ଡ. ଅଜୟ କୁମାର ନନ୍ଦ
ପ୍ରକୃତିର ଘଞ୍ଚବନାନୀ, ପାହାଡ଼, ପର୍ବତ ଓ ଅନେକ ପ୍ରାଚୀନ ଭୂଖଣ୍ଡରେ ମାନବସମାଜର ଉତ୍ପତ୍ତି। ବିବର୍ତ୍ତନ କ୍ରମେ ଏ ମାଟିରେ ଆର୍ଯ୍ୟ ସଭ୍ୟତା ଓ ସଂସ୍କୃତି ଗଢ଼ିଉଠିବାର ଅନେକ ପୂର୍ବରୁ ଯେଉଁମାନେ ବାସ କରୁଥିଲେ ତାଙ୍କୁ ଜନଜାତି ବୋଲି ନାମିତ କରାଯାଇଥିଲା। ପ୍ରକୃତି ଉପରେ ପୂର୍ଣ୍ଣ ନିର୍ଭରଶୀଳ ସହ ଜୀବନକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ସଂସ୍କୃତି ପଟ୍ଟଭୂମିକୁ ସେମାନେ ଭରପୂର ଉପଭୋଗ କରୁଥିଲେ। ସରଳ ନିଷ୍କପଟ ଜୀବନଶୈଳୀ ବିତାଉଥିବା ଜନଜାତିଙ୍କ ନିବାସ କୌଣସି ଆକାଶଚୁମ୍ବୀ ଅଟ୍ଟାଳିକା ନୁହେଁ ବରଂ ଅନ୍ଧାର ଗିରିଗୁହା ଓ ଦୁର୍ଗମ ସ୍ଥାନରେ ଥିବା କ୍ଷୁଦ୍ରକୁଟିର। ବର୍ତ୍ତମାନ ସମ୍ବୋଧିତ କରୁଥିବା ଆଦିବାସୀ ଶବ୍ଦଟି ଦେଶ ସ୍ବାଧୀନତା ପରବର୍ତ୍ତୀ କାଳରେ ଆମ୍ଭମାନଙ୍କ ଶବ୍ଦଭଣ୍ଡାରରୁ ଆମଦାନୀ ହୋଇଛି। ସେବେଠାରୁ ଆମେ ଏମାନଙ୍କୁ ଆଦିବାସୀ ବା ଜନଜାତି ବୋଲି ଅଭିହିତ କରୁଛୁ। ଭାରତୀୟ ଜନଗଣନା ପରିସଂଖ୍ୟାନ ତଥ୍ୟ ୨୦୧୧ ଅନୁଯାୟୀ ଏମାନଙ୍କ ସଂଖ୍ୟା, ଭାରତୀୟ ଜନସଂଖ୍ୟାର ୮.୬ ପ୍ରତିଶତ। ଭାରତର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ୪୬୨ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ୬୨ ପ୍ରକାର ଜନଜାତି କେବଳ ଓଡ଼ିଶାରେ ବସବାସ କରନ୍ତି। ଭାରତରେ ଜନଜାତି ବହୁଳ ରାଜ୍ୟଗୁଡ଼ିକ ହେଉଛି ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଆସାମ, ତ୍ରିପୁରା, ମଣିପୁର, ମିଜୋରାମ,ନାଗାଲାଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ।
ଅର୍ଥନୈତିକ ଦୃଷ୍ଟିକୋଣରୁ ବିଚାର କଲେ, ଆଦିବାସୀମାନେ ବିକାଶର ସମ୍ପୂର୍ଣ୍ଣ ଲାଭ ପାଇବାରେ ସକ୍ଷମ ନୁହନ୍ତି। ବାସ୍ତବରେ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟ ଆଜି ମଧ୍ୟ ଅନ୍ୟ ଉପରେ ନିର୍ଭର କରନ୍ତି, ଫଳରେ ସେମାନଙ୍କ ଦ୍ୱାରା ଶୋଷିତ ହୁଅନ୍ତି। ଶିକ୍ଷାର ପ୍ରଚାର ପ୍ରସାର ସତ୍ତ୍ୱେ ସେମାନଙ୍କର ମାନସିକ ଓ ବୌଦ୍ଧିକ ବିକାଶ ଆଖିଦୃଶିଆ ହୋଇପାରିନି। ବର୍ତ୍ତମାନ ଶିକ୍ଷା, ସ୍ବାସ୍ଥ୍ୟ ସେବା ଓ ଆୟ ଉପାର୍ଜନ କ୍ଷେତ୍ରରେ ଆଧୁନିକ ସୁବିଧା ଏବଂ ବୈଷୟିକ ଭିତ୍ତିଭୂମି ସେମାନଙ୍କ ବିକାଶରେ ସେତେଟା ଫଳପ୍ରଦ ହୋଇନାହିଁ। ଏଥିରେ ପରିବର୍ତ୍ତନ ଆଣିବାସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଦକ୍ଷତାବିକାଶ ଓ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ସେମାନଙ୍କର ଜୀବିକାକୁ ଉନ୍ନତ କରାଯାଇପାରିବ। ପାରମ୍ପରିକ ଜୀବିକା ମୁଖ୍ୟତଃ କୃଷି ଏବଂ ଜଙ୍ଗଲଜାତ ଦ୍ରବ୍ୟ ମିଳୁଥିବା ଆୟ ସେମାନଙ୍କ ଅଭାବ ମେଣ୍ଟାଇବାରେ ସେତେଟା ସହାୟକ ହେଉନାହିଁ। ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର କାରଣ, ନିରାକରଣ ଖୋଜିବା ପାଇଁ ଗବେଷଣା କରାଯାଇଛି। କୋରାପୁଟ ଜିଲାକୁ ଅଗ୍ରାଧିକାର ଭାବେ ବିଚାରକୁ ନିଆଯାଇଛି, କାରଣ ରାଜ୍ୟରେ ବାସ କରୁଥିବା ୬୨ଟି ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରୁ କେବଳ କୋରାପୁଟରେ ଥିବା ବିଭିନ୍ନ ବର୍ଗର ଅଧିକାଂଶ ଆଦିମ ଜନଜାତି ସମ୍ପ୍ରଦାୟର ଅଧିବାସୀ ବସବାସ କରନ୍ତି। ସେମାନଙ୍କ ମତ ଆଧାରରେ କେତେଗୁଡିଏ ପ୍ରମୁଖ ସମସ୍ୟାର ଚୂଡାନ୍ତ ନିଷ୍ପତ୍ତି ନେବାରେ ସହାୟକ ହୋଇଛି। ଗବେଷଣାଭିତ୍ତିକ ତଥ୍ୟକୁ ନେଇ ‘ ଭାରତୀୟ ଆଦିବାସୀ ଅର୍ଥନୀତି ଓ ଆର୍ଥିକ ସାକ୍ଷରତା’ ପୁସ୍ତକ ପ୍ରକାଶ ପାଇଛିି। ସୀମିତ ସମ୍ବଳରେ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ଆର୍ଥିକ ସାକ୍ଷରତାକୁ ଉପଯୋଗ କରିବା ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପକୁ ଅଣଦେଖା କରାଯାଇ ନ ପାରେ, ଯାହା ସେମାନଙ୍କୁ ଅନେକାଂଶରେ ଆର୍ଥିକ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଆର୍ଥିକ ସାକ୍ଷରତା ଆଧାରରେ ବିଭିନ୍ନ ଆର୍ଥିକସେବାର ଫାଇଦା ଉଠାଇପାରିବେ। ସାହୁକାରଙ୍କଠାରୁ ଋଣ ଆଣିବା ବଦଳରେ ସେମାନଙ୍କୁ ସହଜ ଓ ସୁବିଧାରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଋଣ ପ୍ରାପ୍ତି ହେବ। କମ ସୁଧ ସହିତ ସୁବିଧା କିସ୍ତିରେ ଋଣ ପରିଶୋଧ ଓ ଅନ୍ୟାନ୍ୟ ଆର୍ଥିକ ସମ୍ବନ୍ଧୀୟ ଜ୍ଞାନ, ଆର୍ଥିକ ଦେଣନେଣର ବିଭିନ୍ନ ମାଧ୍ୟମ ଯଥା, ନେଟ୍ ବ୍ୟାଙ୍କିଙ୍ଗ, ଫୋନ୍ ପେ, ଗୁଗୁଲ ପେ, ଆରଟିଜିଏସ, ଏନଇଏଫଟି, ଡେବିଟ କାର୍ଡ୍ ଏବଂ କ୍ରେଡ଼ିଟ କାର୍ଡ, ଋଣ ଉପରେ ସବସିଡ଼ି, କମିଶନ, ବୋନସ. ଡିଭିଡେଣ୍ଡ ଆଦି ଅନେକ ସୁବିଧା ପାଇପାରିବେ। ଆର୍ଥିକ ଜ୍ଞାନ ଅଭାବ ହେତୁ ଆଦିବାସୀମାନଙ୍କୁ ନିଜ ଅଞ୍ଚଳରେ ଥିବା ଦଲାଲମାନଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଯାହା ସେମାନଙ୍କର ଆର୍ଥିକ ସୁସ୍ଥତାକୁ ପ୍ରଭାବିତ କରିଥାଏ।
ଏହି ପରିପ୍ରେକ୍ଷୀରେ ଆର୍ଥିକ ସାକ୍ଷରତା ଉପରେ ଗୁରୁତ୍ୱ ଦିଆଗଲେ ଜନଜାତିମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି କେତେକାଂଶରେ ସୁଧୁରିପାରିବ।
ଆର୍ଥିକ ସାକ୍ଷରତା ଶିକ୍ଷା କାର୍ଯ୍ୟକ୍ରମ ଏହି ଲୋକଙ୍କୁ ଆର୍ଥିକ ଜ୍ଞାନ ଆହରଣ କରିବା ସହିତ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ଏବଂ ଅନ୍ୟାନ୍ୟ ଆର୍ଥିକ ସୂଚନା ପାଇବାରେ ସାହାଯ୍ୟ କରିବ। ଦେଶରେ ଥିବା ଆର୍ଥିକ ପ୍ରତିଷ୍ଠାନ, ଇନ୍ଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟସ ଅଫ ଇଣ୍ଡିଆ, ଇନ୍ଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆକାଉଣ୍ଟସ, ଇନଷ୍ଟିଚ୍ୟୁଟ ଅଫ କମ୍ପାନି ସେକ୍ରେଟାରି ଅଫ ଇଣ୍ଡିଆ ଭଳି ବୃତ୍ତିଗତ ଅନୁଷ୍ଠାନଗୁଡ଼ିକ ଆଗେଇ ଆସିଲେ ତାହା ଆଦିବାସୀମାନଙ୍କ ଆର୍ଥିକ ଜ୍ଞାନ ବୃଦ୍ଧି କରିବାରେ ସାହାଯ୍ୟ କରନ୍ତା। ଏହାକୁ ଉପଯୋଗ କରି ସେମାନେ ସୀମିତ ଆୟରୁ ଅର୍ଥ ସଞ୍ଚୟ କରି ଅପ୍ରତ୍ୟାଶିତ ଆର୍ଥିକ ଆବଶ୍ୟକତାକୁ ପୂରଣ କରିପାରନ୍ତେ। ଆଦିବାସୀ ଇଲାକାରେ ବ୍ୟାଙ୍କଗୁଡିକ ମୁଖ୍ୟତଃ ଆଦିବାସୀ କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେବା ଉଚିତ। ଏହାଦ୍ୱାରା ସେମାନେ ଆଦିବାସୀମାନଙ୍କର ଆବଶ୍ୟକତାକୁ ଅତି ସହଜରେ ବୁଝିପାରିବା ସହିତ ସେମାନଙ୍କୁ ଉତ୍ତମ ଶିକ୍ଷା ଦେଇ ପାରିବେ। ଗ୍ରାମାଞ୍ଚଳରେ କ୍ଷୁଦ୍ର ଋଣ ପ୍ରବାହରେ ଉନ୍ନତି ଆଣିବା ପାଇଁ ମାଇକ୍ରୋ କ୍ରେଡିଟ ସିଷ୍ଟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅସ୍ବୀକାର କରାଯାଇ ନ ପାରେ। ସରକାରଙ୍କ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଧନ ଜନ ଯୋଜନା (ମାଇକ୍ରୋ କ୍ରେଡିଟ ସ୍କିମ) ସେତେ ପ୍ରଭାବଶାଳୀ ହୋଇପାରିବ ନାହିଁ ଯେ ପର୍ଯ୍ୟନ୍ତ ଆଦିବାସୀମାନଙ୍କ ଏହି ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଆହୋରଣ ନ ହୋଇଛି। ଏଥିରେ ସୁଧାର ଆଣିବାକୁ ହେଲେ ଆଦିବାସୀ ଗ୍ରାମାଞ୍ଚଳରେ ପ୍ରଚଳିତ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା ଉପରେ ତାଲିମ ଦେବା ପାଇଁ ପ୍ରତ୍ୟେକ କର୍ମଚାରୀଙ୍କ ସେବା ନିୟମରେ ଏକ ସେବା ସର୍ତ୍ତ ଅନ୍ତର୍ଭୁକ୍ତ କରାଯିବା ସହ ଏହାକୁ ବାଧ୍ୟତାମୂଳକ କରାଯିବା ଉଚିତ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅର୍ଥନୀତିକୁ ସଫଳ କରିବାକୁ ହେଲେ ଆର୍ଥିକ ସାକ୍ଷରତା ଏକ ପ୍ରଭାବୀ ଅସ୍ତ୍ର। ବର୍ତ୍ତମାନ ଏହାକୁ ସଫଳ କରିବାକୁ ହେଲେ କେତେକ ବିଷୟରେ ଗୁରୁତ୍ୱ ଦେବାକୁ ହେବ। ୧. ଶିକ୍ଷା ହିଁ ସଫଳତାର ମୂଳମନ୍ତ୍ର। ସଚେତନତା ଅଭାବରୁ ପ୍ରାଥମିକ ସ୍ତରରେ ଡ୍ରପଆଉଟ ହାର ଅଧିକ, ଏହି ସମସ୍ୟାର ମୁକାବିଲା ପାଇଁ ସରକାରୀ ଏବଂ ଅଣ ସରକାରୀ ସଂଗଠନଗୁଡିକ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଅଧ୍ୟୟନ କ୍ଷେତ୍ରରେ ମଡେଲ ବେସ୍ ଶିକ୍ଷାକୁ ମଜଭୁତ କରିବା ପାଇଁ ଆଗକୁ ଆସିବା ଉଚିତ। ୨. ରୋଜଗାର ଭିତ୍ତିକ ସୁଯୋଗ ପାଇଁ ଅଧ୍ୟୟନ କ୍ଷେତ୍ରରେ ଦକ୍ଷତା ଭିତ୍ତିକ କିମ୍ବା ଧନ୍ଦାମୂଳକ ଶିକ୍ଷା ଯଦିଓ ପର୍ଯ୍ୟାପ୍ତ ନୁହେଁ, ଶିକ୍ଷା ବ୍ୟବସ୍ଥାକୁ ଏକ ଆବଶ୍ୟକତା ଭିତ୍ତିକ ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତର କରାଯିବା ଉଚିତ, ଯେଉଁଠାରେ ପାରମ୍ପରିକ ଆଭିମୁଖ୍ୟକୁ ପରିବର୍ତ୍ତନ କରାଯାଇପାରେ। ସ୍ଥାନୀୟ ଅଞ୍ଚଳରେ ଥିବା ଶିକ୍ଷିତ ଯୁବକ ଯୁବତୀଙ୍କୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅଗ୍ରାଧିକାର ଦିଆଗଲେ ଏହା ଶିକ୍ଷକ ଅନୁପସ୍ଥିତି ରୋକିବା ସହିତ ନିଜ ମାତୃଭାଷା ମାଧ୍ୟମରେ ପିଲାମାନଙ୍କୁ ଅଧିକ ସଚେତନ କରିପାରିବେ। ୩. ଆର୍ଥିକ ସହାୟତା ପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ଆର୍ଥିକ ସଂସ୍ଥାଗୁଡିକ ଆଗ୍ରହ ଦେଖାଉନାହାନ୍ତି। ଋଣ ନିମିତ୍ତ ଆବଶ୍ୟକ କାଗଜପତ୍ରରେ ସରଳୀକରଣ କରାଗଲେ, ଲୋକମାନେ ଅସଙ୍ଗଠିତ ଉତ୍ସରୁ ଋଣ କରିବାରୁ ବର୍ତ୍ତିପାରନ୍ତେ। ଅଧିକ ସୁଧ ଦେବାରୁ ବଞ୍ଚିତ ହୁଅନ୍ତେ।
ଋଣ ମୂଲ୍ୟାଙ୍କନ ବ୍ୟବସ୍ଥା ପରିବର୍ତ୍ତନ ଆଣିବା ଏବଂ ସେମାନଙ୍କର ଋତୁକାଳୀନ ଚାହିଦା ପୂରଣ କରିବା ପାଇଁ କ୍ଷୁଦ୍ର ଋଣ (ବନ୍ଧକ ସୁରକ୍ଷା ବିନା) ପ୍ରଦାନ କରିବାର ଆବଶ୍ୟକତା ଅଛି। ଏହି ସୁବ୍ୟବସ୍ଥିତ ଯୋଜନାରେ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥାରେ ସୁଧାର ଆସିବ। ବ୍ୟାଙ୍କରେ ଆର୍ଥିକ କାରବାର ପ୍ରତି ଅଧିକ ଉତ୍ସାହିତ କରିପାରିବ। ୪. ମାଇକ୍ରୋ କ୍ରେଡିଟ୍ ପ୍ରତିଷ୍ଠାନର ଅନୁପସ୍ଥିତି ଯୋଗୁ ଜରୁରୀ ଆବଶ୍ୟକତା ପୂରଣ କରିବା ପାଇଁ ସେମାନେ ସ୍ଥାନୀୟ ଋଣଦାତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏଥିରେ ଉନ୍ନତି ଆଣିବା ପାଇଁ ସରକାର ମାଇକ୍ରୋ କ୍ରେଡିଟ ସଂସ୍ଥାଙ୍କୁ ଠିକ୍ ମାର୍ଗରେ ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ। ଋଣର ପରିମାଣ କମ ଏବଂ ବକେୟା ବା ଋଣ ପରିଶୋଧ କିସ୍ତିକୁ ଆବଶ୍ୟକ ସ୍ଥଳେ ସରଳୀକରଣ କରିପାରିଲେ ଏହା ଲୋକଙ୍କ ଅଧିକ ଆସ୍ଥା ଭାଜନ ହୋଇପାରିବ। ବର୍ତ୍ତମାନ ମାଇକ୍ରୋ କ୍ରେଡିଟ ସଂସ୍ଥାଗୁଡ଼ିକୁ ଛୋଟ ମୋଟ ଋଣ ଦେବା ଓ ଆଦାୟ କରିବାରେ ଏକ ମଡେଲ ରୂପେ ବିବେଚିତ ହୋଇଛି। ସରକାରଙ୍କ ତରଫରୁ ଏହାକୁ ଅଧିକ କ୍ରିୟାଶୀଳ କରାଗଲେ ଲୋକମାନେ ତାଙ୍କର ଆର୍ଥିକ ଆବଶ୍ୟକତାକୁ ଅକ୍ଳେଶରେ ପୂରଣ କରିପାରନ୍ତେ। ଏହା ପରୋକ୍ଷରେ ଗ୍ରାମୀଣ ଅର୍ଥନୀତି ସୁଧାରିବାରେ ସାହାଯ୍ୟ କରିବ। ୫. ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ପାଇବା ପାଇଁ ଆଧୁନିକ ଯୋଗାଯୋଗ ଓ ବୈଷୟିକ ଭିତ୍ତିଭୂମି ନାହିଁ କହିଲେ ଚଳେ। ଏଣୁ ଆର୍ଥିକ ସେବାଗୁଡ଼ିକର ବଣ୍ଟନ ଏବଂ ଉପଲବ୍ଧତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ବର୍ତ୍ତମାନ ସରକାରଙ୍କ ଦ୍ୱାରା ପ୍ରଚଳିତ ନଗଦ ବିହୀନ କାରବାରରେ ସାମିଲ ହେବାକୁ ହେଲେ ଇଣ୍ଟରନେଟର ଆବଶ୍ୟକତା ରହିଛି। ହେଲେ ଆଦିବାସୀ ଅଞ୍ଚଳରେ ଏଥିରେ ବଡ଼ ସମସ୍ୟା ରହିଛି। ଆର୍ଥିକ କାରବାର ଓ ବ୍ୟବହାରିକ କ୍ଷେତ୍ରରେ ଜନଜାତିମାନଙ୍କର ବୈଷୟିକ ଅଭିଜ୍ଞତାରେ ଉନ୍ନତି ଆଣିବାକୁ ସର୍ବପ୍ରଥମେ ଆବଶ୍ୟକ ଭିତ୍ତିଭୂମିର ଅଗ୍ରାଧିକାର ଭିତ୍ତିରେ ସୁବନ୍ଦୋବସ୍ତ କରିବାକୁ ହେବ। ଟେକ୍ନୋଲୋଜି କ୍ଷେତ୍ରରେ ପର୍ଯ୍ୟାପ୍ତ ତାଲିମ ବ୍ୟବସ୍ଥା ଏ ଦିଗରେ ଏକ ନୂଆ ସମ୍ଭାବନା ଆଣିବ।
ବିଶ୍ୱନାଥ କୁଟିର, ନୀଳକଣ୍ଠପୁର, ପୁରୀ
ajayakumarnanda@gmail.com