ଖଣ୍ଡଓ୍ବା,୨୦।୧୨: ମଧ୍ୟପ୍ରଦେଶର ଆଦିବାସୀ ସମ୍ପ୍ରଦାୟର ଜଣେ ନାବାଳିକାଙ୍କୁ ଅପହରଣ ପରେ କୀଟ ନାଶକ ପିଆଇ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ନାବାଳିକାଙ୍କୁ ଘରେ ନ ପାଇଁ ତାଙ୍କ ସମ୍ପର୍କୀୟ ତାଙ୍କୁ ଖୋଜାଖୋଜି କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନାବାଳିକାଙ୍କୁ ନ ପାଇ ପରିବାର ଲୋକେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ପରେ ପୋଲିସ ନାବାଳିକାଙ୍କୁ ଏକ ପଡ଼ିଆରେ ଅଚେତ ଅବସ୍ଥାରେ ପାଇଥିଲା। ବିଷକ୍ରିୟା ଯୋଗୁ ନାବାଳିକାଙ୍କ ମୁହଁରୁ ଫେଣ ବାହାରୁଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭତ୍ତି କରିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ନାବାଳିକାଙ୍କ ବୟାନ ଅନୁସାରେ ୪ ଜଣ ଯୁବକ ତାଙ୍କୁ ଅପହରଣ କରି ନେଇଥିବା ବେଳେ ଜୋରଜବରଦସ୍ତ ତାଙ୍କୁ କୀଟ ନାଶକ ପିଆଇ ଦେଇଥିଲେ। ସମ୍ପୃକ୍ତ ଯୁବକ ମୁହଁରେ ମାସ୍କ ପିନ୍ଧିଥିବା ଯୋଗୁ ନାବାଳିକା ତାଙ୍କୁ ଚିହ୍ନି ପାରି ନ ଥିବା ପୋଲିସ କହିଛି। ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସର ଏକ ସ୍ବତନ୍ତ୍ର ଟିମ୍ ତଦନ୍ତ କରୁଛି।