Categories: ଖେଳ

ଆଜିଠାରୁ ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା: ଭାଗନେବେ ୩୦୦ ପ୍ରତିଯୋଗୀ

ଢେଙ୍କାନାଳ ଅଫିସ,୯।୧୨: ଢେଙ୍କାନାଳ ଷ୍ଟାଡିୟମ୍‌ଠାରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା। ଜିଲା ତୀରନ୍ଦାଜ ସଂଘ, ଜିଲା କ୍ରୀଡ଼ା ବିଭାଗ ଏବଂ ରାଜ୍ୟ ତୀରନ୍ଦାଜ ସଂଘର ମିଳିତ ସହଯୋଗରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୩୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏଥିଲାଗି ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟ ତୀରନ୍ଦାଜ ସଂଘ ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସଙ୍କ ନେତୃତ୍ୱରେ ଏକ ଟେକ୍ନିକାଲ ଟିମ୍‌ ଷ୍ଟାଡିୟମ୍‌ରେ ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି।
ପ୍ରତିଯୋଗିତାରେ ଢେଙ୍କାନାଳ, ବଲାଙ୍ଗୀର, ବୌଦ୍ଧ, ଗଞ୍ଜାମ, ସମ୍ବଲପୁର, କିସ୍‌ ସ୍ପୋର୍ଟସ୍‌ ହଷ୍ଟେଲ, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ, କୋରାପୁଟ ହାଲ୍‌, ସୁନ୍ଦରଗଡ଼ ଓ ସ୍ପୋର୍ଟସ ହଷ୍ଟେଲ୍‌ ଅଂଶଗ୍ରହଣ କରିଛନ୍ତି। ଇଣ୍ଡିଆନ, ରିକର, କମ୍ପାଉଣ୍ଡ ଆଦି ୩ଟି ରାଉଣ୍ଡରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମିନି, ସବ୍‌ଜୁନିୟର, ଜୁନିୟର, ସିନିୟର ବିଭାଗରେ ଉଭୟ ବାଳିକା ଓ ବାଳକ ବର୍ଗର କ୍ରୀଡ଼ାବିତ୍‌ ଦକ୍ଷତା ଦେଖାଇବେ। ଶୁକ୍ରବାର ଅପରାହ୍ନ ୩ଟାରେ ଏହାର ଉଦ୍‌ଘାଟନୀ ସମାରୋହ ଧାର୍ଯ୍ୟ କରାଯାଇଛି। ସେହିପରି ୧୧ ତାରିଖରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। ଆୟୋଜନ କମିଟି ଅଧ୍ୟକ୍ଷ ଜିଲାପାଳ ସରୋଜ କୁମାର ସେଠୀ, ଉପାଧ୍ୟକ୍ଷ ରାଜକିଶୋର ବେହେରା, ଜିଲା ସଂଘ ସଭାପତି ନବୀନଚନ୍ଦ୍ର ନାରାୟଣ ଦାସ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ, ସମ୍ପାଦକ ଅମୀୟ ଚାନ୍ଦ, ଉପସଭାପତି ଶିବସାଇ ମହାପାତ୍ର, ସୁବାସିନୀ ମହାକୁଡ, ପ୍ରତାପ ବରାଳ, ସରୋଜ ପାଢ଼ୀ ଓ ଟଙ୍କଧର ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Share