ଟିକିରି,୨୭ା୭(ପ୍ରଫୁଲ କୁମାର ବେହେରା): ଆଦିବାସୀ ମାନେ ମୁଖ୍ୟତଃ ବାର ମାସରେ ତେର ପର୍ବ ପାଳନ କରନ୍ତି। ସେଥିମଧ୍ୟରୁ ଧରତୀ ପୂଜା ଏବଂ ଆମ୍ବ ଟାକୁଆ ପର୍ବ ଅନ୍ୟତମ। ରାୟଗଡା ଜିଲା କାଶୀପୁର ବ୍ଲକରେ ବସବାସ କରୁଥିବା ପରଜା ବା ଝୋ ସମ୍ପ୍ରଦାୟର ଲୋକେ ଏହି ପର୍ବ ପାଳନ କରିଥାନ୍ତି। ଏହି ପୂଜା ମୁଖ୍ୟତଃ ଗ୍ରାମର ସମସ୍ତେ ଜମିରେ ବିହନ ବୁଣି ସାରିବା ପରେ ବାହୁଡ଼ାଯାତ୍ରା ଗଲେ କରିଥାନ୍ତି। ଏ ବର୍ଷ ଫସଲ କିଭଳି ଭଲ ହେବ, ଜୀବଜନ୍ତୁ ନଷ୍ଟ ନ କରିବେ ଏବଂ ଗ୍ରାମର ସମସ୍ତେ ଯେପରି ରୋଗମୁକ୍ତ ଜୀବନ କଟାଇବେ ସେହି ଉଦ୍ଦେଶ୍ୟରେ ମାଟି ଦେବତାଙ୍କୁ ଅନୁସରଣ କରି ଝାଙ୍କେରକୁ ନେଇଥିବା କୁକୁଡ଼ା, ଘୁଷୁରି ଅଣ୍ଡା, ମାଛ ବଳି ଦେବା ପରେ ସେଠାରେ ଏକ ସିଆଡ଼ି ପତ୍ର ଦନାରେ ଘୁଷୁରି ମାଂସକୁ ନିଆଁରେ ଶିଝାଇ ଏକ ମାଠିଆରେ ଭାତ ରାନ୍ଧି ପ୍ରଥମେ ଭୋଗ ଅର୍ପଣ କରନ୍ତି। ଏହାକୁ ପରଜା ଭାଷାରେ ଚର ବୋଲି କୁହାଯାଏ। ନେଇଥିବା ଆମ୍ବ ଟାକୁଆକୁ ଏକ ଧାମନ (ବାରେଙ୍ଗ ) କାଠରେ ଚପି ଦୁଇଫାଳ କରି ପୂଜା ସ୍ଥାନରେ ଥିବା ପଥର ଉପରେ ରଖି ସେମାନେ ଭୋଗ ଲଗାଇ ଥାନ୍ତି l ପରେ ଗ୍ରାମରେ ଆମ୍ବ ଟାକୁଆରୁ କୋଇଲି କାଢ଼ି ପିଠା, ଆମ୍ବ ଟାକୁଆ ପେଜ କରି ଖାଇଥାନ୍ତି। ଏହା ପୂର୍ବରୁ ଗ୍ରାମରେ କେହି ମଧ୍ୟ ଟାକୁଆ ଚପି ନ ଥାନ୍ତି। ଏହି ପର୍ବ ପୂର୍ବରୁ ଗ୍ରାମବାସୀ ଗ୍ରାମର ମୁଖିଆ ଭାବରେ ଜାନି, ମୁଦୁଲି, ଚାଲାଣ ବା ଗାଉଁତିଆଙ୍କୁ ବାଛିଥାନ୍ତି। ସେହି ବ୍ୟକ୍ତିମାନେ ଗ୍ରାମର ଭଲମନ୍ଦ, ପୂଜା ବିଧି ଏବଂ ପର୍ବ ପର୍ବାଣିରେ ଯୋଗଦେଇ ସମସ୍ତ କାର୍ଯ୍ୟ ତୁଲାଇଥାନ୍ତି। ସେମାନଙ୍କ ମଧ୍ୟରେ ଜଣେ ଦିଶାରୀ ରହିଥାନ୍ତି। ସେ ଗ୍ରାମର ଶାନ୍ତି ପାଇଁ ପୂଜାବିଧି, ପର୍ବପର୍ବାଣିର ସମୟ ଏବଂ ଯୋଗ ବାହାର କରିଥାନ୍ତି। ଧରତୀ ପୂଜା ଏବଂ ଆମ୍ବ ଟାକୁଆ ଚପି ପାଇଁ ଜାନି ମୁଦୁଲି ପ୍ରଥମେ ଦିଶାରୀଙ୍କ ପାଖକୁ ଯାଇ ଭଲ ଦିନ ବାର ସମୟ ପଚାରି ଜଣାନ୍ତି। ପରେ ଗ୍ରାମ ଲୋକେ ପୂଜାରେ କଣ ଲାଗିବ ତାହା ସଂଗ୍ରହ କରିଥାନ୍ତି l ଦିଶାରୀ ଯୋଗ ନିର୍ଦ୍ଧାରଣ ପରେ ଝାଙ୍କେରକୁ ଗ୍ରାମର ମୁଖିଆ ଏବଂ ଜାନି ମୁଦୁଲି ଯାଇ ପୂଜା ସ୍ଥାନକୁ ଗାଈ ଗୋବର ଲିପି ଜାଗାକୁ ଶୁଚି କରିଥାନ୍ତି। ପରେ ଝାଙ୍କେର ଦେବୀ, ଗଛ ଦେବତା, ପଥର ଦେବତା, ପାହାଡ଼ ଦେବତା, ଗ୍ରାମ ଦେବୀ, ନିଶାଣୀ ମୁଣ୍ଡା, ମାଟିଦେବତା, ପଶୁପକ୍ଷୀଙ୍କୁ ନାମଧରି ସେଠାରେ ନେଇଥିବା କୁକୁଡ଼ା, ଘୁଷୁରି , ନଦୀ ମାଛ, କୁକୁଡ଼ା ଅଣ୍ଡା ଯାହା ନେଇଥାନ୍ତି ପୂର୍ବ ପୁରୁଷମାନେ ଯେପରି ପୂଜା କରୁଥିଲେ ସେହିପରି କରିଥାନ୍ତି।