ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ଆଦିବାସୀ ନେତା ଗିରଫ

ବୌଦ୍ଧ, ୮।୨(ସ୍ବ.ପ୍ର.): ବୌଦ୍ଧ ଜିଲାରେ ପଞ୍ଚାୟତ ନିର୍ବାଚନ ନେଇ ସରଗରମ ଥିବାବେଳେ ପୋଲିସ ପକ୍ଷରୁ ମାଓବାଦୀ ସହ ସମ୍ପର୍କ ଅଭିଯୋଗରେ ସୋମବାର କାଳିଆ କହଁର (୫୫) ନାମକ ଜଣେ ଆଦିବାସୀ ନେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କାଳିଆଙ୍କ ଘର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଶଗଡା ପଞ୍ଚାୟତର ଚାଞ୍ଚେର ଗ୍ରାମରେ। ତାଙ୍କ ଘରେ ଜିଲୋଟିନ ଗଛିତ ଥିବା ଏବଂ ତାଙ୍କର ମାଓବାଦୀଙ୍କ ସହିତ ସମ୍ପର୍କ ରହିଥିବା କୌଣସି ସୂତ୍ରରୁ କନ୍ଧମାଳ ଏସ୍‌ପି ସୂଚନା ପାଇ ଏକ ଟିମ୍‌ ବୌଦ୍ଧ ପଠାଇଥିଲେ। ବୌଦ୍ଧ ପୋଲିସ ସହାୟତାରେ କାଳିଆଙ୍କ ଘର ଉପରେ ଚଢାଉ କରାଯିବା ପରେ ଜିଲୋଟିନ ଷ୍ଟିକ୍‌ ସବୁ ଜବତ ହୋଇଥିଲା। କାଳିଆଙ୍କ ଘରୁ ପୋଲିସ ୯୪ଟି ଜିଲୋଟିନ ଷ୍ଟିକ ଜବତ କରିଛି। ଏନେଇ ମନମୁଣ୍ଡା ଥାନାରେ ଏକ ମାମଲା (ନଂ.୨୪।୨୨) ରୁଜୁ ହୋଇଛି। ଘଟଣା ସମ୍ପର୍କରେ ବୌଦ୍ଧ ଏସ୍‌ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁଙ୍କୁ ପଚାରିବାରୁ କାଳିଆଙ୍କ ଘରୁ ଜିଲୋଟିନ ଜବତ ହୋଇଛି। ମାଓବାଦୀଙ୍କୁ ସହଯୋଗ କରୁଥିବା ନେଇ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି କହିଥିଲେ।
ପ୍ରକାଶ ଯେ, କାଳିଆ ସମ୍ପୃକ୍ତ ଅଞ୍ଚଳରେ ଜଣେ ଜଣାଶୁଣା ଆଦିବାସୀ ନେତା। ସେ ପୂର୍ବରୁ ସମିତିସଭ୍ୟ ଥିଲେ। ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଥିବାରୁ ଏନେଇ ତାଙ୍କୁ ରାଜନୈତିକ ଆକ୍ରୋଶ ରଖି ଫସାଇଦିଆଯାଇଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି।

Share