯।୫ : ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର କମ୍ପ୍ଲେକ୍ସରେ ଅବସ୍ଥିତ ଜ୍ଞାନବ୍ୟାପି ମସଜିଦରେ ଶିବଲିଙ୍ଗଙ୍କ ଦାବିକୁ ନେଇ ବିବାଦ ଜାରି ରହିଛି। ଅପରପକ୍ଷରେ ଜ୍ଞାନବ୍ୟାପି ମସଜିଦ-ଶୃଙ୍ଗାର ଗୌରୀ ବିବାଦ ମାମଲାର ଶୁଣାଣି ଗୁରୁବାର ଦିନ ସୁପ୍ରିମକୋର୍ଟରେ ଅନୁଷ୍ଠିତ ହୋଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ବାରାଣାସୀରେ ଟ୍ରାଏଲ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ମାମଲାର ଶୁଣାଣି ଶୁକବ୍ରାର ପର୍ଯ୍ୟନ୍ତ ସ୍ଥଗିତ ରହୁ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହାର ଶୁଣାଣି ଶୁକ୍ରବାର ଅପରାହ୍ନ ୩ଟାରେ ହେବ। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଶୁକ୍ରବାର ଆମେ ଏହି ମାମଲାର ଶୁଣାଣି ନକରିବା ପର୍ଯ୍ୟନ୍ତ ବାରାଣାସୀର ନିମ୍ନ ଅଦାଲତରେ ଶୁଣାଣି ହେବ ନାହିଁ।

ବାରାଣସୀ ସିଭିଲ କୋର୍ଟରେ ଶୁଣାଣି ହେବାକୁ ଥିବା ଦୁଇଟି ଆବେଦନ କରାଯାଇଛି। ପ୍ରଥମଟି ହେଉଛି ମହିଳା ମକଦ୍ଦମାକାରୀ, ଯେଉଁଥିରେ ସେମାନେ ନନ୍ଦୀଙ୍କ ସମ୍ମୁଖରେ ଥିବା ଉଜୁୁଖାନାରୁ ମିଳିଥିବା ଶିବଲିଙ୍ଗ ସମ୍ମୁଖର କାନ୍ଥ ଭାଙ୍ଗିବା ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦ୍ୱିତୀୟ ଆବେଦନ ହେଉଛି ସରକାରୀ ଓକିଲ ମହେନ୍ଦ୍ର ପ୍ରସାଦ ପାଣ୍ଡେଙ୍କଠାରୁ, ଯେଉଁଥିରେ ଉଜୁଖାନା ସିଲ ହେବା ଏବଂ ପୋଖରୀରେ ମାଛଙ୍କ ଜୀବନ ପ୍ରତି ସଙ୍କଟ, ପୂଜକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ରହିଛି।

କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ ଶୁଣାଣି ନକରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଗୁରୁବାର ବାରାଣସୀର ନିମ୍ନ ଅଦାଲତରେ ମଧ୍ୟ ଶୁଣାଣି ହୋଇନାହିଁ।

Share