ସବୁଠି ଉଡ଼ିଲା ତ୍ରିରଙ୍ଗା

କର୍ଲାମୁଣ୍ଡା,୧୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଗୁରୁବାର ୭୮ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ୟାରେଡ଼ ପଡ଼ିଆରେ ଆୟୋଜିତ ବ୍ଲକସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ମଣ୍ଟୁ ଖମାରୀ, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ତହସିଲଦାର ଅରୁଣ ବର୍ଗେ ଯୋଗ ଦେଇଥିଲେ।

ବ୍ଲକ ସଦରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ୟାରେଡ଼ କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ ଖେଳ ଶିକ୍ଷକ ବେଣୁ ଧର ନାଗ ପରିଚାଳନା କରିଥିଲେ। ସଭା କାର୍ଯ୍ୟ ତଥା ପୁରସ୍କାର ବିତରଣ ସଭାରେ ଅବସର ପ୍ରାପ୍ତ ସହକାରୀ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ପବିତ୍ର ମୋହନ ପାଶା, ନୋଡାଲ ୟୁପି ସ୍କୁଲର ଶିକ୍ଷକ ରିଟନ ନାଗ, ସେକ୍ସନ ଅଫିସର ସିବା ନନ୍ଦ ପାତ୍ର, କିରାଣୀ ପ୍ରଦୀପ କୁମାର ମାଝୀ ପ୍ରମୁଖ ପରିଚାଳନା କରିଥିଲେ।

ଏହି ଅସବରରେ କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ତେବେ ତହସିଲ ଅଫିସରେ ତହସିଲଦାର ଅରୁଣ ବର୍ଗେ ପତାକା ଉତ୍ତୋଳନ କରିଥିବା ବେଳେ ବ୍ଲକ ସଦର ସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲରେ କମିଟି ଅଧ୍ୟକ୍ଷ ନନ୍ଦି କିଶୋର ଭୋଇ କତାକା ଉତ୍ତେଜନା କରିଥିଲେ। ସେହିପରି କୃଷି କାର୍ଯ୍ୟାଳୟରେ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ ପତାକା ଉତ୍ତୋଳନ କରିଥିବା ବେଳେ ପୋଲିସ ଷ୍ଟେସନରେ ସବ୍‌ ଇନ୍ସପେକ୍ଟର ଥବୀର ବରିହା, କର୍ଲାମୁଣ୍ଡା ସଚେତନ ନାଗରିକ କମିଟି ପକ୍ଷରୁ ମୁଖ୍ୟ ଅତିଥି ଭଗବାନ ସାହୁ ଓ ଦଶରଥ ସାହୁ, ରିଂଜାଠାରେ ସରପଞ୍ଚ ପଞ୍ଚାନନ ବାଗ, ସରଗୁଲ ମାଲପଡ଼ା ପଞ୍ଚାୟତରେ ସରପଞ୍ଚ ବରୁଣ ଛତ୍ରୀଆ ପତାକା ଉତ୍ତୋଳନ କରିଥିଲେ।