ଡ. ବିଜୟ କେତନ ପଟ୍ଟନାୟକ
ସକାଳୁ ଖବରକାଗଜର ପୃଷ୍ଠା ଓଲଟେଇଲେ ବା ଟେଲିଭିଜନ ଖୋଲିଦେଲେ ହାତୀ ମୃତ୍ୟୁ ଖବର ପ୍ରାୟତଃ ନଜରକୁ ଆସିଥାଏ। ଗତ ମାସେ ଦୁଇ ମାସ ଭିତରେ ଏପ୍ରକାର ଦୁଃଖଦ ଖବରର ପୌନଃପୁନିକତା ବଢ଼ି ବଢ଼ି ଚାଲିଛି। ଗତ ଜୁଲାଇ ୫ରେ ଓଡ଼ିଶା ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଇଥିବା ବିବୃତି ଅନୁଯାୟୀ, ବିଗତ ୧୦ବର୍ଷ ଭିତରେ ରାଜ୍ୟରେ ୭୮୪ହାତୀଙ୍କ ଜୀବନ ଯାଇଛି। ଦାନ୍ତ ପାଇଁ ହାତୀ ଶିକାର, ଜଳାଶୟରେ ବିଷ ପ୍ରୟୋଗ, ରେଳ ଏବଂ ସଡ଼କ ଦୁର୍ଘଟଣା, ଆକସ୍ମିକ ବା ଅନିଚ୍ଛାକୃତ ଭାବରେ ବିଦ୍ୟୁତ୍ ତାର ସଂଯୋଗ କାରଣରୁ ମୃତ୍ୟୁ ଘଟୁଥିବା ହାତୀଙ୍କ ସଂଖ୍ୟା ମୋଟ ମୃତ୍ୟୁ ସଂଖ୍ୟାର ୨୫ ପ୍ରତିଶତରୁ ଅଧିକ। ରାଜ୍ୟରେ ଶେଷଥର ପାଇଁ ହାତୀ ଗଣନା ୨୦୧୭ରେ ହୋଇଥିଲା ଓ ମୋଟ ୧୯୭୬ଟି ହାତୀ ଥିବା ଜଣାପଡ଼ିଥିଲା। ଏ ଭିତରେ ୫ବର୍ଷ ବିତିଗଲାଣି। ହାତୀ ସଂଖ୍ୟା ବଢ଼ିଛି, ସ୍ଥିର ଅଛି ନା କମିଛି, କିଏ ଜାଣେ? ମନ୍ତ୍ରୀ ତାଙ୍କ ବିବୃତିରେ ଏ କଥା ମଧ୍ୟ କହିଛନ୍ତି, ଗତ ତିନିବର୍ଷରେ ମୋଟ ୩୫ଟି ବନଖଣ୍ଡରେ ୨୪୫ ହାତୀ ମୃତ୍ୟୁ ଘଟିଛି। ଏକଥା ନିଶ୍ଚିତ ଯେ ଆଠଗଡ଼, ବଡ଼ମ୍ବା, ନରସିଂହପୁର ଅଞ୍ଚଳରେ ଅନେକ ଶିକାରୀ ଅଛନ୍ତି। ଶିକାରୀମାନଙ୍କ ଲୋଲୁପ ଦୃଷ୍ଟିରୁ ହାତୀ ବଂଶକୁ ରକ୍ଷା କରିବା ପାଇଁ ନିମ୍ନୋକ୍ତ ପ୍ରସ୍ତାବଗୁଡ଼ିକ ବିଚାର କରାଯାଇପାରେ।
ଜଙ୍ଗଲ ନିକଟରେ ଏବଂ ପାଖାପାଖି ଅଞ୍ଚଳରେ ରହୁଥିବା ଶିକାରୀମାନଙ୍କର ଏକ ସ୍ବତନ୍ତ୍ର ‘ଡାଟାବେସ୍’, ଯେଉଁଥିରେ ସେମାନଙ୍କର ନଁା, ଗଁା, ଠିକଣା ଏବଂ କ’ଣ କାର୍ଯ୍ୟ କରନ୍ତି, ସେ ସମ୍ପର୍କରେ ଉଲ୍ଲେଖ ରହିବା ସହିତ ସେମାନେ ବ୍ୟବହାର କରୁଥିବା ବନ୍ଧୁକ ଓ ଆଗ୍ନେୟାସ୍ତ୍ରଗୁଡ଼ିକ ଲାଇସେନ୍ସପ୍ରାପ୍ତ ନା ନୁହେଁ, ସେ ତଥ୍ୟ ମଧ୍ୟ ରହିବା ଜରୁରୀ। ଏଥିପାଇଁ ସ୍ଥାନୀୟ ଜିଲା ପ୍ରଶାସନର ସାହାଯ୍ୟ ନିଆଯାଇପାରେ। ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ଦ୍ୱାରା ସିଧାସଳଖ ବନ୍ୟପ୍ରାଣୀ ଅପରାଧ ବାରମ୍ବାର ଘଟୁଥିବା ଆଘାତପ୍ରବଣ ଅଞ୍ଚଳରେ, ଉପଯୁକ୍ତ ବିଶ୍ୱସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଗୁପ୍ତ ଖବରପ୍ରେରକ ଭାବେ ରଖାଯିବା ଦରକାର। ସେମାନେ ସିଧାସଳଖ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ବା ତାଙ୍କ ଅଫିସରେ ଥିବା କ୍ରାଇମ୍ ସେଲ୍କୁ ମୋବାଇଲରେ ସୂଚନା ଦେବେ। ସେମାନଙ୍କର ନଁା ଗୁପ୍ତ ରଖିବା ସହିତ ଏକ ଗୁପ୍ତପାଣ୍ଠିରୁ କିଛି କିଛି ପ୍ରାପ୍ୟ ଦିଆଯିବ।
ସ୍ପେଶାଲ ଟାସ୍କଫୋର୍ସ ଢାଞ୍ଚାରେ ବାରମ୍ବାର ବନ୍ୟପ୍ରାଣୀ ଅପରାଧ ଘଟୁଥିବା ବନଖଣ୍ଡରେ ବା ଆଘାତପ୍ରବଣ ଅଞ୍ଚଳରେ ସ୍ବତନ୍ତ୍ର ବନ୍ୟପ୍ରାଣୀ କ୍ରାଇମ୍ ଟାସ୍କଫୋର୍ସ ଗଠିତ ହେବା ଆବଶ୍ୟକ। ଏହାର ରାଜ୍ୟ ମୁଖ୍ୟ ଅନ୍ୟ ଜଣେ ସ୍ବତନ୍ତ୍ର ପିସିସିଏଫ୍ ବା ଅତିରିକ୍ତ ପିସିସିଏଫ୍ ପାହ୍ୟାର ଅଫିସର ରହିବେ। ଏଥିରେ ବନ୍ୟପ୍ରାଣୀଙ୍କ ବିଷୟରେ ସ୍ବତନ୍ତ୍ର ତାଲିମପ୍ରାପ୍ତ ଦକ୍ଷ ଅଧିକାରୀଙ୍କ ସହ ଅବସରପ୍ରାପ୍ତ ସେନା ବା ପୋଲିସ ଅଧିକାରୀଙ୍କୁ ମଧ୍ୟ ନିଆଯାଇପାରେ। ପୋଲିସ ବିଭାଗରେ ଯେପରି କ୍ରାଇମ୍ ବ୍ରାଞ୍ଚ ଡିଭିଜନ ରହିଛି, ବନ୍ୟପ୍ରାଣୀ କ୍ରାଇମ୍ ଟାସ୍କଫୋର୍ସର ଆକାର ପ୍ରକାର ଠିକ୍ ସେହିପରି ହେବ। ପ୍ରତ୍ୟେକ ଟାସ୍କଫୋର୍ସର ମୁଖ୍ୟଙ୍କୁ ମାଜିଷ୍ଟ୍ରେଟ୍ କ୍ଷମତା ଦିଆଗଲେ, ସେମାନେ ଆବଶ୍ୟକ ସ୍ଥଳେ ଗୁଳି ଚଳାଇବାକୁ ଆଦେଶ ଦେଇପାରିବେ। ଯେ କୌଣସି ବନଖଣ୍ଡରେ ହାତୀ, ବାଘ ବା ଅନ୍ୟ କୌଣସି ଅନୁସୂଚିତ ୧ର ପ୍ରାଣୀମାନଙ୍କର ମୃତ୍ୟୁ ଘଟିଲେ ଏହି ଗ୍ରୁପ୍ ସଙ୍ଗେ ସଙ୍ଗେ ସେଠାକୁ ଯାଇ ତଦନ୍ତ କରିବେ। ଘଟଣା ଘଟିଥିବା ବନଖଣ୍ଡର ବିଭାଗୀୟ ଅଧିକାରୀଙ୍କ ତଦନ୍ତ ତୁଳନାରେ ଏହା ଅଧିକ ନିରପେକ୍ଷ ଓ ବିଶ୍ୱସନୀୟ ହେବ ବୋଲି ଆଶା କରାଯାଏ।
ସାଧାରଣ ଭାବେ ଏସ୍ଡିଜେଏମ୍ କୋର୍ଟରେ ଦାଖଲ ହୋଇଥିବା ବନ୍ୟପ୍ରାଣୀ ସମ୍ପର୍କିିତ କେସଗୁଡ଼ିକର ଫଇସଲା ହେବାରେ ଯଥେଷ୍ଟ ବିଳମ୍ବ ଘଟିଥାଏ। ବନ୍ୟପ୍ରାଣୀମାନେ ମୂକ, ନିଜର ଜମାନବନ୍ଦୀ ଦେଇପାରିବେ ନାହିଁ। ଜଙ୍ଗଲ ଅଭ୍ୟନ୍ତରରେ ଘଟିଥିବା ଘଟଣାର ସାକ୍ଷ୍ୟପ୍ରମାଣ ଯୋଗାଡ଼ କରିବା କଷ୍ଟକର। ବନ ବିଭାଗ କର୍ମଚାରୀ ନିଜେ ଅନୁସନ୍ଧାନ କରନ୍ତି। ନିଜେ ସାକ୍ଷ୍ୟ ପଡ଼ନ୍ତି ଏବଂ ନିଜେ ଚାର୍ଜଶିଟ୍ ପ୍ରସ୍ତୁତ କରି କେସ୍ ଦାଖଲ କରନ୍ତି। କେସ୍ ଶୁଣାଣି ଓ ଫଇସଲାରେ ଅତ୍ୟଧିକ ବିଳମ୍ବ ହେବା ଫଳରେ ମଧ୍ୟବର୍ତ୍ତୀ ସମୟରେ ଅନେକ କର୍ମଚାରୀ ବଦଳି ହୋଇଯାଆନ୍ତି। ଏପରିକି କେତେକ ମଧ୍ୟ ଚାକିରିରୁ ଅବସର ଗ୍ରହଣ କରିଥାନ୍ତି। ତାଙ୍କ ସ୍ଥାନରେ ଯିଏ ଆସନ୍ତି, ସେମାନେ ମଧ୍ୟ କୋର୍ଟରେ ଜବାବସୁଆଲ ସମୟରେ ବା ଯୁକ୍ତି ଉପସ୍ଥାପନ କରିବାରେ ସେତେଟା ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଫଳରେ ଦିନକୁ ଦିନ କେସ୍ ଦୁର୍ବଳ ହୋଇଯାଏ ଓ ଦୋଷୀ ଅଳ୍ପ ଦଣ୍ଡ ପାଇ ଖସିଯାଏ। ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ହେଲେ ବିଚାର ପ୍ରକ୍ରିୟା ତ୍ୱରିତ ହେବ ଏବଂ ଦଣ୍ଡ ମଧ୍ୟ ଶୀଘ୍ର ମିଳିବ। ଦଣ୍ଡ ଦୃଷ୍ଟାନ୍ତମୂଳକ ହେଲେ ଏହା ଅନ୍ୟ ଅପରାଧୀଙ୍କୁ ହତୋତ୍ସାହିତ କରିବ। ଫାଷ୍ଟଟ୍ରାକ୍ କୋର୍ଟରେ ତ୍ୱରିତ ନ୍ୟାୟ ଆଶା କରୁଥିଲେ ବନ କର୍ମଚାରୀମାନଙ୍କୁ ମଧ୍ୟ ଠିକଣା ଢଙ୍ଗରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାକୁ ହେବ। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ, ୧୯୭୨ର ଉପଯୁକ୍ତ ଧାରା ଓ ଉପଧାରାକୁ ସଂଶ୍ଳିଷ୍ଟ କରିବାକୁ ପଡ଼ିବ। ଏଥିପାଇଁ ବିଭିନ୍ନ ବର୍ଗର ବନ କର୍ମଚାରୀମାନଙ୍କୁ ନ୍ୟାୟିକ ପ୍ରଶିକ୍ଷଣ ମଧ୍ୟ ଜରୁରୀ। ବନ୍ୟପ୍ରାଣୀ ଆପରାଧିକ କେସ୍ ପରିଚାଳନା ପାଇଁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମଧ୍ୟ ନିଯୁକ୍ତି ହେବା ଆବଶ୍ୟକ।
ବନ୍ୟପ୍ରାଣୀଙ୍କ ଉପରେ ଘଟୁଥିବା କ୍ରାଇମ୍ର ଉପଯୁକ୍ତ ମୁକାବିଲା ପାଇଁ କି କି ଉପାୟ ଅବଲମ୍ବନ କରାଯାଇପାରେ, ସେ ବିଷୟରେ ଭାରତ ସରକାରଙ୍କ ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ୨୦୧୬ ଡିସେମ୍ବର ୧୪ରେ ସବୁ ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ)ଙ୍କୁ ଚିଠି ଲେଖିଥିଲେ। ଏହି ଚିଠିରେ ମନ୍ତ୍ରଣାଳୟ, ମଧ୍ୟପ୍ରଦେଶ ବନ ବିଭାଗ, ଉକ୍ତ ରାଜ୍ୟର ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶଙ୍କ ଅଧ୍ୟକ୍ଷତାରେ ୨୦୧୬ ନଭେମ୍ବର ୧୨ରେ ଯେଉଁ କର୍ମଶାଳା ଆୟୋଜିତ ହୋଇଥିଲା, ସେଥିରେ ଗୃହୀତ ପ୍ରସ୍ତାବକୁ ସ୍ବୀକୃତି ଦେଇଛନ୍ତି। ଉକ୍ତ ପ୍ରସ୍ତାବନାରେ ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଜବଲପୁର, ହୋସଙ୍ଗାବାଦ, ସତନା ଓ ସାଗରଠାରେ ଗୋଟିଏ ଗୋଟିଏ ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାର ପ୍ରସ୍ତାବ ରହିଛି। ଅନ୍ୟ ଜିଲାଗୁଡ଼ିକରେ କେବଳ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ କେସ୍ର ଶୁଣାଣି ପାଇଁ ଗୋଟିଏ ଡେଜିଗ୍ନେଟେଡ କୋର୍ଟ ପ୍ରତିଷ୍ଠାର ପ୍ରସ୍ତାବ ରହିଛି। ପୂର୍ବରୁ ଆଇନରେ ଥିବା ୧୦,୦୦୦ ଟଙ୍କା ଫାଇନର ପରିମାଣ ୫୦,୦୦୦କୁ ବୃଦ୍ଧି କରିବାର ପ୍ରସ୍ତାବ ମଧ୍ୟ ରହିଛି। ଫଳରେ କେସ୍ଟି ସିଧାସଳଖ ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ବା ଅତିରିକ୍ତ ସିଜିଏମ୍ଙ୍କ କୋର୍ଟକୁ ବିଚାର ପାଇଁ ଚାଲିଯିବ। ଏହା ବ୍ୟତୀତ ରାଜ୍ୟ ସରକାର ବନ୍ୟପ୍ରାଣୀ ଡିଭିଜନରେ ଜଣେ ଆଇନ ବିଶାରଦ ଓକିଲଙ୍କୁ ନିଯୁକ୍ତି ଦେଲେ କୋର୍ଟରେ ଚାର୍ଜଶିଟ୍ ଦାଖଲ ପୂର୍ବରୁ କେସ୍ଗୁଡ଼ିକର ଉପଯୁକ୍ତ ଅନୁଶୀଳନ କରାଯାଇପାରିବ। ଫୋରେନ୍ସିକ୍ ରିପୋର୍ଟ ସଂଲଗ୍ନ କଲେ ତାହା ମଧ୍ୟ କେସ୍କୁ ଅଧିକ ମଜଭୁତ କରିବ।
ଏ ଭିତରେ ଆନ୍ଧ୍ର ସରକାର ୨୦୨୦ ଜୁନ୍ରେ ‘ରେଡ୍ ସାଣ୍ଡର’ କାଠର ଚୋରାଚାଲାଣ କେସ୍ଗୁଡ଼ିକର ତ୍ୱରିତ୍ ବିଚାର ପାଇଁ ତିରୁପତିଠାରେ ଦୁଇଟି ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିଛନ୍ତି। ଅଭାବନୀୟ ହାତୀ ମୃତ୍ୟୁ ରୋକିବା ପାଇଁ ଆମ ରାଜ୍ୟ ସରକାର ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯଥା ହାତୀ ଚଲାପଥର ପୁନରୁଦ୍ଧାର, ବାସସ୍ଥଳୀରେ ଉନ୍ନତି, ଅନ୍ୟ ବିଭାଗ ସହ ସମନ୍ବୟ ରକ୍ଷା କରିବା ସହିତ ଅନ୍ତତଃପକ୍ଷେ ଅନୁଗୋଳଠାରେ ଗୋଟିଏ ଫାଷ୍ଟଟ୍ରାକ୍ କୋର୍ଟ ବା ସ୍ପେଶାଲ କୋର୍ଟ ପ୍ରତିଷ୍ଠା କଲେ ସହାୟକ ହେବ। ତ୍ୱରିତ ବିଚାର, ତ୍ୱରିତ ଓ ଆଖିଦୃଶିଆ ଦଣ୍ଡବିଧାନ ହେଲେ ଏହା ବନ୍ୟପ୍ରାଣୀ ମାଫିଆ ଓ ଶିକାରୀମାନଙ୍କ ମନରେ ଭୟ ସଂଚାର କରିବ।
ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ), ଓଡ଼ିଶା
ମୋ: ୯୪୩୭୦୦୦୯୦୪