Categories: ଖେଳ

ଭାଲିଏଭା ବିପକ୍ଷ ଡୋପିଙ୍ଗ ମାମଲାର ବିଚାର ଆରମ୍ଭ

ଲାଉସାନେ, ୨୭ା୯(ଏପି): ବେଜିଂ ଅଲିମ୍ପିକ୍ସ ୨୦୨୨ରେ ଏକ ଡୋପିଙ୍ଗ ମାମଲାରେ ଫସିଯାଇଥିବା ରୁଷିଆର ସ୍ବଳ୍ପ ବୟସ୍କା ଫିଗ ସ୍କେଟର କାମିଲା ଭାଲିଏଭାଙ୍କର ବିଚାରକାର୍ଯ୍ୟ ସ୍ଥାନୀୟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। କ୍ରୀଡ଼ାର ଏହି ସର୍ବୋଚ୍ଚ ନ୍ୟାୟାଳୟର ଏକ ରୁଦ୍ଧଦ୍ୱାରରେ ଏହି ମାମଲାର ଶୁଣାଣି ଅତିକମ୍‌ରେ ୩ ଦିନ ଧରି ଚାଲିବ। ଭାଲିଏଭାଙ୍କ ବୟସ ଅଲିମ୍ପିକ୍ସ ସମୟରେ ମାତ୍ର ୧୫ ବର୍ଷ ହୋଇଥିଲା। ବର୍ତ୍ତମାନ ତାଙ୍କୁ ୧୭ ବର୍ଷ। ରୁଷିଆରୁ ସେ ଭିଡିଓ ଲିଙ୍କ୍‌ ଜରିଆରେ ତାଙ୍କର ସାକ୍ଷ୍ୟ ଦେବେ। ଚଳିତବର୍ଷ ଶେଷ ଆଡକୁ ଏହି ମାମଲାର ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। କୋର୍ଟଙ୍କ ରାୟକୁ ୯ଜଣ ଆମେରିକୀୟ ସ୍କେଟର ପ୍ରତୀକ୍ଷା କରି ରହିଛନ୍ତି, ଯେଉଁମାନେ କି ଟିମ୍‌ ଇଭେଣ୍ଟରେ ଚାମ୍ପିୟନ ହୋଇପାରନ୍ତି। ବେଜିଂ ଅଲିମ୍ପିକ୍ସରେ ଏମାନେ ଭାଲିଏଭା ଓ ରୁଷୀୟମାନଙ୍କ ପଛକୁ ଦ୍ୱିତୀୟ ହୋଇଥିଲେ। ଭାଲିଏଭାଙ୍କଠାରୁ ସଂଗୃହୀତ ସାମ୍ପଲରୁ ହାର୍ଟ ଔଷଧର ମାତ୍ରା ଦେଖିବାକୁ ମିଳିଥିଲା। ଫିଗର ସ୍କେଟରଙ୍କ ଜେଜେବାପା ଜଣେ ହାର୍ଟ ରୋଗୀ। ସେ ବ୍ୟବହାର କରୁଥିବା ଗ୍ଲାସ କିମ୍ବା ପ୍ଲେଟରୁ ଔଷଧ କୌଣସି କାରଣରୁ ପେଟ ଭିତରକୁ ଚାଲିଯାଇଥାଇପାରେ ବୋଲି ଅନୁମାନ କରାଯାଉଛି।

Share